ବାତ୍ୟା କ୍ଷତିଗ୍ରସ୍ତ ଗାଁ ବୁଲିଲେ ବିଧାୟକ, ଚାଷୀଙ୍କ ଦୁର୍ଦ୍ଦଶା ବୁଝିଲେ

Nov 05, 2026 - 23:10
ବାତ୍ୟା କ୍ଷତିଗ୍ରସ୍ତ ଗାଁ ବୁଲିଲେ ବିଧାୟକ, ଚାଷୀଙ୍କ ଦୁର୍ଦ୍ଦଶା ବୁଝିଲେ

ପାରଳାଖେମୁଣ୍ଡି,୫।୧୧(ଗିରିଧାରୀ ପରିଛା): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ଲଗାଣ ବର୍ଷାରେ ଗଜପତି ଜିଲାର ଚାଷଜମି ଏବଂ ଜନଜୀବନ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବିଶେଷ କରି ଗୋଷାଣି ବ୍ଲକର ବିଭିନ୍ନ ଗ୍ରାମରେ ଚାଷୀ ଓ ବାସହୀନ ପରିବାରଙ୍କ ଦୁର୍ଦ୍ଦଶା ବଢ଼ିଛି।

ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚି ସେମାନଙ୍କ ସମସ୍ୟା ଓ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ। ବାତ୍ୟା ପ୍ରଭାବ ଥମିବା ପରଠାରୁ ବିଧାୟକ ଗୋଷାଣି ବ୍ଲକର ବିଭିନ୍ନ କ୍ଷତିଗ୍ରସ୍ତ ଗ୍ରାମକୁ ମାରାଥନ ଗସ୍ତ କରି ଆସୁଛନ୍ତି। ଏହି କ୍ରମରେ ଭିନ୍ନଳା, ବଡ଼ଗାଁ, ବାପୁଜୀପେଣ୍ଠ ଓ ଅଗରଖଣ୍ଡି ଆଦି ଗ୍ରାମ ପରିଦର୍ଶନ କରି ଚାଷୀ, ଗ୍ରାମ ମୁଖିଆ ଓ ସ୍ଥାନୀୟ ସରପଞ୍ଚଙ୍କ ସହ ଆଲୋଚନା କରିଥିଲେ।

ଭିନ୍ନଳା ଗ୍ରାମରେ ନଦୀକୂଳ ଅଞ୍ଚଳ କ୍ଷୟକ୍ଷତି, ଚାଷଜମି ନଷ୍ଟ ଓ ଫସଲ ହାନି ଯୋଗୁ ଚାଷୀମାନେ ସମ୍ମୁଖୀନ ହେଉଥିବା ଆର୍ଥିକ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ ପ୍ରକୃତ କ୍ଷୟକ୍ଷତି ଆକଳନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ସେହିପରି ସବୋରା ପଞ୍ଚାୟତ ଅନ୍ତର୍ଗତ ସୌରା ସବୋରା ଗ୍ରାମକୁ ଯାଇ ବାସହୀନ ପରିବାରଙ୍କ ସମସ୍ୟା ଶୁଣିଥିଲେ। ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ପରିବାରଙ୍କ ସମ୍ପର୍କରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଫୋନ ଯୋଗେ ପଚାରି ବୁଝିଥିଲେ। ଏହାପରେ ଗ୍ରାମର ଶିଶୁମାନଙ୍କୁ ବିସ୍କୁଟ ବଣ୍ଟନ କରିଥିଲେ।
ଏହି ଅବସରରେ ବିଧାୟକ ପାଣିଗ୍ରାହୀ କହିଥିଲେ, ପୂର୍ବ ସରକାରଙ୍କ ଅମଳରେ ବିପର୍ଯ୍ୟୟ ସମୟରେ ପ୍ରଶାସନ ଅଧିକ ସଜାଗ ରହୁଥିଲା। ମାତ୍ର ବର୍ତ୍ତମାନ ସେଭଳି ତତ୍ପରତା ପରିଲକ୍ଷିତ ହେଉନାହିଁ। କ୍ଷୟକ୍ଷତିର ସଠିକ ଆକଳନ ପାଇଁ ପ୍ରଶାସନିକ ଅଧିକାରୀମାନେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ଆବଶ୍ୟକ। ଆକଳନରେ ତ୍ରୁଟି ରହିଲେ ପ୍ରକୃତ କ୍ଷତିଗ୍ରସ୍ତମାନେ ସରକାରୀ ସହାୟତାରୁ ବଞ୍ଚିତ ହେବେ।ଏସ୍‌ଆରସିଙ୍କ ରିଲିଫ ନିୟମ ଅନୁଯାୟୀ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ତୁରନ୍ତ ସହାୟତା ଦେବାକୁ ସେ ଦାବି କରିଥିଲେ।

ଏଥିସହ ଫସଲ କ୍ଷତିର ସଠିକ ଆକଳନ କରି ଚାଷୀଙ୍କୁ ସହାୟତା, ବାତ୍ୟାରେ ଘର ନଷ୍ଟ ହୋଇଥିବା ପରିବାରଙ୍କୁ କ୍ଷତିପୂରଣ ଏବଂ ଚାଳ ଓ ଝାଟିମାଟି ଘରେ ରହୁଥିବା ଆବାସ ଯୋଜନାରୁ ବଞ୍ଚିତ ପରିବାରଙ୍କୁ ପକ୍କାଘର ଯୋଗାଇଦେବାକୁ ସେ ଦାବି କରିଥିଲେ। ଗସ୍ତ ସମୟରେ ସଂଗ୍ରହ କରିଥିବା କ୍ଷୟକ୍ଷତି ଓ ଲୋକଙ୍କ ସମସ୍ୟା ସମ୍ପର୍କିତ ତଥ୍ୟ ରାଜ୍ୟ ସରକାରଙ୍କୁ ଅବଗତ କରାଇବେ ବୋଲି ବିଧାୟକ ପ୍ରକାଶ କରିଛନ୍ତି।

ବିଧାୟକଙ୍କ ଗସ୍ତରେ ବେଳେ ବ୍ଲକ ଅଧ୍ୟକ୍ଷ ଏନ୍‌. ବୀରରାଜୁ, ଜିଲା ପରିଷଦ ସଭ୍ୟ ଏସ୍‌. ବାଲୁରାଜୁ, ନୀଳମାଧବ ପାଣ୍ଡି, ବିଜୟ ଜେନା, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, କାମେଶ୍ୱର ସ୍ବାଇଁ, ମୁନା ଜେନା, ଜଗା ପ୍ରଧାନ, ବୁଡୁ ପ୍ରଧାନ, ନିରଞ୍ଜନ ପ୍ରଧାନଙ୍କ ସମେତ ବହୁ ଜନପ୍ରତିନିଧି, ସ୍ଥାନୀୟ ନେତୃବୃନ୍ଦ ଏବଂ ପୂର୍ବତନ ସରପଞ୍ଚ ଉପସ୍ଥିତ ଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।