ଭୟଙ୍କର ଦୁର୍ଘଟଣା; ଟ୍ରକ୍-ବାଇକ୍ ଧକ୍କାରେ ଆଖିବୁଜିଲେ ଉପେନ୍ଦ୍ର
ପାରଳାଖେମୁଣ୍ଡି, ୭।୧୦ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ୍ ଅନ୍ତର୍ଗତ ଗୁରାଣ୍ଡା ଥାନା ପାଟିକୋଟା ଗ୍ରାମ ନିକଟରେ ଟ୍ରକ୍-ବାଇକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଅଗରଖଣ୍ଡି ପଞ୍ଚାୟତ ବଡ଼ଗାଁର ଉପେନ୍ଦ୍ର ବରାଡ଼ (୨୩)।
ସୂଚନାନୁଯାୟୀ, ଉପେନ୍ଦ୍ର ନିଜ ୟାମାହା ଏଫ୍ଜେଡ୍ ବାଇକ୍ (ଓଡି-୨୦-ସି-୮୪୫୯) ଯୋଗେ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲେ । ଏହି ସମୟରେ ବିପରୀତ ଦିଗରୁ ପାରଳାଖେମୁଣ୍ଡିରୁ ନୂଆଗଡ଼ ଅଭିମୁଖେ ଯାଉଥିବା ଆଳୁ-ପିଆଜ ବୋଝେଇ ଏକ ମିନିଟ୍ରକ୍ ସହ ତାଙ୍କ ବାଇକ୍ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଉପେନ୍ଦ୍ର ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପାରଳାଖେମୁଣ୍ଡି ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଉପେନ୍ଦ୍ରଙ୍କ ମୃତ୍ୟୁ ଘଟିଥିଲା।
ଖବର ପାଇ ଗୁରାଣ୍ଡା ଥାନାଧିକାରୀ ଅଶ୍ୱିନୀ କୁମାର ଭିତରିଆଙ୍କ ତତ୍ତ୍ୱାବଧାନରେ ଏଏସ୍ଆଇ ରାମକୃଷ୍ଣ ପାଣିଗ୍ରାହୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପୋଲିସ ଦୁର୍ଘଟଣାଗ୍ରସ୍ତ ମିନିଟ୍ରକ୍ ଓ ବାଇକ୍କୁ ଜବତ କରିଛି। ଏନେଇ ଗୁରାଣ୍ଡା ଥାନାରେ ମାମଲା ନଂ. ୧୭୩/୨୬ ରୁଜୁ କରାଯାଇ ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।