ବର୍ଷା ପବନରେ ଧାନଫସଲ ନଷ୍ଟ: କ୍ଷତିପୂରଣ ଦାବି କଲା କୃଷକ ସଂଗଠନ

Oct 31, 2026 - 22:10
ବର୍ଷା ପବନରେ ଧାନଫସଲ ନଷ୍ଟ: କ୍ଷତିପୂରଣ ଦାବି କଲା କୃଷକ ସଂଗଠନ

ଅତାବିରା,୩୧ା୧୦(ଯୁଧିଷ୍ଠିର ମହାପାତ୍ର): ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଅଦିନିଆ ବର୍ଷା ଓ ପ୍ରବଳ ପବନ ଯୋଗୁ ବରଗଡ଼ ଜିଲା ଅତାବିରା ଅଞ୍ଚଳର ଚାଷୀଙ୍କ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଅତାବିରା ଓଡ଼ିଶା ରାଜ୍ୟ କୃଷକ ସଂଗଠନ ପକ୍ଷରୁ ବରଗଡ଼ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଅତାବିରା ତହସିଲଦାରଙ୍କ ଜରିଆରେ ଏକ ଦାବିପତ୍ର ଶନିବାର ପ୍ରଦାନ କରାଯାଇଛି। ତହସିଲଦାର କେ. ରିଚୀ କୁମାରଙ୍କ ଅନୁପସ୍ଥିତିରେ ସେକ୍ସନ ଅଫିସର ସବିତା ନନ୍ଦ ସ୍ମାରକ ପତ୍ର ଗ୍ରହଣ କରିଥିଲେ।
ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ, ଅଦିନିଆ ବର୍ଷା ଓ ପବନ ଯୋଗୁ ଅଞ୍ଚଳର ଧାନ ଏବଂ ପନିପରିବା ଫସଲ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଅମଳ ସମୟରେ ଏଭଳି ପ୍ରାକୃତିକ ପ୍ରତିକୂଳ ପରିସ୍ଥିତି ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି। ଏପରିକି ଧାନ ଫସଲର କ୍ଷତି ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଉପରେ ପ୍ରଭାବ ପକାଇଛି।
ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ କ୍ଷତିଗ୍ରସ୍ତ ଚାଷଜମିର କ୍ଷେତ୍ର ପରିଦର୍ଶନ କରି ଫସଲ କ୍ଷୟକ୍ଷତିର ଉଚିତ ଆକଳନ କରିବା ସହିତ ପ୍ରଭାବିତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ସରକାରୀ ସହାୟତା ପ୍ରଦାନ କରିବାକୁ ସଂଗଠନ ଦାବି କରିଛି। ସ୍ମାରକ ପତ୍ର ପ୍ରଦାନ ସମୟରେ ଚାଷୀ ନେତା ବୀରେନ୍ଦ୍ର କର, ବୁଦ୍ଧଦେବ ନନ୍ଦ, ଦଶରଥ ଭୋଇ, ସୁରେନ୍ଦ୍ର ପ୍ରଧାନ, ବୀରେନ୍ଦ୍ର ସ୍ବାଇଁ, ସୁବାସ ଚନ୍ଦ୍ର ବିଶ୍ୱାଳ, ଛବିଳ ସାହୁ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।