ଭାରତ-ପାକ୍ ନୌସେନା ଜାହାଜ ମୁହାଁମୁହିିଁ ଧକ୍କା
ନୂଆଦିଲ୍ଲୀ, ୧୭ା୯ : ଆରବ ସାଗରସ୍ଥିତ ଅନ୍ତର୍ଜାତୀୟ ଜଳଭାଗରେ ପାକିସ୍ତାନୀ ନୌସେନାର ଏକ ଜାହାଜ ଅତ୍ୟନ୍ତ ବେପରୁଆ ଭାବେ ଗତିକରି ଭାରତୀୟ ନୌସେନାର ଜାହାଜ ସହ ମୁହାଁମୁହିଁ ଧକ୍କା ହୋଇଛି। ଏହି ‘ଅଗ୍ରହଣୀୟ ଆଚରଣ’କୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (ଏମ୍ଇଏ) ବୁଧବାର ନୂଆଦିଲ୍ଲୀସ୍ଥିତ ପାକିସ୍ତାନୀ କାର୍ଯ୍ୟକାରୀ କୂଟନୀତିଜ୍ଞଙ୍କୁ ସମନ କରି ନିଜର କଡ଼ା ପ୍ରତିବାଦ ଦର୍ଶାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ସମୁଦ୍ରରେ ପାକିସ୍ତାନୀ ନୌସେନାର ଅସୌଜନ୍ୟ ଆଚରଣ ଯୋଗୁ ଏହି ଘଟଣା ଘଟିଛି। ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ସମସ୍ତ ସାମରିକ ୟୁନିଟ୍ଗୁଡ଼ିକ ଆବଶ୍ୟକ ସାବଧାନତା ଅବଲମ୍ବନ କରିବା ସହ ଦୁଇ ଦେଶ ମଧ୍ୟରେ ଥିବା ଦ୍ୱିପାକ୍ଷିକ ଚୁକ୍ତିକୁ ସମ୍ମାନ ଦେବା ପାଇଁ ପାକିସ୍ତାନ କୂଟନୀତିଜ୍ଞଙ୍କୁ କୁହାଯାଇଛି। ଏହି ସଂଘର୍ଷରେ ଭାରତୀୟ ଜାହାଜର କୌଣସି ବଡ଼ଧରଣର କ୍ଷତି ହୋଇନାହିଁ। ତେବେ ପାକିସ୍ତାନୀ ନୌସେନାର ଏହି କାର୍ଯ୍ୟାନୁଷ୍ଠାନ ୧୯୯୧ ଏପ୍ରିଲରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ବାକ୍ଷରିତ ‘ସୈନ୍ୟ ଅଭ୍ୟାସ, କ୍ରିୟାକଳାପ ଓ ସୈନ୍ୟ ଚଳାଚଳର ଅଗ୍ରିମ ସୂଚନା’ ସମ୍ପର୍କିତ ଚୁକ୍ତିର ଅନୁଚ୍ଛେଦ ୧୦ର ସିଧାସଳଖ ଉଲ୍ଲଂଘନ କରୁଛି। ଏହି ଘଟଣାକୁ ନେଇ ଇସ୍ଲାମାବାଦସ୍ଥିତ ଭାରତୀୟ କାର୍ଯ୍ୟକାରୀ କୂଟନୀତିଜ୍ଞଙ୍କୁ ମଧ୍ୟ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ନିକଟରେ ସମାନ ଧରଣର ଆନୁଷ୍ଠାନିକ ପ୍ରତିବାଦ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।