ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ
ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ ଅଭିଯାନ ‘ସ୍ବଚ୍ଛତା ହିଁ ସେବା’ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ପାର୍ବଣ ଋତୁ ଏବଂ ମା’ଙ୍କ ୧୬ ଦିନିଆ ଶାରଦୀୟ ପୂଜାକୁ ନଜରରେ ରଖି ଏହି ସଫେଇ ଅଭିଯାନ କରାଯାଇଥିଲା। ମନ୍ଦିର ସଂଯୋଜକ କମଳ ପଣ୍ଡାଙ୍କ ସଂଯୋଜନାରେ ଏବଂ ପୂଜା କମିଟି ସଭାପତି ସି.ଏଚ. ଦୟାନନ୍ଦ ରେଡ୍ଡୀ ଓ ଉପସଭାପତି ମନୋଜ ମିଶ୍ରଙ୍କ ନେତୃତ୍ୱରେ ଏହି ଅଭିଯାନ ଆୟୋଜିତ ହୋଇଥିଲା।
ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀ, ଓଡ଼ିଆ ଅଧ୍ୟାପକ ଇମତିହାଁ ସାହା ଏବଂ ଛତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ପୌରପାଳିକା ଅଧିକାରୀ ଏବଂ ଶତାଧିକ ସଫେଇ କର୍ମଚାରୀ ଏଥିରେ ସାମିଲ ହୋଇଥିଲେ।
ସକାଳ ୭ଟାରୁ ଆରମ୍ଭ ହୋଇଥିବା ସଫେଇ କାର୍ଯ୍ୟକ୍ରମ ପ୍ରାୟ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ଅବସରରେ ମନ୍ଦିର ଟ୍ରଷ୍ଟି ଲକ୍ଷ୍ମୀନୃସିଂହ ପଣ୍ଡାଙ୍କ ସମେତ ନୂତନ ଭାବେ ଗଠିତ ମନ୍ଦିର ପୂଜା କମିଟିର ସଦସ୍ୟମାନେ ସକ୍ରିୟ ଭାବେ ସହଯୋଗ କରିଥିଲେ। ପୂଜା କମିଟିର ସହସମ୍ପାଦକ ଶଙ୍କର ନାୟକ, ଉପଦେଷ୍ଟା ମଣ୍ଡଳୀର ସୁଧୀର ମହାରଣା, କୁଞ୍ଜବିହାରୀ ନାୟକ, ଶଙ୍କର ଚର୍ତ୍ତୀ, କୋଷାଧ୍ୟକ୍ଷ ରାଜୁ ବେହେରା, ବରୁଣ ନାୟକ ଏବଂ ମନ୍ଦିର କର୍ମଚାରୀ ସନ୍ତୋଷ ପଣ୍ଡା, ଗୋପାଳ ପଣ୍ଡା ଓ କେଦାର ନାୟକ ପ୍ରମୁଖ ସଫେଇ ଅଭିଯାନରେ ଯୋଗଦେଇଥିଲେ।
ସଫେଇ ଅଭିଯାନ ସମୟରେ ମନ୍ଦିରର ପୁରାତନ ଓ ଐତିହାସିକ ‘ରାମ କୁଣ୍ଡ’କୁ ପରିଷ୍କାର କରାଯାଇଥିଲା। ଏଥିସହ ଏହାର ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଥିଲା। ମା’ ରାମଚଣ୍ଡୀ ପୀଠକୁ ପ୍ଲାଷ୍ଟିକମୁକ୍ତ କରିବା ଲକ୍ଷ୍ୟରେ ଛତ୍ରପୁର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ଦାଶଙ୍କ ନେତୃତ୍ୱରେ ଉପସ୍ଥିତ ସମସ୍ତଙ୍କୁ ‘ସ୍ବଚ୍ଛତା ହିଁ ସେବା’ ଶପଥ ପାଠ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ କରପଡ଼ା ପଞ୍ଚାୟତର ସରପଞ୍ଚ ଅଜୟ ନାୟକ ସଫେଇ ଅଭିଯାନରେ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଆଗାମୀ ଗାନ୍ଧୀ ଜୟନ୍ତୀ ଅବସରରେ ହେବାକୁଥିବା ମେଗା ସୱଚ୍ଛତା କାର୍ଯ୍ୟକ୍ରମରେ ଅଧିକ ସଂଖ୍ୟାରେ ଯୋଗଦେବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।
ସୂଚନାଯୋଗ୍ୟ, ମା’ ରାମଚଣ୍ଡୀ ପୀଠରେ ୧୬ ଦିନିଆ ଶାରଦୀୟ ଦୁର୍ଗାପୂଜା ଅକ୍ଟୋବର ୩ ତାରିଖ ମୂଳାଷ୍ଟମୀରୁ ଆରମ୍ଭ ହୋଇ ଅକ୍ଟୋବର ୨୦ ତାରିଖ ଦଶମୀ ପର୍ଯ୍ୟନ୍ତ ଚାଲିବ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।