ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ୮ ବିଭାଗର ଅବଜ୍ଞା

Nov 02, 2026 - 08:42
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ୮ ବିଭାଗର ଅବଜ୍ଞା

ଭୁବନେଶ୍ୱର,୨।୧୧(ରବିନାରାୟଣ ଜେନା): ରାଜ୍ୟର ସାମଗ୍ରିକ ଓ ସମାବେଶୀ ବିକାଶ ସହ ଜନକଲ୍ୟାଣମୂଳକ ଯୋଜନାର ସଫଳ ରୂପାୟନକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି। ଏହାକୁ ନେଇ କେଉଁ ବିଭାଗ କି ପ୍ରକାର ଯୋଜନା କଲେ ସବୁ ବର୍ଗର ଲୋକଙ୍କ ବିକାଶ ହେବା ସହିତ ରାଜ୍ୟର ପ୍ରଗତି ହୋଇପାରିବ ତାକୁ ନେଇ ମୁଖ୍ୟମନ୍ତ୍ରୀ ମାଝୀ ସମ୍ପୃକ୍ତ ବିଭାଗକୁ ବ୍ୟକ୍ତିଗତ ନୋଟ୍‌ଶିଟ୍‌ ଲେଖୁଛନ୍ତି। ଏହିକ୍ରମରେ ୨୦୨୪ ଅକ୍ଟୋବର ୧୫ରୁ ଚଳିତମାସ ସୁଦ୍ଧା ୧୪୧ଟି ବ୍ୟକ୍ତିଗତ ନୋଟ୍‌ଶିଟ୍‌ ବିଭିନ୍ନ ବିଭାଗକୁ ପ୍ରଦାନ କଲେଣି। ଅଦ୍ୟାବଧି ୨୫ଟି ବିଭାଗ ପ୍ରାୟ ୭୪ଟି ବ୍ୟକ୍ତିଗତ ନୋଟ୍‌ଶିଟ୍‌ର ଅନୁପାଳନ ପୂର୍ବକ ରିପୋର୍ଟ ପ୍ରଦାନ କରିଥିବାବେଳେ ୮ଟି ପ୍ରମୁଖ ବିଭାଗ ଏପର୍ଯ୍ୟନ୍ତ ତାଙ୍କର ଅନୁପାଳନ ପୂର୍ବକ ରିପୋର୍ଟ ପ୍ରଦାନ କରି ନାହାନ୍ତି। ଏପରିକି ମୁଖ୍ୟଶାସନ ସଚିବ ଅନୁ ଗର୍ଗ ପ୍ରତିମାସ ସଚିବସ୍ତରୀୟ ବୈଠକରେ ଅବଗତ କରାଉଥିଲେ ହେଁ ୮ ବିଭାଗ ଶୁଣୁ ନାହାନ୍ତି। ତେଣୁ ଏବେ ନେଇ ମୁଖ୍ୟଶାସନ ସଚିବ ଗର୍ଗ ସମ୍ପୃକ୍ତ ବିଭାଗକୁ ତୁରନ୍ତ ଅନୁପାଳନ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏ ସଂକ୍ରାନ୍ତରେ ମୁଖ୍ୟ ସଚିବଙ୍କ ଓଏସ୍‌ଡି ପିନାକୀ ପଟ୍ଟନାୟକ ଗୁରୁବାର ସମ୍ପୃକ୍ତ ବିଭାଗକୁ ପତ୍ର ଲେଖି ଅନୁପାଳନ ରିପୋର୍ଟ ତୁରନ୍ତ ଦେବାକୁ କହିଛନ୍ତି। ଓଏସ୍‌ଡି ପ୍ରଦାନ କରିଥିବା ରିପୋର୍ଟ ଅନୁଯାୟୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ୯ଟି ନୋଟ୍‌ଶିଟ୍‌ ୨୦ମେ’ ୨୦୨୫ରୁ ପ୍ରଦାନ କରିଥିଲେ ହେଁ ଅଦ୍ୟାବଧି ଗୋଟିଏର ବି ଅନୁପାଳନ ହୋଇନାହିଁ। ସେହିପରି ଶକ୍ତି, କୃଷି, ଶ୍ରମ, ଖଣି ଓ ଇସ୍ପାତ, ଏମ୍‌ଏସ୍‌ଏମ୍‌ଇ ଏବଂ ଯୁବ ଓ କ୍ରୀଡ଼ା ବିଭାଗ ଗୋଟିଏ ହେଲେ ରିପୋର୍ଟର ଅନୁପାଳନ କରିନାହାନ୍ତି।
ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ହସ୍ତତନ୍ତ, ହସ୍ତଶିଳ୍ପ ଓ ବୟନଶିଳ୍ପ, ବିଜ୍ଞାନ ଓ କାରିଗରି, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ, ସଂସଦୀୟ ବ୍ୟାପାର, ସାଧାରଣ ଉଦ୍ୟୋଗ, ମିଶନ ଶକ୍ତି ଏବଂ ଗୃହ(ନିର୍ବାଚନ) ବିଭାଗକୁ କୌଣସି ବ୍ୟକ୍ତିଗତ ନୋଟ୍‌ଶିଟ୍‌ ପ୍ରଦାନ କରି ନାହାନ୍ତି।
ଓଏସ୍‌ଡି ପଟ୍ଟନାୟକଙ୍କ ପତ୍ର ଅନୁଯାୟୀ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ୟୁଓଆଇ ନୋଟ୍‌ର ଅନୁପାଳନ ଲାଗି ମୁଖ୍ୟ ସଚିବ ବାରମ୍ବାର ସଚିବସ୍ତରୀୟ ବୈଠକରେ କହୁଛନ୍ତି। ବିଭାଗଗୁଡ଼ିକ ଏହି ପ୍ରସଙ୍ଗଗୁଡ଼ିକୁ ପ୍ରାଥମିକତା ଦେବା ସହ ଶୀଘ୍ର ପଦକ୍ଷେପ ନେଇ ଅନୁପାଳନ ରିପୋର୍ଟ ଦାଖଲ କରିବା ଆବଶ୍ୟକ। ମାତ୍ର ତାହା ବାସ୍ତବ କ୍ଷେତ୍ରରେ ପ୍ରତିଫଳିତ ହେଉନାହିଁ। କେତେକ ବିଭାଗ ପକ୍ଷରୁ ଆକ୍ସନ୍‌ ଟେକେନ୍‌ ରିପୋର୍ଟ (ଏଟିଆର୍‌) ଓ ଅନୁପାଳନ ରିପୋର୍ଟ ଦାଖଲ କରାଯାଉଥିଲେ ମଧ୍ୟ ସେଥିରେ ଆବଶ୍ୟକୀୟ ବିବରଣୀ ଓ କାର୍ଯ୍ୟାନୁଷ୍ଠାନର ସମ୍ପୂର୍ଣ୍ଣ ଚିତ୍ର ରହୁ ନ ଥିବା ନଜରକୁ ଆସିଛି। ଫଳରେ କେଉଁ ବିଭାଗ କ’ଣ ପଦକ୍ଷେପ ନେଇଛି, ତାହାର ବର୍ତ୍ତମାନ ସ୍ଥିତି କ’ଣ ଏବଂ ଏହାଦ୍ୱାରା କି ଫଳାଫଳ ମିଳିଛି, ତାହାର ଠିକ୍‌ ଆକଳନ କରିବା ସମ୍ଭବ ହେଉନାହିଁ। ଏପରି କି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଉପଯୁକ୍ତ ରିପୋର୍ଟ ପଠାଇବାରେ ମଧ୍ୟ ଅସୁବିଧା ହେଉଛି।
ଏହାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବ୍ୟକ୍ତିଗତ ନୋଟ୍‌ ପାଇଁ ପୃଥକ୍‌, ବିସ୍ତୃତ ଓ ସମ୍ପୂର୍ଣ୍ଣ ଆକ୍ସନ୍‌ ଟେକେନ୍‌ ରିପୋର୍ଟ ପ୍ରସ୍ତୁତ କରିବାକୁ ପଟ୍ଟନାୟକ ଦର୍ଶାଇଛନ୍ତି। ସେ ଆହୁରି କହିଛନ୍ତି, ବିଭାଗ ଯେଉଁ ଅନୁପାଳନ ରିପୋର୍ଟ ପ୍ରଦାନ କରିବ, ନିଆଯାଇଥିବା ପଦକ୍ଷେପ, ବର୍ତ୍ତମାନର ସ୍ଥିତି, ହାସଲ ହୋଇଥିବା ସଫଳତା ଏବଂ ଆଗକୁ ନିଆଯିବାକୁ ଥିବା ପଦକ୍ଷେପ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ ରହିବା ଆବଶ୍ୟକ। ସମସ୍ତ ବିଚାରାଧୀନ ବ୍ୟକ୍ତିଗତ ନୋଟ୍‌ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଶେଷ କରି ଏହି ରିପୋର୍ଟ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟକୁ ‘ଓସ୍ବାସ’ ଫାଇଲ୍‌/ବ୍ୟକ୍ତିଗତ ନୋଟ୍‌ ମାଧ୍ୟମରେ ପଠାଇବାକୁ ଓଏସ୍‌ଡି ପତ୍ରରେ ଦର୍ଶାଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।