ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

Oct 27, 2026 - 22:48
ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପରେ ବି ବଦଳିନି ଭାଗ୍ୟ: ଗୁଡ଼ାରିରେ ପୋଲ ନଥିବାରୁ ନାଳରେ ବୁହାହେଲେ ରୋଗୀ

ଗୁଡ଼ାରି, ୨୭।୧୦ (ପ୍ରମୋଦ କୁମାର ପତି): ଆଜିର ଆଧୁନିକ ଯୁଗରେ ବି ଗାଁକୁ ରାସ୍ତା ଓ ପୋଲ ନଥିବାରୁ ଜରୁରୀ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ଗ୍ରାମବାସୀ। ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ପେଣ୍ଡିଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମରେ ପୁଣି ଏକ ସ୍ୱାସ୍ଥ୍ୟ ସେବାର ବିକଳ ଛବି ସାମ୍ନାକୁ ଆସିଛି। ପୋଲ ନଥିବାରୁ ଜଣେ ଅସୁସ୍ଥ ମହିଳାଙ୍କୁ ପରିବାର ଲୋକେ ଓ ଗ୍ରାମବାସୀ ବୋହି ବୋହି ନାଳ ପାର କରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଛନ୍ତି।

ସୂଚନା ଅନୁଯାୟୀ, ପଞ୍ଚୁପାଣ୍ଡବ ଗ୍ରାମର ଜଣେ ମହିଳା ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଫୋନ୍ ପାଇ ଆମ୍ବୁଲାନ୍ସ ଠିକ୍ ସମୟରେ ପହଞ୍ଚିଥିଲେ ମଧ୍ୟ ଗାଁକୁ ରାସ୍ତା ନଥିବାରୁ ଗାଁଠାରୁ ପ୍ରାୟ ୨ କିଲୋମିଟର ଦୂର ମୁଖ୍ୟ ରାସ୍ତାରେ ଅଟକି ରହିଥିଲା। ବାଧ୍ୟ ହୋଇ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଅସୁସ୍ଥ ମହିଳାଙ୍କୁ ଦୁଇ ଜଣ କାନ୍ଧରେ ବୋହି ବୋହି ଛାତିଏ ଉଚ୍ଚର ନାଳ ପାର କରାଇଥିଲେ। ନାଳ ପାର ହେବା ପରେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଗୁଡ଼ାରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ପ୍ରାଥମିକ ଉପଚାର ଓ ଚିକିତ୍ସା ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡ଼ିଛି।

ପଞ୍ଚୁପାଣ୍ଡବ ଗାଁଠାରୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଯାଇଥିବା ରାସ୍ତାର ଅବସ୍ଥା ଅତ୍ୟନ୍ତ ଆଶୋଚନୀୟ। ଏହାସହ ଗାଁ ମଝିରେ ଥିବା ଏକ ଚିରସ୍ରୋତା ନାଳ ଯାତାୟାତ ପାଇଁ ବଡ଼ ପ୍ରତିବନ୍ଧକ ସାଜିଛି। ବିଶେଷ କରି ବର୍ଷା ଦିନେ ଏହି ନାଳରେ ପ୍ରବଳ ପାଣି ପ୍ରବାହିତ ହେଉଥିବାରୁ ବାହାର ଦୁନିଆ ସହ ଗାଁର ସମ୍ପର୍କ ଏକପ୍ରକାର ବିଚ୍ଛିନ୍ନ ହୋଇଯାଏ। ନାଳ ପାର ହୋଇ ପ୍ରତିଦିନ ଗ୍ରାମବାସୀ, ବିଦ୍ୟାଳୟ ଓ କଲେଜ ଛାତ୍ରଛାତ୍ରୀ ଯାତାୟାତ କରିବାକୁ ବାଧ୍ୟ ହୋଇଥାନ୍ତି।

ଗ୍ରାମକୁ ସ୍ଥାୟୀ ରାସ୍ତା ନିର୍ମାଣ ସହ ନାଳ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁବାର ପ୍ରଶାସନକୁ ଲିଖିତ ଜଣାଇଛନ୍ତି। ଗ୍ରାମର ଯୁବକ ଅନନ୍ତ ଡୁଡୁକାଙ୍କ ସୂଚନା ଅନୁଯାୟୀ, ଗତ ୨୭.୦୭.୨୦୨୬ ରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ଲିଖିତ ଅଭିଯୋଗ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ରାସ୍ତା କିମ୍ବା ପୋଲର କୌଣସି ପରିବର୍ତ୍ତନ ହୋଇନାହିଁ। ତୁରନ୍ତ ଏହି ରାସ୍ତାର ସ୍ଥାୟୀ ମରାମତି ସହ ନାଳ ଉପରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।