ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

Oct 10, 2026 - 12:20
ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଶେଷରେ ପ୍ରାୟ ୫୦୦ ଛାତ୍ରୀଛାତ୍ର ହାତରେ ପ୍ଲାକାର୍ଡ ଧରି ରାଜରାସ୍ତାକୁ ଓହ୍ଲାଇଛନ୍ତି।

ସମସ୍ୟାର ସ୍ଥାୟୀ ସମାଧାନ ଦାବିରେ ଛାତ୍ରୀଛାତ୍ର ଶ୍ୟାମସୁନ୍ଦରପୁରରୁ ବାଙ୍ଗିରିପୋଷି ବ୍ଲକ କାର୍ଯ୍ୟାଳୟ ଅଭିମୁଖେ ପ୍ରାୟ ୧୦ କିଲୋମିଟର ପାଦରେ ଚାଲିଚାଲି ବାହାରିଥିଲେ। ଜିଲାପାଳଙ୍କ ନିକଟରେ ନିଜ ଦାବି ଉପସ୍ଥାପନ କରିବା ପାଇଁ ଆବଶ୍ୟକ ପଡ଼ିଲେ ମୋଟ ୫୦ କିଲୋମିଟର ପଦଯାତ୍ରା କରିବେ ବୋଲି ସେମାନେ ଜିଦ୍ ଧରିଛନ୍ତି। ଏହି ପଦଯାତ୍ରା ବାଙ୍ଗିରିପୋଷି ନିକଟରେ ପହଞ୍ଚିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା।

ଛାତ୍ରୀଛାତ୍ର ୪୯ ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି କୋଲକାତା ଛକ ନିକଟରେ ରାସ୍ତା ଅବରୋଧ କରି ଧାରଣାରେ ବସି ରହିଥିଲେ। ଏହି ରାସ୍ତାରୋକ ଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଶହଶହ ଗାଡ଼ିମଟର ଅଟକି ରହି ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଥିଲା। ଛାତ୍ରୀଛାତ୍ରଙ୍କ ଏଭଳି ପ୍ରତିବାଦ ଦେଖି ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଖବର ପାଇ ପୋଲିସ ଓ ସ୍ଥାନୀୟ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରୀଛାତ୍ରଙ୍କୁ ବୁଝାସୁଝା ଜାରି ରଖିଥିବା ବେଳେ ପିଲାମାନେ ନିଜ ଦାବିରେ ଅଟଳ ରହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।