ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ
ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ ନାହଁାନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ’ପାକିସ୍ତାନ ତେହରିକ-ଏ-ଇନସାଫ’ (PTI) ଦ୍ୱାରା ଆୟୋଜିତ ହେବାକୁ ଥିବା ଇସଲାମାବାଦ ମାର୍ଚ୍ଚ ପୂର୍ବରୁ ଦେଶରେ ରାଜନୈତିକ ହିଂସା ଚରମ ସୀମାରେ ପହଞ୍ଚିଛି।
ଖୈବର ପଖତୁନଖୱା (KP) ପ୍ରଦେଶରେ ଶାସନରେ ଥିବା PTI ସରକାରର ଦୁଇଜଣ ଶୀର୍ଷ ନେତାଙ୍କୁ ସରସାଧାରଣରେ ଆକ୍ରମଣ କରାଯାଇଛି। ଇସଲାମାବାଦ ଅଭିମୁଖେ ପ୍ରସ୍ତାବିତ ଶୋଭାଯାତ୍ରାକୁ ନେଇ ବୃଦ୍ଧି ପାଉଥିବା ଉତ୍ତେଜନା ମଧ୍ୟରେ, PTI ଅଭିଯୋଗ କରିଛି ଯେ, ଖୈବର ପଖତୁନଖୱା (KP) ରେ PTI ନେତୃତ୍ୱାଧୀନ ସରକାରର ଜଣେ ମନ୍ତ୍ରୀ ଫଜଲ ଶାକୁର୍ ଖାନ୍ଙ୍କୁ ଅପହରଣ କରାଯାଇଛି। ଏହା ବ୍ୟତୀତ, କ୍ୟାବିନେଟ ମନ୍ତ୍ରୀ ସକିଲ ଖାନଙ୍କୁ ଉପରକୁ ମଧ୍ୟ ଗୁଳିଚାଳନା କରାଯାଇଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସମର୍ଥନରେ PTI ସେପ୍ଟେମ୍ବର ୨୭ ତାରିଖରେ ଇସଲାମାବାଦ ଅଭିମୁଖେ ଏକ ଶୋଭାଯାତ୍ରା ଆୟୋଜନ କରୁଥିବାବେଳେ ସରକାର ଓ ସେନା ଏହାକୁ ଦବାଇବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଏହି ପରିପ୍ରେକ୍ଷୀରେ PTI ଦାବି କରିଛି ଯେ, ପାକିସ୍ତାନ ସରକାର ଦଳ ଦ୍ୱାରା ଶାସିତ ପ୍ରଦେଶର ମନ୍ତ୍ରୀମାନଙ୍କୁ ଟାର୍ଗେଟ କରିବା ପାଇଁ ନିଜର କର୍ମଚାରୀଙ୍କୁ ନିୟୋଜିତ କରୁଛନ୍ତି।
ଖବର ଅନୁଯାୟୀ, AK-47 ଧରିଥିବା ମୁଖାପିନ୍ଧା ସଶସ୍ତ୍ର ବ୍ୟକ୍ତିମାନେ ପେଶାୱର ମୋଟରୱେ ଟୋଲ ପ୍ଲାଜା ନିକଟରେ KP ମନ୍ତ୍ରୀ ଫଜଲ ଶାକୁର୍ ଖାନଙ୍କ ଗାଡ଼ିକୁ ଅଟକାଇଥିଲେ। ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓ ଫୁଟେଜ୍ରେ ଦେଖିବାକୁ ମିଳୁଛି ଯେ ଅଜ୍ଞାତ ମୁଖାପିନ୍ଧା ବ୍ୟକ୍ତିମାନେ ମୁଖ୍ୟ ରାଜପଥକୁ ଅବରୋଧ କରୁଛନ୍ତି; ସେମାନେ ଖାନ୍ଙ୍କ ଗାଡ଼ିକୁ ଘେରିଯାଇ ଟାୟାର୍ ଫୁଟାଇ ଦେଇଥିଲେ। ତାଙ୍କୁ ସାମ୍ନା ସିଟ୍ରୁ ଟାଣି ଆଣି ବନ୍ଧୁକ ମୁନରେ ଅପହରଣ କରି ନେଇଥିଲେ।
ଅନ୍ୟ ଏକ ଘଟଣାରେ, ମାଲାକାଣ୍ଡରେ PTIର ଜଣେ ପ୍ରମୁଖ ନେତା ତଥା କ୍ୟାବିନେଟ ମନ୍ତ୍ରୀ ସକିଲ ଅହମ୍ମଦଙ୍କ ଉପରକୁ ଗୁଳିଚାଳନା କରାଯାଇଥିବା ଖବର ମିଳିଛି। ଏହି ଖବର ପରେ ମାଲାକାଣ୍ଡରେ ଜନ ଅସନ୍ତୋଷ ଦେଖାଦେଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।