ମହାକାଳପଡ଼ା ବାୟା ବାବା କଲେଜ: ସୌମ୍ୟଜିତ ସଭାପତି, ସମ୍ପୂର୍ଣ୍ଣା ସମ୍ପାଦିକା ଭାବେ ଶପଥ ନେଲେ

Oct 28, 2026 - 23:21
ମହାକାଳପଡ଼ା ବାୟା ବାବା କଲେଜ: ସୌମ୍ୟଜିତ ସଭାପତି, ସମ୍ପୂର୍ଣ୍ଣା ସମ୍ପାଦିକା ଭାବେ ଶପଥ ନେଲେ

ମହାକାଳପଡ଼ା, ୨୮।୧୦(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ସଦର ମହକୁମାସ୍ଥିତ ଶ୍ରୀ ଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚିତ ପ୍ରତିନିଧିମାନଙ୍କ ଶପଥ ଗ୍ରହଣ ଉତ୍ସବ ବୁଧବାର କଲେଜ ସଭାଗୃହଠାରେ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଶପଥ ଗ୍ରହଣ ପୂର୍ବରୁ ନିର୍ବାଚିତ ପ୍ରତିନିଧିମାନେ ଶ୍ରୀମଦ ବାୟା ବାବାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ଛାତ୍ର ସଂସଦର ନବନିର୍ବାଚିତ ସଭାପତି ସୌମ୍ୟଜିତ ମଲିକ, ସାଧାରଣ ସମ୍ପାଦିକା ସମ୍ପୂର୍ଣ୍ଣା ଜେନା, ଉପସଭାପତି ସବ୍ୟସାଚୀ ଖଟୁଆ, ସହ-ସମ୍ପାଦକ ମଳୟ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧିମାନେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଥିଲେ। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

ଶପଥ ଗ୍ରହଣ ପରେ କଲେଜ ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ଦାସଙ୍କ ସହ ନିର୍ବାଚିତ ପ୍ରତିନିଧିମାନେ ଆଲୋଚନା କରିଥିଲେ। କଲେଜର ଆକାଡେମିକ ପରିବେଶର ସୁଧାର, ପାଠାଗାର, ଭିତ୍ତିଭୂମି ଓ ଛାତ୍ରଛାତ୍ରୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସେମାନେ ପ୍ରଥମ ଅଗ୍ରାଧିକାର ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଉତ୍ସବରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଏବଂ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଏହି ଶପଥ ଗ୍ରହଣର ତିନି ଦିନ ପୂର୍ବରୁ ନବନିର୍ବାଚିତ ସଭାପତି, ଉପସଭାପତି, ସମ୍ପାଦିକା ଓ ସହ-ସମ୍ପାଦକଙ୍କ ସମେତ କେତେକ ପ୍ରତିନିଧି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ନେତ୍ରୀ ଥତା ପୂର୍ବତନ ପ୍ରଶାସିକା ସୁଜାତା କାର୍ତ୍ତିକେୟନଙ୍କୁ ଭେଟି ସୌଜନ୍ୟମୂଳକ ସାକ୍ଷାତ କରି ଆଶୀର୍ବାଦ ନେଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।