ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….
ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ ପାତ୍ର (୮୧) ନାମକ ଜଣେ ବୃଦ୍ଧ ଗାଁ ଶ୍ମଶାନ ନିକଟ ବାହୁଦା ନଦୀକୁ ଗାଧୋଇବାକୁ ଯାଇ ରବିବାର ସକାଳୁ ନିଖୋଜ ଥିଲେ।
ପୂର୍ବାହ୍ନ ପ୍ରାୟ ସାଢେ ୧୧ ଟାରେ ତାଙ୍କ ମୃତଦେହ ନଦୀରେ ଭାସୁଥିବା କିଛି ଗ୍ରାମବାସୀ ଦେଖିଥିଲେ। ଅସାବଧାନତା କାରଣରୁ ସେ ଗଭୀର ପାଣି ରେ ବୁଡ଼ି ଯାଇଥିବା ଜଣାପଡିଛି । ଖବରପାଇ କେ.ନୂଆଗାଁ ଥାନା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଅତିଥି ଚରଣ ନାୟକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ବୃନ୍ଦାବନଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଚିକିଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏନେଇ କେ.ନୂଆଗାଁ ଥାନାରେ ଏତଲା ହେବାପରେ ଅପମୃତ୍ୟୁ ମାମଲା ନଂ.୧୫/୨୬ ଅନୁଯାୟୀ ପୋଲିସ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।