ବାଇକ୍ରେ କାମକୁ ଯାଉଥିଲେ ଯୁବକ, ଧକ୍କା ଦେଲା ଟ୍ରାକ୍ଟର: ରକ୍ତ ଜୁଡୁବୁଡୁ ଅବସ୍ଥାରେ…
ଥୁଆମୂଳ ରାମପୁର, ୭।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଟ୍ରାକ୍ଟର ଓ ବାଇକ ମଧ୍ୟରେ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। ଆହତ ଯୁବକ ଜଣକ କର୍ଲାପାଟ ଅଞ୍ଚଳ ଅନ୍ତର୍ଗତ ଭେଜିଗୁଡ଼ା ଗ୍ରାମର କାଳିଆ ନାଏକଙ୍କ ପୁଅ ସିଦ୍ଧାନ୍ତ ନାଏକ (୨୬) ବୋଲି ଜଣାପଡ଼ିଛି।
ସୂଚନା ଅନୁଯାୟୀ, ସିଦ୍ଧାନ୍ତ ନିଜ ଗ୍ରାମରୁ ପଲସର ବାଇକ (ଓଡ଼ି-୦୮-ୟୁ-୫୯୭୦) ଯୋଗେ ଥୁଆମୂଳ ରାମପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଥିବା ‘ମାଁ ଦୁର୍ଗା ହୋଟେଲ’କୁ କାମ କରିବା ପାଇଁ ଆସୁଥିଲେ। ପେଟ୍ରୋଲ ପମ୍ପ ନିକଟରେ ତାଙ୍କ ବାଇକ ଏକ ଟ୍ରାକ୍ଟର ସହ ଧକ୍କା ହୋଇଥିଲା। ଧକ୍କା ପରେ ସିଦ୍ଧାନ୍ତ ରାସ୍ତା ଉପରେ ପଡ଼ି ରକ୍ତାକ୍ତ ଅବସ୍ଥାରେ ଛଟପଟ ହେଉଥିଲେ। ଦୁର୍ଘଟଣାର କାରଣକୁ ନେଇ ପ୍ରତ୍ୟକ୍ଷଦର୍ଶୀ ଓ ଆହତ ଯୁବକଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି। କେତେକ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଟ୍ରାକ୍ଟରଟି ରାସ୍ତା କଡ଼ରେ ଅଟକିଥିବା ବେଳେ ବାଇକ୍ଟି ଆସି ତାହାକୁ ଧକ୍କା ଦେଇଥିଲା।
ଅନ୍ୟପକ୍ଷରେ, ସିଦ୍ଧାନ୍ତଙ୍କ କହିବା ଅନୁସାରେ, ଟ୍ରାକ୍ଟରଟି ପେଟ୍ରୋଲ ପମ୍ପରୁ ହଠାତ୍ ମୁଖ୍ୟ ରାସ୍ତାକୁ ଚାଲିଆସିଥିଲା। ଫଳରେ ଟ୍ରାକ୍ଟରକୁ ଏଡ଼ାଇବା ପାଇଁ ସୁଯୋଗ ନପାଇ ସେ ଟ୍ରାକ୍ଟରର ପଛପଟେ ଧକ୍କା ଦେଇ ତଳେ ପଡ଼ିଯାଇଥିଲେ। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଅନେକ ଲୋକ ଉପସ୍ଥିତ ଥିଲେ ମଧ୍ୟ ତାଲବନ୍ଧ ପଡ଼ାର କେତେକ ସଚେତନ ଯୁବକ ସିଦ୍ଧାନ୍ତଙ୍କୁ ଉଦ୍ଧାର କରିଥିଲେ। ସେମାନେ ତୁରନ୍ତ ଏକ ଅଟୋ ଯୋଗେ ତାଙ୍କୁ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଭର୍ତ୍ତି କରିଥିଲେ।
ଦୁର୍ଘଟଣାରେ ସିଦ୍ଧାନ୍ତଙ୍କ ମୁହଁ ଓ ଆଖିରେ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କ ଜିଭର କିଛି ଅଂଶ କଟିଯାଇଥିବା ଜଣାପଡ଼ିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଡାକ୍ତର ଶକ୍ତି ସାଗର ତାଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଛନ୍ତି। ଖବର ପାଇ ଥୁଆମୂଳ ରାମପୁର ଥାନା ଏସଆଇ ସନ୍ତୋଷ କୁମାର ସେଠୀ ମେଡିକାଲରେ ପହଞ୍ଚି ଘଟଣା ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।