ବିନା ସୂଚନା ଫଳକରେ ଲକ୍ଷ ଲକ୍ଷ ଟଙ୍କାର କାମ, ଅନିୟମିତତା ନେଇ ଉଠିଲା ପ୍ରଶ୍ନ

Oct 14, 2026 - 21:13
ବିନା ସୂଚନା ଫଳକରେ ଲକ୍ଷ ଲକ୍ଷ ଟଙ୍କାର କାମ, ଅନିୟମିତତା ନେଇ ଉଠିଲା ପ୍ରଶ୍ନ

ଥୁଆମୂଳ ରାମପୁର,୧୪ା୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ଓ ଏହାର ଆଖପାଖ ଅଞ୍ଚଳରେ ବିନା ସୂଚନା ଫଳକରେ ଲକ୍ଷ ଲକ୍ଷ ଟଙ୍କାର ନିର୍ମାଣ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । ବ୍ଲକ କାର୍ଯ୍ୟାଳୟ ପରିସରରେ ଷ୍ଟାଫ୍ କ୍ୱାର୍ଟର ସମେତ ବିଭିନ୍ନ କୋଠା ନିର୍ମାଣ ଓ ଛାତ ଉପରେ ସେଡ୍ ବ୍ୟବସ୍ଥା କରାଯାଉଥିଲେ ହେଁ କୌଣସି ସ୍ଥାନରେ ସୂଚନା ବୋର୍ଡ ଲଗାଯାଇ ନାହିଁ । ଫଳରେ ଏହିସବୁ କାର୍ଯ୍ୟ କେତେ ଟଙ୍କାର ଅଟକଳରେ, କାହା ସ୍ୱାର୍ଥରେ ଓ କେଉଁ ବିଭାଗ ଦ୍ୱାରା ହେଉଛି, ତାହା ସାଧାରଣ ଲୋକେ ଜାଣିପାରୁ ନାହାନ୍ତି ।
କେବଳ ବ୍ଲକ ପରିସର ନୁହେଁ, ପିଡିଏସ ଗୋଦାମ ପାଖରେ ନିର୍ମିତ ନୂତନ କୋଠା ଏବଂ ତାଲବନ୍ଦପଡ଼ା ପୋଖରୀ ନିକଟସ୍ଥ ଆମ୍ବେଦକର ଷ୍ଟାଚ୍ୟୁ ପାର୍ଶ୍ୱରେ ଚାଲିଥିବା ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ମଧ୍ୟ ସୂଚନା ଫଳକ ଅଭାବରୁ ସବୁକିଛି ଅନ୍ଧକାରରେ ରହିଛି । ଏ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ସାଲକୋ ହେମ୍ବ୍ରମଙ୍କୁ ପଚାରିବାରୁ ସେ କହିଛନ୍ତି, “ଆମେ ଠିକାଦାରମାନଙ୍କୁ ପ୍ରଥମେ ସୂଚନା ବୋର୍ଡ ଲଗାଇବା ପାଇଁ ସବୁବେଳେ ତାଗିଦ୍ କରୁଛୁ, କିନ୍ତୁ ସେମାନେ ନିୟମ ମାନୁନାହାନ୍ତି।”
ଅନ୍ୟପଟେ, ସିନ୍ଧିପଦର, ବିରିକୋଟ, କେରପାଇ, ନାକ୍ରୁଣ୍ଡି, କର୍ଲାପାଟ ଓ ମାଳିଗାଁ, ତଳନାଗୀ ପଞ୍ଚାୟତର ଅନେକ ଦୁର୍ଗମ ଗାଁରେ ଆଜି ବି ପକ୍କା ରାସ୍ତା, ପାନୀୟ ଜଳ, ବିଜୁଳି, ଶିକ୍ଷା ଓ ସ୍ୱାସ୍ଥ୍ୟ ସୁବିଧା ନ ଥିବା ବେଳେ ବ୍ଲକ ପରିସରରେ ଏଭଳି ଅନିୟମିତତାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ସ୍ଥାନୀୟ ଯୁବକ ପରମେଶ୍ୱର ନାଏକ ଓ ଜଗାକାଳିଆ ନାଏକ ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅନୁଦାନ ଆତ୍ମସାତ୍ ହେଉଥିବା ଅଭିଯୋଗ କରିବା ସହ ସରକାରୀ ନିୟମାନୁସାରେ ସ୍ୱଚ୍ଛ କାର୍ଯ୍ୟ କରିବାକୁ ଦାବି କରିଛନ୍ତି । ଏହି ସମ୍ପର୍କରେ ଥୁଆମୂଳ ରାମପୁର ବିଡିଓ ଧ୍ରୁବ ଚରଣ ମୁଦୁଲିଙ୍କ ପ୍ରତିକ୍ରିୟା ନେବାକୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରି ନାହିଁ ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।