ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଲା: ପେଶାଦାର ଅପରାଧୀଙ୍କୁ ହତ୍ୟା
ବ୍ରହ୍ମପୁର, ୪/୧୦ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରରେ ପୁଣି ଏକ ମୁଣ୍ଡ ଗଡ଼ିଛି। ଘଟଣାଟି ନିମଖଣ୍ଡି ଗାଁ ମୁଣ୍ଡରେ ଘଟିଛି। ଜଣେ ପେଶାଦାର ଅଭିଯୁକ୍ତଙ୍କ ବେକ କାଟି ହତ୍ୟା କରାଯାଇଛି। ମୃତ ଯୁବକ ଜଣକ ଉକ୍ତ ଗ୍ରାମର ଟୁନା ନାୟକ (୨୮)। ମୃତକଙ୍କ ନାମରେ ୮ରୁ ଊର୍ଦ୍ଧ୍ୱ ହତ୍ୟା, ଦାଦାବଟି ଭଳି ସଙ୍ଗିନ ମାମଲା ରହିଥିବା ପୋଲିସ କହିଛି।
ଅନ୍ୟପକ୍ଷରେ, ପୋଲିସ ହତ୍ୟାକାରୀଙ୍କୁ ଗିରଫ କରିଥିବା କହିଛି। ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଗ୍ରାମର ରାଘବ ସାହୁ (୩୨)। ପୋଲିସ ଦୁଇଟି ଛୁରୀ ଓ ସ୍କୁଟି ଜବତ କରି ଘଟଣାର ଛାନ୍ଭିନ୍ କରୁଛି। ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ଘଟଣାସ୍ଥଳରୁ ଜୈବ ନମୁନା ସଂଗ୍ରହ କରାଯାଇଛି।
ଘଟଣାରୁ ପ୍ରକାଶ ଯେ, ରାଘବ ସାହୁ ଗାଁରେ ଏକ ଫାଷ୍ଟଫୁଡ୍ ଦୋକାନ କରିଛନ୍ତି। ଅନ୍ୟପକ୍ଷରେ ଟୁନା ନାୟକ ଜଣେ ପେଶାଦାର ଅପରାଧୀ ଥିବା ବେଳେ ଗାଁରେ ଭାଇଗିରି କରୁଥିବା ପୋଲିସ କହିଛି। ଟୁନା ଓ ତାଙ୍କ ସହଯୋଗୀମାନେ ଉକ୍ତ ଫାଷ୍ଟଫୁଡ୍ ଦୋକାନରୁ ମାଗଣାରେ ଖାଇବା ସହ ଦୋକାନ ମାଲିକ ରାଘବଙ୍କୁ ଦାଦାବଟି ମାଗିଆସୁଥିଲେ। ଏହାକୁ ନେଇ ରାଘବ ପ୍ରତିଶୋଧପରାୟଣ ହୋଇ ଟୁନାଙ୍କୁ ହତ୍ୟା କରିବା ପାଇଁ ସୁଯୋଗ ଖୋଜୁଥିବା ପୋଲିସ କହିଛି।
ଶନିବାର ସନ୍ଧ୍ୟାରେ ରାଘବଙ୍କ ଦୋକାନ ବନ୍ଦ ଥିବା ବେଳେ ଟୁନା ଓ ଅନ୍ୟ କିଛି ଯୁବକ ମଦ୍ୟପାନ କରିବା ପାଇଁ ଗାଁ ମୁଣ୍ଡରେ ଥିବା ଏକ ଘରକୁ ଯାଇଥିଲେ। ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଟୁନା ମାତ୍ରାଧିକ ନିଶାସକ୍ତ ଥିବା ବେଳେ ଏହାର ସୁଯୋଗ ନେଇ ରାଘବ ନିଜ ସ୍କୁଟିରେ ରଖିଥିବା ଛୁରୀ ବାହାର କରି ତାଙ୍କ ବେକ କାଟି ଦେଇଥିବା ପୋଲିସ କହିଛି।
ପ୍ରଚୁର ରକ୍ତସ୍ରାବ ଯୋଗୁ ଟୁନାଙ୍କ ମୃତ୍ୟୁ ଘଟିଥିବା ପୋଲିସ କହିଛି। ମୃତକଙ୍କ ଭାଇ ମୁନା ନାୟକଙ୍କ ଅଭିଯୋଗ ଆଧାରରେ ପୋଲିସ ୩୧୦/୨୬ ନମ୍ବରରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।