ବାତ୍ୟା ଓ ବନ୍ୟାରେ ଫସଲ ନଷ୍ଟ, କ୍ଷତିପୂରଣ ଦାବିରେ ଗଞ୍ଜାମ ଜଲାପାଳଙ୍କ ଅଫିସ୍ ଆଗରେ ଚାଷୀଙ୍କ ଧାରଣା!
ଛତ୍ରପୁର,୫।୧୧(ଦିଲ୍ଲୀପ ସାମଲ) : ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି । ଫଳରେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଆର୍ଥିକ ସହାୟତା ପ୍ରଦାନ ଦାବି ଜୋର ଧରିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଶା କୃଷକ ସଭାର ଗଞ୍ଜାମ ଜିଲା କମିଟି ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ଜିଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ଚାଷୀମାନେ ଧାରଣାରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ବାତ୍ୟା ଓ ବନ୍ୟା ଯୋଗୁଁ ଜିଲାର କୃଷି କ୍ଷେତ୍ର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଲଗାତାର ଚାରି ଦିନ ଧରି ଚାଷଜମି ଜଳମଗ୍ନ ରହିବାରୁ ଧାନ ଓ ପନିପରିବା ଫସଲ ନଷ୍ଟ ହୋଇଛି । ଏଥିଯୋଗୁଁ ଚାଷୀମାନେ ଜୀବିକା ହରାଇବା ସହ ବ୍ୟାପକ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏଭଳି ସ୍ଥିତିରେ ସରକାର ଘୋଷଣା କରିଥିବା ସହାୟତା କ୍ଷୟକ୍ଷତି ତୁଳନାରେ ଯଥେଷ୍ଟ ନୁହେଁ ବୋଲି କୃଷକ ସଭା ପକ୍ଷରୁ ଅଭିଯୋଗ କରାଯାଇଛି।ସଂଗଠନ ପକ୍ଷରୁ ବାତ୍ୟା ଯୋଗୁଁ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା, ଅଣଜଳସେଚିତ ଧାନ ଫସଲ ପାଇଁ ଏକର ପ୍ରତି ୧୦ ହଜାର, ଜଳସେଚିତ ଧାନ ପାଇଁ ୧୫ ହଜାର ଏବଂ ପନିପରିବା ଓ ବହୁମୁଖୀ ଫସଲ ପାଇଁ ୨୫ ହଜାର ଟଙ୍କା କ୍ଷତିପୂରଣ ଦାବି କରାଯାଇଛି । ଏଥିସହ ଚାଷୀଙ୍କ ସମସ୍ତ ପୁରୁଣା କୃଷି ଋଣ ଛାଡ଼, ବିନା ସୁଧରେ ନୂତନ ଋଣ ପ୍ରଦାନ, କ୍ଷତିଗ୍ରସ୍ତ ଚାଷଜମିର ଫସଲ ବୀମା ରାଶି ତୁରନ୍ତ ପ୍ରଦାନ ଏବଂ କ୍ଷତିଗ୍ରସ୍ତ ଚାଷୀ ପରିବାରକୁ ତିନି ମାସ ପର୍ଯ୍ୟନ୍ତ ମାଗଣା ଚାଉଳ, ଡାଲି ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ଯୋଗାଇଦେବାକୁ ଦାବି ହୋଇଛି ।
ସେହିପରି ବାତ୍ୟା ଓ ବନ୍ୟାରେ କ୍ଷତିଗ୍ରସ୍ତ ମତ୍ସ୍ୟଜୀବୀଙ୍କ ଡଙ୍ଗା ଓ ଜାଲ କ୍ଷତି ବାବଦକୁ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି । ଚାଷୀଙ୍କ ଦୁର୍ଦ୍ଦଶାକୁ ଦୃଷ୍ଟିରେ ରଖି ସରକାର ଏହି ଦାବିଗୁଡ଼ିକ ଉପରେ ତୁରନ୍ତ ବିଚାର କରିବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲିଓଡ଼ିଶା କୃଷକ ସଭା ଦାବି କରିଛି । ଏହି ଦାବି ପତ୍ର ପ୍ରଦାନ ବେଳେ ବରିଷ୍ଠ କୃଷକ ନେତା ଗୋପାଳ କୃଷ୍ଣ ପାଣିଗ୍ରାହୀ, ଯୋଗେନ୍ଦ୍ର ଚନ୍ଦ୍ର ସାହୁ, ଭାସ୍କର ଜେନା, ବିଶ୍ୱନାଥ ପ୍ରଧାନ, ଅଜୟ ଗୌଡ଼, ଦୁର୍ଯ୍ୟୋଧନ ସ୍ୱାଇଁ, ବୈରାଗୀ ପ୍ରଧାନ, ପଦ୍ମନାଭ ପ୍ରଧାନଙ୍କ ସମେତ ବହୁ ଚାଷୀମାନେ ଉପସ୍ଥିତ ଥିଲେ ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।