ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

Sep 20, 2026 - 22:16
ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ ପ୍ରାୟ ୧୦ ହଜାର ଟଙ୍କା ମୂଲ୍ୟର ଖେଳଣା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ପ୍ରଧାନଶିକ୍ଷକ ଜଟିଆ ମଲ୍ଲିକ ଗତ ଗୁରୁବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତ୍ତିକରି ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୩୯୬/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ।

ଏହି ଚୋରିରେ ସମ୍ପୃକ୍ତ ଥିବା ଦିଗପହଣ୍ଡି ବ୍ଲକ ସାନଡୁମ୍ବୁଳା ଗ୍ରାମର ଜେ. ଆକାଶ ପାତ୍ର ଓରଫ ଯାତ୍ରା(୧୯), ଜେ.ବାଳକୃଷ୍ଣ ପାତ୍ର ଓରଫ ଟମାଟ ଓରଫ ବଳ(୨୪), କରପଡ଼ା ଗ୍ରାମର ସିଲୁ ପ୍ରଧାନ(୨୧)ଙ୍କୁ ତଦନ୍ତକାରୀ ଅଧିକାରୀ ଏସ.ଆଇ ମହାପ୍ରସାଦ ମହାନ୍ତି ରବିବାର ସକାଳେ  ଗିରଫ କରିଥିଲେ ।ସେମାନଙ୍କ ନିକଟରୁ ୮ ଟି ଚାଉଳ ପ୍ୟାକେଟ, ଖେଳଣା ସାମଗ୍ରୀ ଓ ଚୋରି ଘଟଣାରେ ବ୍ୟବହୃତ ଡାଲା ଅଟୋ (ନଂ. ଓଡ଼ି ୦୭ ୱାଈ -୫୦୨୫) କୁ ଜବତ କରିବା ସହ ସମସ୍ତ ଅଭିଯୁକ୍ତଙ୍କୁ ବିଳମ୍ବିତ ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛନ୍ତି।

ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତମାନଙ୍କୁ ଦିଗପହଣ୍ଡି ସବ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ସେହିପରି ଏହି ଘଟଣାରେ ସଂପୃକ୍ତ ୩ ଜଣ ନାବାଳକଙ୍କୁ ପୋଲିସ ବ୍ରହ୍ମପୁର ଜୁଭେନାଇଲ ଜଷ୍ଟିସ ବୋର୍ଡ(ଜେଜେବି) ରେ ହାଜର କରିଥିଲେ । ପରେ ସେମାନଙ୍କୁ ବ୍ରହ୍ମପୁର ବାଳ ସୁଧାର ଗୃହକୁ ପଠାଇ ଦିଆଯାଇଛି ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।