ବିଦ୍ୟୁତ୍ କାର୍ଯ୍ୟାଳୟରେ ପଡ଼ିଲା ତାଲା
କାଟପାଡ଼,୩ା୧୦(କେ.ରାଜଶେଖର ରାଓ): କୋରାପୁଟ ଜିଲା କୋଟପାଡ଼ ସଡ଼ରଙ୍ଗା ପଞ୍ଚାୟତ ବେଲଗଁା ଅଞ୍ଚଳରେ ୧ ମାସରୁ ଊର୍ଦ୍ଧ୍ୱ ହେବ ଟ୍ରାନ୍ସଫର୍ମର ପୋଡ଼ିଯାଇଥିବାରୁ ଉପଭୋକ୍ତାମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାତି ସମୟରେ ଯାତାୟାତରେ ଅସୁବିଧା ହେଉଥିବାରୁ ବିଦ୍ୟୁତ୍ ବିଭାଗ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ ହୋଇଛି। ଏ ନେଇ ଶନିବାର ଗ୍ରାମର ଶତାଧିକ ଲୋକେ କୋଟପାଡ଼ସ୍ଥିତ ବିଦ୍ୟୁତ୍ ବିଭାଗ କାର୍ଯ୍ୟାଳୟରେ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରିବାକୁ ଆସିଥିଲେ। ଗ୍ରାମବାସୀଙ୍କ ଅଭିଯୋଗ କେହି ନ ଶୁଣିବାରୁ ଲୋକେ କାର୍ଯ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଇ ବିଦ୍ୟୁତ୍ ଯୋଗାଇବା ପାଇଁ ଦାବି କରିଥିଲେ।
ବନ୍ୟା ପୂର୍ବରୁ ଅନେକ ଥର ଅଭିଯୋଗ କରିଥିଲେ ସୁଦ୍ଧା ବିଭାଗ ପକ୍ଷରୁ ଗୁରୁତ୍ୱ ଦିଆଯାଉନାହିଁ। ବନ୍ୟା ଯୋଗୁ ଗ୍ରାମରେ ବର୍ଷାପାଣି ପଶିବାରୁ ଆଖପାଖ ଅଞ୍ଚଳର ଧନଜୀବନ ନଷ୍ଟ ହେବା ସହ ଲୋକଙ୍କ ଘରେ ବିଭିନ୍ନ ସରିସୃପ ପଶୁଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମରେ ବିଦ୍ୟୁତ୍ ସେବା ନ ଥିବାରୁ ଅଘଟଣର ଆଶଙ୍କା ରହିଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ପ୍ରତିବାଦ କରୁଥିବା ଗ୍ରାମବାସୀ କହିଛନ୍ତି। ଏ ନେଇ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଛୁଟିରେ ଥିବା କର୍ମଚାରୀମାନେ କହିଛନ୍ତି। ପରେ ବିଦ୍ୟୁତ୍ ବିଭାଗ ପକ୍ଷରୁ ଟ୍ରାନ୍ସଫର୍ମର ଉକ୍ତ ଗ୍ରାମକୁ ନିଆଯାଇଥିବା ଜଣାପଡ଼ିଛି l
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।