ବଲାଙ୍ଗୀରରେ ଅଖଚକ ବନ୍ଦ: ସାଧାରଣ ଜନଜୀବନ ପ୍ରଭାବିତ

Oct 08, 2026 - 11:21
ବଲାଙ୍ଗୀରରେ ଅଖଚକ ବନ୍ଦ: ସାଧାରଣ ଜନଜୀବନ ପ୍ରଭାବିତ

ବଲାଙ୍ଗୀର, ୮।୧୦(ବୀରେନ୍ଦ୍ର କୁମାର ଝାଙ୍କର):ଏମ୍‌ଏମ୍‌ଡିଆର୍‌୍‌, ଏସଆଇଆର୍‌-୨୦୨୬, ପାଠ୍ୟପୁସ୍ତକରେ ଥିବା ତ୍ରୁଟି ଏବଂ ବନ୍ୟା କ୍ଷୟକ୍ଷତି ଭଳି ବିଭିନ୍ନ ପ୍ରସଙ୍ଗକୁ ନେଇ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପ୍ରଭାବ ବଲାଙ୍ଗୀରରେ ଦେଖିବାକୁ ମିଳିଛି। ଗୁରୁବାର ସହରରେ ସ୍ବତଃସ୍ଫୁର୍ତ୍ତ ଭାବେ ବନ୍ଦ ପାଳନ ହୋଇଥିବା ବେଳେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି।

ବନ୍ଦ ଯୋଗୁ ବଲାଙ୍ଗୀର ସହରରେ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବ୍ୟାଙ୍କ, ଡାକଘର, ବୀମା ପ୍ରତିଷ୍ଠାନ ସମେତ ଦୋକାନ ବଜାର ଓ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଛି। ଏଥିସହ ଗାଡ଼ିମୋଟର ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି। ଓଡ଼ିଶା ବନ୍ଦକୁ ସମର୍ଥନ ଜଣାଇ ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ବିଭିନ୍ନ ସ୍ଥାନରେ ପିକେଟିଂ କରାଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ଅନୀଲ ମେହେର, ସାଧାରଣ ସମ୍ପାଦକ ଅମରେନ୍ଦ୍ର ମିଶ୍ର, ନଗର ସଭାପତି ବୁଲୁ ଦାନୀଙ୍କ ସମେତ ଦଳର ଅନ୍ୟ ନେତା ଓ କର୍ମୀମାନେ ପିକେଟିଂରେ ସାମିଲ ହୋଇଥିଲେ।

ଗୁରୁବାର ସକାଳ ପ୍ରାୟ ୭ଟାରୁ ଡେଲି ମାର୍କେଟ, ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିକଟରେ କଂଗ୍ରେସ କର୍ମୀମାନେ ପିକେଟିଂ କରି ବନ୍ଦକୁ ସଫଳ କରିବାକୁ ଉଦ୍ୟମ କରିଥିଲେ। ଏହି କାର୍ଯ୍ୟକ୍ରମରେ ମନୀଷ ମିଶ୍ର, ଅସିତ ମିଶ୍ର, ସାନନ୍ଦ ମିଶ୍ର, ଅଜିତ ପାଲ, ଅଜୟ ବାଲି, ଜୁଲୁ ପଟ୍ଟନାୟକ, ଓମ ପ୍ରକାଶ କୁମ୍ଭାରଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ। ବନ୍ଦ ଯୋଗୁ ସହରର ବିଭିନ୍ନ ଅଞ୍ଚଳରେ ଦୋକାନବଜାର ବନ୍ଦ ରହିବା ସହ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଥିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।