ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

Sep 21, 2026 - 15:50
ବିଳମ୍ବିତ ରାତିରେ ନିଖୋଜ ହୋଇଗଲା ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା, ଆଉ ତା’ପରେ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଗଞ୍ଜାମ ଜିଲା ମେରାଇନ ଥାନା ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରୁ ଏକ ମତ୍ସ୍ୟଜୀବୀଙ୍କ ଡଙ୍ଗା ନିଖୋଜ ହୋଇଯାଇଥିବା ଖବର ସାମନାକୁ ଆସିଛି। ମେରାଇନ ଥାନା ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ମତ୍ସ୍ୟଜୀବୀ ଜି. ମୋହନ ରାଓଙ୍କ ବ୍ୟବହୃତ ଡଙ୍ଗା ରବିବାର ବିଳମ୍ବିତ ରାତିରେ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ ଅଭିଯୋଗ କରିଛନ୍ତି। ଡଙ୍ଗାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି।

ସୂଚନା ମୁତାବକ, ମୋହନ ରବିବାର ସାରେ ତାଙ୍କ ପଞ୍ଜୀକୃତ ଡଙ୍ଗା (ନଂ.IND-OR-07-MO-3295)କୁ ଆର୍ଯ୍ୟପଲ୍ଲୀ ଫିସେରୀ ଜେଟିରେ ରଖିଥିଲେ। ହେଲେ ଡଙ୍ଗା ସେଠାରେ ନ ଥିବା ଦେଖି ସେ ଖୋଜାଖୋଜି କରିଥିଲେ। ହେଲେ ଡଙ୍ଗାର କୌଣସି ସନ୍ଧାନ ପାଇ ନ ଥିଲେ। ଅଭିଯୋଗ ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ପ୍ରକୃତରେ ଡ଼ଙ୍ଗା ନିଖୋଜ ହୋଇଛି ନା ଚୋରି ହୋଇଯାଇଛି ତାହା ଅଧିକ ତଦନ୍ତରୁ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷେ ଗଞ୍ଜାମ ଜିଲା ଉପକୁଳକୁ ମାଡ଼ି ଆସୁଛି ବଙ୍ଗୋପସାଗର ମଧ୍ୟ ଭାଗରେ ଥିବା ଗଭୀର ଅବପାତ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ଯେ, ସମଗ୍ର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ମତ୍ସ୍ୟଜୀବୀମାନଙ୍କୁ ଆଗାମୀ ୨୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବା ପାଇଁ ପାଣିପାଗ ବିଭାଗ ଓ ଜିଲା ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ଏହା ସହିତ ଯେଉଁ ମତ୍ସ୍ୟଜୀବୀମାନେ ସମୁଦ୍ରରେ ରହିଛନ୍ତି ସେମାନଙ୍କୁ ୨୧ ତାରିଖ ସା ସୁଦ୍ଧା କୂଳକୁ ଫେରିଆସିବା ପାଇଁ କୁହାଯାଇଛି।

ସମୁଦ୍ର ଭିତରକୁ ଯିବା ପାଇଁ ବାରଣ ହୋଇଥିବାରୁ ଅନେକ ମତ୍ସ୍ୟଜୀବୀମାନେ ଜାଲ ବୁଣୁଥିବା ଦେଖିବାକୁ ମିଳିଛି। ଅଶାନ୍ତ ସମୁଦ୍ରକୁ ସେମାନେ ଚାହିଁ ରହିଥିବା ବେଳେ ଗଭୀର ଅବପାତ ଅତିକ୍ରମ ହେଲା ପରେ ପୁଣି ମତ୍ସ୍ୟଜୀବୀମାନେ ମାଛ ଧରିବା ପାଇଁ ସମୁଦ୍ର ଭିତରକୁ ଯିବେ ବୋଲି ଆଶା ପ୍ରକାଶ କରିଛନ୍ତି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।