ବିଭାଜିତ ବିଶ୍ୱ ବ୍ୟବସ୍ଥା
ପଚିଶବର୍ଷ ପୂର୍ବେ, ପୃଥିବୀର ଗତିପଥ ବଦଳିଯାଇଥିଲା। ପ୍ରାୟ ନୂତନ ସହସ୍ରାବ୍ଦୀର ସେହି ପ୍ରାରମ୍ଭିକ ସମୟରେ ଆମେରିକା ଏବଂ ରୁଷିଆରେ ନୂଆ ରାଷ୍ଟ୍ରପତି କ୍ଷମତାକୁ ଆସିଥିଲେ। ହେଲେ ୧୧ ସେପ୍ଟେମ୍ବର ୨୦୦୧ରେ ଆମେରିକା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉଭୟ ଦେଶର ଗତିପଥକୁ ବଦଳାଇ ଦେଇଥିଲା। ଏହାସହ ଶକ୍ତିଶାଳୀ ଦେଶ ଭାବେ ଉଭା ହେଉଥିବା ଚାଇନାର ଗତିପଥକୁ ମଧ୍ୟ ବଦଳାଇ ଦେଇଥିଲା। ଫଳରେ ଏବେ ପ୍ରତୀୟମାନ ବିଭାଜିତ ଭୂ-ରାଜନୈତିକ ବ୍ୟବସ୍ଥାର ସୂତ୍ରପାତ ଘଟିଥିଲା। ସେତେବେଳେ ଆକ୍ରମଣ ଦିନ ଆମ ଦୁହିଁଙ୍କ ମଧ୍ୟରୁ ଜଣେ କ୍ରିମିଆରେ ଏବଂ ଅନ୍ୟ ଜଣକ ଖାର୍ତୁମରେ ଥିଲୁ। ଆମେ ସ୍ତବ୍ଧ ହୋଇଯାଇଥିଲେ ମଧ୍ୟ ସେତେବେଳେ ଜାଣି ନ ଥିଲୁ ଯେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଆକ୍ରମଣ ଦିନ ଆମେରିକାରେ ରାଷ୍ଟ୍ରପତି ଜର୍ଜ ଡବ୍ଲ୍ୟୁ ବୁଶ୍ ଏକ ଜଟିଳ ରାସ୍ତା ଦେଇ ହ୍ବାଇଟ୍ ହାଉସରେ ପହଞ୍ଚିଥିଲେ। ସେପ୍ଟେମ୍ବର ୧୧ ସକାଳେ ଟେଲିଭିଜନରେ ରାଷ୍ଟ୍ରପତିଙ୍କୁ ଫ୍ଲୋରିଡାର ସାରାସୋଟାସ୍ଥିତ ଏକ ପ୍ରାଥମିକ ବିଦ୍ୟାଳୟରେ ପିଲାମାନଙ୍କୁ ବହି ପଢ଼ି ଶୁଣାଉଥିବା ଦେଖାଯାଇଥିଲା। ସେଠାରେ ଜଣେ ସହଯୋଗୀ ତାଙ୍କ କାନରେ ଫୁସ୍ଫୁସ୍ ହୋଇ କହିଥିଲେ ଯେ ଦେଶ ଉପରେ ଆକ୍ରମଣ ହୋଇଛି। ତାଙ୍କ ମୁହଁର ସେହି ବିଚଳିତ ଭାବ ଆମେରିକାର ବୈଦେଶିକ ନୀତିର ଏକ ବିଶେଷ ଲକ୍ଷଣର ପୂର୍ବାଭାସ ଦେଇଥିଲା।
ଆମେରିକା ତୁରନ୍ତ ଅନ୍ୟ ସମସ୍ତ ବିଷୟକୁ ଜାତୀୟ ସୁରକ୍ଷା ଅଧୀନକୁ ଆଣିବା ସହ ୧୯୪୫ ପରଠାରୁ ଯେଉଁ ଅନ୍ତର୍ଜାତୀୟ ନେତୃତ୍ୱ ମାଧ୍ୟମରେ ବିଶ୍ୱରେ ପ୍ରଭାବ ବିସ୍ତାର କରିଆସୁଥିଲା, ତାହାକୁ ତ୍ୟାଗ କଲା। ୨୦୦୧ ଶେଷ ଭାଗରୁ ଆମେରିକାର ପ୍ରତିରକ୍ଷା ସଚିବ ଡୋନାଲ୍ଡ ରମ୍ସଫେଲ୍ଡ ଆମେରିକାକୁ ଆଣ୍ଟି-ବ୍ୟାଲିଷ୍ଟିକ୍ ମିସାଇଲ୍ ଚୁକ୍ତିରୁ ବାହାରିବା ପାଇଁ ଚାପ ପକାଇଥିଲେ, ଯଦ୍ଦ୍ବାରା ଦେଶର ସୁରକ୍ଷା ପାଇଁ କ୍ଷେପଣାସ୍ତ୍ର ପ୍ରତିରକ୍ଷା ବ୍ୟବସ୍ଥା ଉପରେ କାମ ଆରମ୍ଭ କରାଯାଇପାରିବ। ପରିଣାମ ସ୍ବରୂପ ଗ୍ରାଉଣ୍ଡ-ବେସଡ୍ ମିଡକୋର୍ସ ଡିଫେନ୍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଆଲାସ୍କା ଏବଂ କାଲିଫର୍ନିଆରେ ମିସାଇଲ ମୁତୟନ କରାଯିବା ସହ ପୋଲାଣ୍ଡରେ ଏହା କରିବାକୁ ଯୋଜନା କରିଥିଲା। ଏହି ପଦକ୍ଷେପ ବିଶେଷକରି ରୁଷିଆକୁ ଅକଳରେ ପକାଇଥିଲା। ଏହାର ଜବାବରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଷ୍ଟ୍ରାଟେଜିକ ଆର୍ମସ୍ ରିଡକ୍ସନ ଚୁକ୍ତିକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହି ସମୟରେ ଆମେରିକା ଦୁଇଟି ବଡ଼ ଯୁଦ୍ଧ ଆରମ୍ଭ କଲା। ପ୍ରଥମଟି ଆଫଗାନିସ୍ତାନରେ, ଯେଉଁଠାରେ ତା’ର ହସ୍ତକ୍ଷେପ ଆଇନଗତ ଥିଲା ଏବଂ ବିଶ୍ୱର ଅନେକ ଦେଶ ଏହାକୁ ସମର୍ଥନ କରିଥିଲେ। ଦ୍ୱିତୀୟଟି ଇରାକରେ, ଯେଉଁଠାରେ ଜାତିସଂଘର ବିନା ଅନୁମତିରେ ଆକ୍ରମଣ କରିଥିଲା। ଇରାକ ଯୁଦ୍ଧ ୟୁରୋପୀୟ ସଂଘ ମଧ୍ୟରେ ଆଭ୍ୟନ୍ତରୀଣ ବିବାଦ ସୃଷ୍ଟି କଲା। ଫଳରେ ଫ୍ରାନ୍ସ ଏବଂ ଜର୍ମାନୀ ଭଳି ପୁରୁଣା ସଦସ୍ୟ ଦେଶଗୁଡ଼ିକ ଏହାକୁ ବିରୋଧ କରୁଥିବାବେଳେ, ପୋଲାଣ୍ଡ ଭଳି ନୂଆ ସଦସ୍ୟ ଏବଂ ବ୍ରିଟେନ ଭଳି ପୁରୁଣା ସଦସ୍ୟମାନେ ଆମେରିକାର ଅଭିଯାନକୁ ସମର୍ଥନ କରିଥିଲେ। ଉଭୟ ଯୁଦ୍ଧ ବିଫଳତାରେ ଶେଷ ହେଲା ଏବଂ ବୁଶଙ୍କ ରାଷ୍ଟ୍ରପତି ଶାସନ କାଳ ଏକ ବିଷାକ୍ତ ଉତ୍ତରାଧିକାରୀ ଛାଡ଼ିଗଲା। ୨୦୦୮ ବୁଖାରେଷ୍ଟ ଶିଖର ସମ୍ମିଳନୀରେ ଜର୍ଜିଆ ଏବଂ ୟୁକ୍ରେନକୁ ପରବର୍ତ୍ତୀ ସମୟରେ ନାଟୋ ସଦସ୍ୟତା ପ୍ରଦାନ କରିବାର ପ୍ରତିଶ୍ରୁତ ଦିଆଯାଇଥିଲା। ହେଲେ ଏହାର କୌଣସି ସମୟସୀମା କିମ୍ବା ପ୍ରକୃତ ସୁରକ୍ଷା ଗ୍ୟାରେଣ୍ଟି ନ ଥିଲା । ଏହି ପ୍ରତିଶ୍ରୁତି କ୍ରେମଲିନ (ରୁଷିଆ ପ୍ରଶାସନ) ମଧ୍ୟରେ ଆଶଙ୍କା ସୃଷ୍ଟି କଲା, କିନ୍ତୁ ଏହି ଦୁଇ ଦେଶର ସୁରକ୍ଷା ପାଇଁ ବାସ୍ତବରେ କିଛି ବି କଲା ନାହିଁ।
ପୁଟିନ ୨୦୦୦ରେ ରୁଷିଆର ରାଷ୍ଟ୍ରପତି ହେବା ପରେ ମନେହେଉଥିଲା ଯେ, ୧୯୯୦ ଦଶକର ବିଶୃଙ୍ଖଳା ପରେ ସ୍ଥିରତା ଆସିବ ଏବଂ ଅର୍ଥନୈତିକ ବିକାଶ ଘଟିବ। ଏପରି କି ସେପ୍ଟେମ୍ବର ୧୧ରେ ପୁଟିନ ନିଜର ସହାନୁଭୂତି ପ୍ରକାଶ କରିବା ପାଇଁ ବୁଶଙ୍କୁ ପ୍ରଥମେ ଫୋନ୍ କରିଥିଲେ ବୋଲି ଜଣାଯାଏ। କିନ୍ତୁ ସମ୍ପର୍କ ବେଶିଦିନ ତିଷ୍ଠିଲା ନାହିଁ। ୨୦୦୩ ରେ, ରୁଷିଆ ସରକାର ପୂର୍ବରୁ ବେସରକାରୀକରଣ ହୋଇଥିବା ବଡ଼ ଶକ୍ତି ସଂସ୍ଥା ‘ୟୁକୋସ୍’କୁ ନିଜ ଅଧୀନକୁ ନେଇଗଲେ ଏବଂ ଏହାର ମାଲିକ ମିଖାଇଲ୍ ଖୋଦୋରକୋଭସ୍କିଙ୍କୁ ଜେଲ ପଠାଇଦେଲେ। ୨୦୦୬ରେ, ରୁଷିଆର ପୂର୍ବତନ ଗୁପ୍ତଚର ଆଲେକ୍ସଜାଣ୍ଡାର୍ ଲିଟଭିନେଙ୍କୋଙ୍କୁ ଲଣ୍ଡନରେ ବିଷ ଦିଆଯାଇଥିଲା। ଏହାସହ ୨୦୦୭ରେ ମ୍ୟୁନିକ୍ ସୁରକ୍ଷା ସମ୍ମିଳନୀରେ ପୁଟିନ୍ ପାଶ୍ଚାତ୍ୟ ଦେଶଗୁଡ଼ିକର ଦୋମୁହଁା ନୀତି ଉପରେ ଅଭିଯୋଗ ଉଠାଇଥିଲେ। ରୁଷିଆ ଏବଂ ପାଶ୍ଚାତ୍ୟ ଦେଶଗୁଡ଼ିକ ଶୀତଳ ଯୁଦ୍ଧ ସମୟ ସୁରକ୍ଷା ବ୍ୟବସ୍ଥାରୁ ଦୂରେଇ ଯିବାର ସଙ୍କେତ ଏଥିରୁ ମିଳିଥିଲା।
ଆମେରିକୀୟ ଏକପାଖିଆ ନୀତି ଏବଂ ରୁଷିଆ କ୍ରମଶଃ କୋଣଠେସା ହେବାରୁ ପୁଟିନଙ୍କୁ ଏକ ସୁଧାରବାଦୀ ଜାତୀୟତାବାଦ ଏବଂ ନିର୍ଭୀକ ଏକଚ୍ଛତ୍ରବାଦ ଆଡ଼କୁ ଯିବାକୁ ବାଧ୍ୟ କରିଥିଲା। ଏହାସହ ସେ ଚାଇନା ଆଡ଼କୁ ଅଧିକ ଢଳିଥିଲେ। ଅଗଷ୍ଟ ୨୦୦୮ରେ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଲା। ବେଜିଂ ଅଲିମ୍ପିକ୍ସ ଚାଲିଥିଲାବେଳେ ରୁଷିଆ ଜର୍ଜିଆ ଉପରେ ଆକ୍ରମଣ କଲା, ଯାହା ୟୁକ୍ରେନ ଆକ୍ରମଣ ପାଇଁ ଏକ ପୂର୍ବାଭାସ ଦେଇଥିଲା।
ବୋଧହୁଏ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଏସିଆରେ ଘଟୁଥିଲା। ଡିସେମ୍ବର ୨୦୦୧ରେ, ଆମେରିକା ଏବଂ ୟୁରୋପୀୟ ସଂଘ ସମର୍ଥନରେ ଚାଇନା ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ)ରେ ଯୋଗଦେଇଥିଲା। ପାଶ୍ଚାତ୍ୟ ଦେଶଗୁଡ଼ିକ ଭାବିଥିଲେ ଯେ ବାଣିଜି୍ୟକ ଏକତ୍ରୀକରଣ ଚାଇନାର ଅର୍ଥନୈତିକ ମଡେଲକୁ ଉଦାରବାଦୀ ପୁଞ୍ଜିବାଦ ଆଡ଼କୁ ଟାଣି ଆଣିବ। କିନ୍ତୁ ଏହାର ବିପରୀତରେ ଚାଇନା କଠୋର ଭାବେ ନିୟନ୍ତ୍ରିତ ରାଷ୍ଟ୍ରାୟତ୍ତ ପୁଞ୍ଜିବାଦକୁ ଆପଣାଇଥିଲା। ଚାଇନାର ଏହି ମଡେଲ ଦୁର୍ବଳ ହେବା ବଦଳରେ ଏକ ଶକ୍ତିଶାଳୀ ଭୂ-ରାଜନୈତିକ ଅସ୍ତ୍ର ପାଲଟିଗଲା, ଯାହାର ଜବାବ ଦେବାରେ ପାଶ୍ଚାତ୍ୟ ମଡେଲ ଅସମର୍ଥ ହୋଇଛି। ଆମେରିକା ରାଷ୍ଟ୍ରପତି ବାରାକ ଓବାମା ତାଙ୍କ ଦ୍ୱିତୀୟ କାର୍ଯ୍ୟକାଳରେ ପ୍ରଥମେ ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆମେରିକା ଡବ୍ଲ୍ୟୁଟିଓର ସଂସ୍କାର ଆଶା ଛାଡ଼ି ଦୁଇଟି ବ୍ୟାପକ ବାଣିଜ୍ୟ ଚୁକ୍ତି ଆରମ୍ଭ କଲା; ଯେଉଁଥିରେ ଚାଇନାକୁ ବାଦ୍ ଦେଇଥିଲା।
୨୦୧୨ରେ ଶି ଜିନ୍ପିଙ୍ଗ ଚାଇନାର କ୍ଷମତାକୁ ଆସିଲେ ଏବଂ ସମାଜ ଉପରେ ଏକ ଅଦ୍ଭୁତପୂର୍ବ କର୍ତ୍ତୃତ୍ୱ ଓ ନିୟନ୍ତ୍ରଣ କେନ୍ଦ୍ରୀଭୂତ କରିବା ଆରମ୍ଭ କଲେ। ୨୦୧୭ରେ ତାଙ୍କ ରାଜନୈତିକ ମତବାଦକୁ ଦଳର ସମ୍ବିଧାନରେ ସାମିଲ କରାଗଲା ଏବଂ ଏହାର ବର୍ଷକ ପରେ ନାଶନାଲ ପିପୁଲ୍ସ କଂଗ୍ରେସ ରାଷ୍ଟ୍ରପତି ପଦର ସମୟ ସୀମା ଉଚ୍ଛେଦ କରିଦେଲା। ସେବେଠାରୁ ଶି କ୍ଷମତାକୁ ଅଧିକ କେନ୍ଦ୍ରୀଭୂତ କରିଛନ୍ତି ଏବଂ ଚାଇନାର ନାଗରିକ ତଥା ଶୈକ୍ଷିକ ଜୀବନକୁ ବିଶ୍ୱଠାରୁ ପୃଥକ କରିଦେଇଛନ୍ତି। ୨୦୧୭ରେ ଚାଇନା ହ୍ବାଟ୍ସଆପ୍ ଏବଂ ସ୍କାଇପ୍କୁ ନିଷିଦ୍ଧ କରିଦେଲା। ଫଳରେ ଚାଇନାର ଭଦ୍ର ସମାଜ ଏବଂ ବ୍ୟବସାୟ ମାଲିକଙ୍କ ପାଇଁ ପାଶ୍ଚାତ୍ୟ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କଷ୍ଟକର ହୋଇଗଲା। ଗତ ୫ ବର୍ଷ ମଧ୍ୟରେ ଅନେକ ଶହ ବରିଷ୍ଠ ଅଧିକାରୀ ଓ ସାମରିକ ଅଫିସରଙ୍କ ବିରୋଧରେ ତଦନ୍ତ କରାଯାଇ ସେମାନଙ୍କୁ ପଦରୁ ହଟାଇ ଦିଆଯାଇଛି କିମ୍ବା ବହିଷ୍କାର କରାଯାଇଛି।
୧୧ ସେପ୍ଟେମ୍ବର ୨୦୦୧ ପରେ ବିଶ୍ୱ ଏକ ଭିନ୍ନ ମୋଡ଼ ନେଇପାରିଥାନ୍ତା। କିନ୍ତୁ ଏହା ବଦଳରେ ପ୍ରମୁଖ ଶକ୍ତିଗୁଡ଼ିକ ସୁରକ୍ଷା ଏବଂ କ୍ଷମତାର ଏକ ଅତି ସଂକୀର୍ଣ୍ଣ ବୁଝାମଣା ମଧ୍ୟରେ ସୀମାବଦ୍ଧ ହୋଇ ରହିଗଲେ। ଆମେରିକା ‘ଜୋର୍ ଯା’ର ମୁଲକ ତାର’ ନୀତି ଆପଣାଇଲା। ରୁଷିଆ ଏକ ଯୁଦ୍ଧଖୋର ଦେଶ ପାଲଟିଗଲା ଏବଂ ଚାଇନା ନିଜର ଅର୍ଥନୈତିକ ମଡେଲକୁ କ୍ଷମତାର ଏକ ଏଭଳି ଅସ୍ତ୍ର କରିଦେଲା ଯେ, ଯାହାକୁ ଏଯାବତ ପାଶ୍ଚାତ୍ୟ ଦେଶଗୁଡ଼ିକ ମୁକାବିଲା କରିପାରୁନାହାନ୍ତି। ୟୁରୋପୀୟ ଦେଶଗୁଡ଼ିକ ଭାବୁଛନ୍ତି, ଆମେ ଆଉ ଆମେରିକାର ସୁରକ୍ଷା ଉପରେ ନିର୍ଭର କରିପାରିବା ନାହିଁ, ରୁଷିଆର ମୁକାବିଲା ପାଇଁ ୟୁରୋପକୁ ଏକ ବିଶ୍ୱସ୍ତ ସାମରିକ ବାହିନୀ ଗଠନ କରିବାକୁ ହେବ; ଚାଇନାର ଅର୍ଥନୈତିକ ନିୟନ୍ତ୍ରଣବାଦରୁ ଅର୍ଥନୀତିକୁ ରକ୍ଷା କରିବା ପାଇଁ ରଣନୀତି ପ୍ରସ୍ତୁତ କରିବାକୁ ହେବ। ୟୁରୋପ ଶେଷରେ ଏହି ପଥ ଆପଣାଇବ କି ନାହିଁ, ତାହା ଦେଖିବାକୁ ବାକି ରହିଲା।
ଜାଭିଏର
ସୋଲାନା
ନାଟୋର ପୂର୍ବତନ ମହାସଚିବ ତଥା ସ୍ପେନର ପୂର୍ବତନ ବୈଦେଶିକ ମନ୍ତ୍ରୀ
ଆଞ୍ଜେଲ
ସାଜ୍-କାରାଞ୍ଜା
ନିର୍ଦ୍ଦେଶକ,ଏସାଡେ ସେଣ୍ଟର ଫର୍ ଗ୍ଲୋବାଲ ଇକୋନୋମୀ ଆଣ୍ଡ୍ ଜିଓପଲିଟିକ୍ସ
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।