ମହାନଦୀ ଜଳବିବାଦ ସମାଧାନ କରିବେ ଶାହା: ଅକ୍ଟୋବର ୧ରେ ମିଳିପାରେ ଖୁସିଖବର
ଭୁବନେଶ୍ୱର,୨୯ା୯(ସୁନିତ୍ ମିଶ୍ର):ଓଡ଼ିଶା ଏବଂ ଛତିଶଗଡ଼ ମଧ୍ୟରେ ଦୀର୍ଘବର୍ଷ ହେଲା ମହାନଦୀ ଜଳ ବିବାଦ ଲାଗି ରହିଛି। ଏହି ବିଷୟ ବର୍ତ୍ତମାନ ଟ୍ରିବ୍ୟୁନାଲରେ ବିଚାରାଧୀନ ରହିଛି। ତେବେ କିଛିଦିନ ହେବ ଉଭୟ ଛତିଶଗଡ଼ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଆପୋସ ବୁଝାମଣା ଭିତରେ ମହାନଦୀ ବିବାଦର ସମାଧାନ ହେବ ବୋଲି ଶୁଣିବାକୁ ମିଳୁଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜ ମନ୍ତବ୍ୟରେ କହିସାରିଛନ୍ତି, ଆସନ୍ତା ଦୀପାବଳି ପୂର୍ବରୁ ମହାନଦୀ ବିବାଦର ସମାଧାନ ନେଇ ରାଜ୍ୟବାସୀ ଖୁସି ଖବର ଶୁଣିବେ। ଏଭଳି ସ୍ଥିତିରେ ମହାନଦୀ ପ୍ରସଙ୍ଗକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଉଭୟ ଛତିଶଗଡ଼ ଏବଂ ଓଡ଼ିଶା ସରକାରଙ୍କ ଏକ ବୈଠକ ଆସନ୍ତା ୧ ତାରିଖରେ ଅନୁଷ୍ଠିତ ହେବ ବୋଲି ଆଡ୍ଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସୋମବାର ପୀତାମ୍ବର କହିଛନ୍ତି, କେନ୍ଦ୍ରୀୟ ଜଳ ଆୟୋଗ ସଚିବ ୨ଟି ରିପୋର୍ଟ ଟ୍ରିବ୍ୟୁନାଲଙ୍କ ନିକଟରେ ଦାଖଲ କରିଛନ୍ତି। ଖୁବଶୀଘ୍ର ଅମିତ ଶାହାଙ୍କ ନେତୃତ୍ୱରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହେବ। ଏହି ଅବସରରେ ଉଭୟ ରାଜ୍ୟର ଯେଉଁ ସେଟେଲମେଣ୍ଟ ହେବା କଥା ବାରମ୍ବାର କୁହାଯାଉଛି ତାହା ଚୂଡାନ୍ତ ହେବ। ଏହି ପ୍ରସଙ୍ଗରେ ଆସନ୍ତା ୧୫ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ସମୟ ଧାର୍ଯ୍ୟ ହୋଇଛି। ଦୁଇ ରାଜ୍ୟର ଶୀର୍ଷ ନେତୃତ୍ୱଙ୍କ ସହମତି ପରେ ସିଡବ୍ଲ୍ୟୁସିଙ୍କ ଅଧ୍ୟକ୍ଷତାରେ ଜଳ ବଣ୍ଟନର ଫର୍ମୁଲା ଖୋଜା ଚାଲିଛି। ସିଡବ୍ଲ୍ୟୁସି ତାଙ୍କ ଚୂଡାନ୍ତ ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବେ।
ସୂଚନାଯୋଗ୍ୟ, ଛତିଶଗଡ଼ ଏବଂ ଓଡ଼ିଶା ମଧ୍ୟରେ ମହାନଦୀ ଜଳ ବିବାଦକୁ ନେଇ ଚାଲିଥିବା ବିବାଦର ସମାଧାନ ଲାଗି କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିଛନ୍ତି। ନିକଟରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା, ଯେଉଁଥିରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହୋଇଥିଲେ। ଉକ୍ତ ବୈଠକରେ ହୋଇଥିବା ଆଲୋଚନା ମୁତାବକ, କେନ୍ଦ୍ରୀୟ ଜଳ ଆୟୋଗର ପ୍ରତିନିଧି ଏବଂ ଜଳ ଶକ୍ତି ମନ୍ତ୍ରଣାଳୟର ଅଧ୍ୟକ୍ଷତାରେ ଉଭୟ ରାଜ୍ୟର ବିବାଦର ସମାଧାନ ବାହାର କରାଯିବ। ଏଥିଲାଗି ଉଭୟ ରାଜ୍ୟର ବୈଷୟିକ ଟିମ୍ ମଧ୍ୟ ନିଜ ନିଜର ଜଳ ଆବଣ୍ଟନ ସମ୍ପର୍କିତ ତଥ୍ୟ ଉପସ୍ଥାପିତ କରିସାରିଛନ୍ତି। ଗତ ସପ୍ତାହରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ତାଙ୍କ ପରିବାର ସହିତ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କୁ ଭେଟିବା ସହ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ଏହାରି ଭିତରେ ଶାହାଙ୍କ ଅଧ୍ୟକ୍ଷତାରେ ଏ ବାବଦରେ ଏକ ବୈଠକ ବସିବ ବୋଲି ଖବର ସାମ୍ନାକୁ ଆସିବା ପରେ ଏହା ଉପରେ ସମସ୍ତଙ୍କ ନଜର ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।