ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

Oct 01, 2026 - 19:50
ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଗୁରବାର ଅନୁଷ୍ଟିତ ହୋଇଯାଇଛି। ଛତ୍ରପୁର ଉପଜିଲାପାଳ ଡଃ ଶିବାଶିସ ବରାଳଙ୍କ ପୌରହିତ୍ୟରେ ବୈଠକ ହୋଇଥିଲା।

ଷୋଡ଼ଶ ପୂଜାରେ ମା’ଙ୍କ ପୀଠକୁ ଆସୁଥିବା ଭକ୍ତଙ୍କ ସୁବିଧା, ଶୃଙ୍ଖଳିତ ଦର୍ଶନ ଏବଂ ସୁରକ୍ଷା ସହ ସମସ୍ତ ଆବଶ୍ୟକ ବ୍ୟବସ୍ଥାର ସୁପରିଚାଳନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଭକ୍ତଙ୍କ ସୁବିଧା ପାଇଁ ଯାତାୟାତ ଓ ବସ୍‌ ବ୍ୟବସ୍ଥା, ପାନୀୟ ଜଳ, ଶୌଚାଳୟ, ପାର୍କିଂ ଏବଂ ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରାଯାଇଥିଲା।

ମା’ଙ୍କ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା ସମ୍ପନ୍ନ କରିବା, ଦୀପ ଲଗାଇବା ଲାଗି ସ୍ବତନ୍ତ୍ର ଦୀପଗ୍ରୁହ କରିବା ସହ ସେଠାରେ ସୁରକ୍ଷା ଲାଗି ଅଗ୍ନଶମବାହୀନିଙ୍କୁ ନିୟୋଜିତ କରିବା, ଆଛୁଲି-କେଶପୁର ରାସ୍ତାକୁ ଆଲୋକିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହାସହ ସେବାୟତମାନେ ଭକ୍ତମାନଙ୍କୁ ଉତ୍ତମ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଇଥିଲା।

ଏଥିରେ ପୁରୁଷୋତ୍ତମପୁର ତହସିଲଦାର ତଥା ମନ୍ଦିର ନିର୍ବାହୀ ଅଧିକାରୀ ବିନୋଦ କୁମାର ବେହେରା, ଏସ୍‌ଡିପିଓ ସୁଜିତ କୁମାର ନାୟକ, ବିଡିଓ ଦେବାଶିଶ ସାମଲ, ଏନଏସି ନିର୍ବାହୀ ଅଧିକାରୀ ସଙ୍ଗୀତା ସେଠୀ, ଟ୍ରଷ୍ଟବୋର୍ଡ ସଦସ୍ୟ ପ୍ରମୋଦ ପଣ୍ଡା, ଏସ୍‌ଡିଓ ସୁରେଶ ମିଶ୍ର, ମା’ଙ୍କ ମୁଖ୍ୟ ପୁରହିତ ସୀମାଞ୍ଚଳ ଦାଶ ଶର୍ମା, ସେବାୟତ ସଂଘ ସଭାପତି ତପନରଣା, ବାପୁଜି ରଣା, ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ଅଧିକାରୀଙ୍କ ସମେତ ବହୁ ସେବାୟତ ଉପସ୍ଥିତ ଥିଲେ।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।