ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

Sep 12, 2026 - 07:31
ବୈଜ୍ଞାନିକଙ୍କ ଆକଳନଠାରୁ ଦ୍ରୁତଗତିରେ ସଙ୍କୁଚିତ ହେଉଛି ବୁଧ

କେପ୍‌ କାନାଭେରାଲ,୧୨ା୯: ଆମ ସୌରମଣ୍ଡଳର ସବୁଠାରୁ ଛୋଟ ଏବଂ ସୂର୍ଯ୍ୟର ସବୁଠାରୁ ନିକଟତର ଗ୍ରହ ‘ବୁଧ’କୁ ନେଇ ଏକ ଚମକପ୍ରଦ ତଥ୍ୟ ସାମ୍ନାକୁ ଆସିଛି। ବୈଜ୍ଞାନିକମାନଙ୍କ ଆକଳନ ତୁଳନାରେ ଏହି ଗ୍ରହଟି ଅଧିକ ଦ୍ରୁତଗତିରେ ସଙ୍କୁଚିତ (ଛୋଟ) ହେବାରେ ଲାଗିଛି। ମହାକାଶ ବିଜ୍ଞାନରେ ଏହାକୁ ଏକ ଅଙ୍ଗୁର ଶୁଖି କିସ୍‌ମିସ୍‌ ହେବା ସହ ତୁଳନା କରାଯାଇଛି।
ଜର୍ମାନ୍‌ ଏରୋସ୍ପେସ୍‌ ସେଣ୍ଟରର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସ୍ପେସ୍‌ ରିସର୍ଚ୍ଚର ବୈଜ୍ଞାନିକଙ୍କ ରିପୋର୍ଟ ଅନୁସାରେ, ବୁଧ ଗ୍ରହର ସଂକୋଚନ ପୂର୍ବ ବିଶ୍ୱାସଠାରୁ ପ୍ରାୟ ୩୦ ପ୍ରତିଶତ ଅଧିକ ହୋଇଥାଇପାରେ। ଗ୍ରହଟି ନିଜ ବ୍ୟାସାର୍ଦ୍ଧରୁ ପ୍ରାୟ ୧୪ ମାଇଲ (୨୩ କିଲୋମିଟର) ହରାଇ ସାରିଛି, ଯାହାକି ମାତ୍ର ୩,୦୦୦ ମାଇଲ (୪,୯୦୦ କିଲୋମିଟର) ଓସାର ବିଶିଷ୍ଟ ଏକ ଛୋଟ ଗ୍ରହ ପାଇଁ ବହୁ ବଡ଼ କଥା। ‘ଜିଓଫିଜିକାଲ ରିସର୍ଚ୍ଚ ଲେଟର୍ସ’ ପତ୍ରିକାରେ ଏହି ଗବେଷଣା ତଥ୍ୟ ପ୍ରକାଶ ପାଇଛି।
ବୈଜ୍ଞାନିକମାନଙ୍କ ସୂଚନା ଅନୁସାରେ, ବୁଧ ଗ୍ରହର ପୃଷ୍ଠଭୂମି ଅତ୍ୟନ୍ତ ଓଲଟପାଲଟ ଏବଂ ଏଠାରେ ବଡ଼ ବଡ଼ ଆଗ୍ନେୟଗିରିର ଗର୍ତ୍ତ ବା ଖାଲ ରହିଛି। ମହାକାଶରୁ ଆସୁଥିବା ଉଲ୍‌କାପିଣ୍ଡ ମାଡ଼ ଯୋଗୁ ସୃଷ୍ଟି ହେଉଥିବା ବଳକା ଅଂଶ ବା ପଥର ଗୁଣ୍ଡ ଯୋଗୁ ଗ୍ରହର ପ୍ରକୃତ ସଂକୋଚନ (କୁଞ୍ଚନ) ଗୁଡ଼ିକ ଢାଙ୍କିହୋଇ ରହିଥିଲା। ମୁଖ୍ୟ ଗବେଷକ ଗାକୁ ନିଶିୟାମା ଏବଂ ତାଙ୍କ ଟିମ୍‌ ଯେତେବେଳେ ପୁରୁଣା ମାନଚିତ୍ର ସହ ନୂଆ ପୃଷ୍ଠଭୂମିର ତୁଳନାକଲେ, ସେତେବେଳେ ଜଣାପଡ଼ିଲା ଯେ ଅନେକ ସଂକୁଚିତ ଗାର ବା କୁଞ୍ଚନ ଏହି ପଥର ଗୁଣ୍ଡ ତଳେ ପୋତିହୋଇଯାଇଛି।
ପ୍ରାୟ ୪.୫ ବିଲିୟନ (୪୫୦ କୋଟି) ବର୍ଷ ପୂର୍ବେ ସୃଷ୍ଟିହେବା ଦିନଠାରୁ ବୁଧ ଗ୍ରହ କ୍ରମାଗତ ଭାବେ ସଂକୁଚିତ ହେଉଛି। ଏହାର କାରଣ ହେଉଛି ଗ୍ରହର ଭିତର ଭାଗରେ ଥିବା ପ୍ରଚଣ୍ଡ ଗରମ ଆଇରନ(ଲୁହା) କୋର୍‌ ଧୀରେ ଧୀରେ ଥଣ୍ଡା ହେବାରେ ଲାଗିଛି। ଏହି ଆଭ୍ୟନ୍ତରୀଣ ଥଣ୍ଡା ଯୋଗୁ ଗ୍ରହର ବାହ୍ୟ ଆସ୍ତରଣ ଚମଡ଼ା ଭଳି ସଂକୁଚିତ ହୋଇ କୁଞ୍ଚନ ସୃଷ୍ଟି କରୁଛି।
୨୦୧୦ ଦଶକରେ ନାସାର ‘ମେସେଞ୍ଜର’ ମହାକାଶଯାନରୁ ମିଳିଥିବା ତଥ୍ୟ ଆଧାରରେ ଏହି ଗବେଷଣା କରାଯାଇଛି। ତେବେ ୟୁରୋପୀୟ ଏବଂ ଜାପାନୀ ମହାକାଶ ସଂସ୍ଥାର ମିଳିତ ମହାକାଶଯାନ ‘ବେପିକୋଲମ୍ବୋ’ ବର୍ତ୍ତମାନ ବୁଧ ଗ୍ରହ ଅଭିମୁଖେ ଗତି କରୁଛି। ଏହି ଯାନରେ ଥିବା ଲେଜର ଯନ୍ତ୍ରାଂଶ ସାହାଯ୍ୟରେ ବୁଧ ଗ୍ରହର ପ୍ରକୃତ ସଂକୋଚନ ସ୍ଥିତି ଏବଂ ଏହାର କ୍ରମବିକାଶ ସମ୍ପର୍କରେ ଆହୁରି ସ୍ପଷ୍ଟ ସୂଚନା ମିଳିପାରିବ ବୋଲି ବୈଜ୍ଞାନିକମାନେ ଆଶା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।