ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ: ଉଚ୍ଛେଦ ଦାବିରେ ଶତାଧିକ ମହିଳା-ପୁରୁଷଙ୍କ ବିକ୍ଷୋଭ

Oct 10, 2026 - 15:33
ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ: ଉଚ୍ଛେଦ ଦାବିରେ ଶତାଧିକ ମହିଳା-ପୁରୁଷଙ୍କ ବିକ୍ଷୋଭ

ଅମରପାଲି, ୮।୧୦ (ପୀତାମ୍ବର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲିଆସୁଥିବା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁଁ ଗ୍ରାମରେ ଅଶାନ୍ତି, ଅସାମାଜିକ କାର୍ଯ୍ୟକଳାପ ଓ ମଦ୍ୟପଙ୍କ ଉତ୍ପାତ ବଢ଼ୁଥିବା ଅଭିଯୋଗ କରି ଗ୍ରାମବାସୀ ଏହାକୁ ଉଚ୍ଛେଦ କରିବାକୁ ଦାବି କରିଛନ୍ତି। ଏନେଇ ଗୁରୁବାର ଶତାଧିକ ମହିଳା ଓ ପୁରୁଷ ମଦଭାଟି ସମ୍ମୁଖରେ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

ଗ୍ରାମବାସୀଙ୍କ କହିବାନୁଯାୟୀ, ପୂର୍ବରୁ ଉକ୍ତ ଭାଟିକୁ ଅନ୍ୟ ସ୍ଥାନରୁ ମଦ ଆଣି ବିକ୍ରି କରାଯାଉଥିଲା। ପରବର୍ତ୍ତୀ ସମୟରେ ଏଠାରେ ମହୁଲି ମଦ ପ୍ରସ୍ତୁତ କରି ବିକ୍ରି କରାଯାଉଛି। ଏହା ସହିତ ଭାଟିରୁ କୁଚିଆ ବ୍ୟବସାୟୀଙ୍କୁ ମଦ ଯୋଗାଇ ଦିଆଯାଉଥିବା ଏବଂ ସେମାନେ ଆଖପାଖ ଗ୍ରାମରେ ଏହାକୁ ବିକ୍ରି କରୁଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ବୀରମହାରାଜପୁର-ରେଢ଼ାଖୋଲ ମୁଖ୍ୟ ରାସ୍ତାକୁ ଲାଗି ଏହି ମଦଭାଟି ରହିଥିବାରୁ ଯାତାୟାତ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ୁଥିବା ଗ୍ରାମବାସୀ କହିଛନ୍ତି। ମଦ୍ୟପମାନେ ରାସ୍ତାକଡ଼ରେ ଆଡ଼ା ଜମାଉଥିବାରୁ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଛାତ୍ରଛାତ୍ରୀ, ମହିଳା ଓ ପଥଚାରୀମାନେ ଅସୁରକ୍ଷିତ ଅନୁଭବ କରୁଥିବା ଅଭିଯୋଗ ହୋଇଛି। ଏପରିକି, ଅନେକ ସମୟରେ ମଦ୍ୟପାନକୁ କେନ୍ଦ୍ର କରି ଗଣ୍ଡଗୋଳ ଓ ମାରପିଟ୍‌ ହେଉଥିବା ମଧ୍ୟ ଗ୍ରାମବାସୀ କହିଛନ୍ତି।

ମଦଭାଟି ଯୋଗୁଁ ଅଳ୍ପ ବୟସର ପିଲାମାନେ ମଧ୍ୟ ମଦ୍ୟପାନ ପ୍ରତି ଆକର୍ଷିତ ହେଉଥିବା ଏବଂ ଏହାର ପ୍ରଭାବରେ ଗ୍ରାମର ସାମାଜିକ ପରିବେଶ ନଷ୍ଟ ହେଉଥିବା ଅଭିଯୋଗ ହୋଇଛି। ମଦ୍ୟପାନକୁ କେନ୍ଦ୍ର କରି ଗ୍ରାମରେ ପୂର୍ବରୁ ଦୁଇଟି ହତ୍ୟାକାଣ୍ଡ ଘଟିଥିବା ମଧ୍ୟ ଗ୍ରାମବାସୀ ଦାବି କରିଛନ୍ତି।

ଏହି ସମସ୍ୟାର ପ୍ରଭାବ ଛାତ୍ରଛାତ୍ରୀଙ୍କ ଉପରେ ପଡ଼ୁଥିବା ଅନୁଭବ କରି ଗ୍ରାମବାସୀଙ୍କ ପକ୍ଷରୁ ଏକ ବୈଠକ ଡକାଯାଇଥିଲା। ଗ୍ରାମର ଅଶାନ୍ତି ଓ ଅସାମାଜିକ କାର୍ଯ୍ୟକଳାପର ମୁଖ୍ୟ କାରଣ ମଦ ବୋଲି ଅଭିଯୋଗ କରି ମଦଭାଟି ବନ୍ଦ କରିବାକୁ ସେମାନେ ନିଷ୍ପତ୍ତି ନେଇଥିଲେ। ଏନେଇ ଗ୍ରାମବାସୀ ସୁବର୍ଣ୍ଣପୁର ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଅବକାରୀ ଅଧୀକ୍ଷକ, ବୀରମହାରାଜପୁର ଉପଖଣ୍ଡ ପୋଲିସ ଅଧିକାରୀ, ଉପଜିଲ୍ଲାପାଳ ଏବଂ ସୁବଳୟା ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରି ମଦଭାଟି ବନ୍ଦ କରିବାକୁ ଦାବି ଜଣାଇଥିଲେ। ମାତ୍ର, ପ୍ରଶାସନ ଏନେଇ କୌଣସି ପଦକ୍ଷେପ ନେଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ତେଣୁ ଗ୍ରାମ୍ୟ ବୈଠକର ନିଷ୍ପତ୍ତି ଅନୁଯାୟୀ, ଗୁରୁବାର ଶତାଧିକ ମହିଳା ଓ ପୁରୁଷ ମଦଭାଟି ନିକଟରେ ପହଞ୍ଚି ଏହାକୁ ବନ୍ଦ କରିବାକୁ ଦାବି କରିଥିଲେ। ଏହା ସହିତ ଆସନ୍ତା ୧୦ ତାରିଖ ସୁଦ୍ଧା ମଦଭାଟି ବନ୍ଦ କରି ଉଚ୍ଛେଦ କରା ନଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ଖବର ପାଇ ସୁବଳୟା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।

ଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ପୀତାମହୁଲ ଗ୍ରାମ୍ୟ ପରିଚାଳନା କମିଟିର ସଦସ୍ୟମାନେ କୁଞ୍ଜାମହୁଲ, ଗରିଆମୁଣ୍ଡା, ଠାକୁରପୁର, କାଶଲପୁର, ଭାଟପଦର, ବୁରମାଲ, ଟେଭାପଦର, ଦୁରଦୁରା ଓ ଡୁଲେଶ୍ୱର ଆଦି ଗ୍ରାମକୁ ଯାଇ ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ଅନୁରୋଧ କରିଛନ୍ତି। ଆସନ୍ତା ୧୦ ତାରିଖରେ ଏହି ସମସ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ମଦଭାଟି ବନ୍ଦ ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଏହି ଆନ୍ଦୋଳନରେ ପୀତାମହୁଲ ଗ୍ରାମ୍ୟ ପରିଚାଳନା କମିଟିର ସଭାପତି ମଧୁସୂଦନ ପଣ୍ଡା, ଉପସଭାପତି ଭୀଷ୍ମ କୁମାର ଦନ୍ତା, ସମ୍ପାଦକ ଶ୍ରୀକାନ୍ତ କର୍ମୀ, ସହସମ୍ପାଦକ ବିଶ୍ୱଜିତ ସାହୁ, କୋଷାଧ୍ୟକ୍ଷ ହେମନ୍ତ ସେଠୀ, ସଦସ୍ୟ ଭାଗିରଥୀ ମାଝୀ, ହରିଶଙ୍କର ଭୋଇ, ଶାମ୍ବକାର ଖେତି, ମାନଭଞ୍ଜନ ଜେନା, ସ୍ଥାନୀୟ ସମିତି ସଭ୍ୟ ସଇନ୍ଦୁ ସାହୁ, ରାଜକୁମାର ଅଙ୍ଗ୍ରିଆ, ଦିବ୍ୟଲୋଚନ ଗଡୁଆ, ପୂର୍ବତନ ସରପଞ୍ଚ ରଘୁନାଥ ସେଠୀ, ଆର୍ତ୍ତତ୍ରାଣ ମାଝୀ, ନରେନ୍ଦ୍ର ସାହୁ, ପଦ୍ମଲୋଚନ ନାଏକ, ଜଗବନ୍ଧୁ ଗେଜ୍‌, ମୁନ୍ନା ସେଠୀ ଓ ସମାରୁ ମେହେର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।