ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ
ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ । ସମ୍ବଲପୁର ଜିଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଖିଣ୍ଡାର ସିଟିଆର୍ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମାଆ ଏବଂ ଶିଶୁର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି । ସେହିପରି ବାପା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ମୃତକ ହେଲେ ଝାରସୁଗୁଡ଼ା ଜିଲା ଲଖନପୁର ଥାନା ଅନ୍ତର୍ଗତ ସୁଖାଧର ଗ୍ରାମର ଭରତ ଧୁରୁଆଙ୍କ ଧର୍ମପତ୍ନୀ ଜ୍ଯୋତି ଗଣ୍ଡା(୨୧) ଓ ତାଙ୍କ ୫ ବର୍ଷର ପୁତ୍ର । ଭରତ ଧୁରୁଆ ନିଜେ ଗୁରୁତର ଆହତ ହୋଇଛନ୍ତି। ସେ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଭରତ ଧୁରୁଆ ସପରିବାର ତାଙ୍କ ବାଇକ୍ (ଓଡି-୨୩-ଏ-୭୨୩୨) ଯୋଗେ ନିଜ ଗ୍ରାମ ସୁଖାଧର ଅଭିମୁଖେ ଯାଉଥିଲେ । ରାଜ୍ଯ ରାଜପଥ-୧୦(ବିଜୁ ଏକ୍ସପ୍ରେସ ୱେ)ରେ ଯାଉଥିବା ବେଳେ ଖିଣ୍ଡି ସିଟିଆର୍ ଛକ ନିକଟରେ ଦୃତଗତିରେ ଆସି ଏକ କୋଇଲା ବୋଝେଇ ଟ୍ରକ୍(ଓଆର୍-୦୪-ଏମ୍-୧୪୨୭) ସେମାନଙ୍କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଭୟଙ୍କର ଥିଲା ଯେ ମହିଳା ଓ ତାଙ୍କ ସନ୍ତାନ ଛିଟିକି ପଡ଼ି ଟ୍ରକ୍ ଚକା ତଳେ ଚାପି ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହାବାଦ ଘଟଣାସ୍ଥଳରେ ଟ୍ରକକୁ ଛାଡ଼ି ଚାଳକ ଫେରାର ହୋଇଯାଇଛନ୍ତି। ଏହି ହୃଦୟବିଦାରକ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଦାବି କରି ଝାରସୁଗୁଡ଼ା-ସମ୍ବଲପୁର ୧୦ ନମ୍ବର ରାଜ୍ଯ ରାଜପଥକୁ ଅବରୋଧ କରିଛନ୍ତି। ରାସ୍ତାରୋକ ଯୋଗୁଁ ଉକ୍ତ ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହି ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି । ଘଟଣାର ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଉତ୍ତେଜନା ପ୍ରଶମିତ କରିବାକୁ ଚେଷ୍ଟା ଚଳାଇଛି ଏବଂ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।