ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ମାସକୁ ମିଳିବ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି, କିଏ ପାଇବେ ଜାଣନ୍ତୁ

Nov 05, 2026 - 08:16
ମୁଖ୍ୟମନ୍ତ୍ରୀଙ୍କ ବଡ଼ ନିଷ୍ପତ୍ତି: ମାସକୁ ମିଳିବ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି, କିଏ ପାଇବେ ଜାଣନ୍ତୁ

ଭୁବନେଶ୍ୱର, ୫।୧୧(ସୁନିତ୍‌ ମିଶ୍ର): ରାଜ୍ୟର ବିଭିନ୍ନ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଦାୟିତ୍ୱରେ ଥିବା ଭାରପ୍ରାପ୍ତ ଅଧ୍ୟକ୍ଷମାନଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି। ସେମାନେ ଏଣିକି ସ୍ଥାନ ଓ ପୋଷ୍ଟିଂ ଅନୁଯାୟୀ ମାସିକ ପ୍ରୋତ୍ସାହନ ରାଶି ପାଇବେ। ଏ ସମ୍ପର୍କିତ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ କରିଛନ୍ତି। ଏହାଦ୍ୱାରା ଏହି ବର୍ଗର ବିଭିନ୍ନ କଲେଜର ଅଧ୍ୟାପକମାନେ ଦୂରଦୂରାନ୍ତରେ ଥିବା କଲେଜ ଗୁଡ଼ିକରେ ଅଧ୍ୟକ୍ଷ ଦାୟିତ୍ୱ ନେବା ପାଇଁ ଆଗ୍ରହ ପ୍ରକାଶ କରିବେ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷାଦାନ ପ୍ରକ୍ରିୟା ସୁଚାରୁରୂପେ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୪୮୮ ଓ ୬୬୨ ବର୍ଗର ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନେ ମାସିକ ପ୍ରୋତ୍ସାହନ ରାଶି ପାଇବେ। ଏହାଦ୍ୱାରା ପ୍ରାୟ ୬୪୧ଟି ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷମାନେ ଉପକୃତ ହେବେ। ନିଷ୍ପତ୍ତି ମୁତାବିକ, ଯେଉଁ ଅଧ୍ୟକ୍ଷମାନେ ନିଜ ଜିଲାରେ କିମ୍ୱା ଉନ୍ନତ ସହରାଞ୍ଚଳରେ ପୋଷ୍ଟିଂ ପାଇଥିବେ, ସେମାନଙ୍କୁ ମାସିକ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ନିଜ ଜିଲା ବାହାରେ ପୋଷ୍ଟିଂ ଥିଲେ ମାସକୁ ୭ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ। ନିଜ ଜିଲା କିମ୍ୱା ଘରଠାରୁ ୩୦୦ କି.ମି. ଦୂରରେ ପୋଷ୍ଟିଂ ଥିଲେ ୯ ହଜାର ଟଙ୍କା ମିଳିବ। ଯଦି ଭୌଗୋଳିକ ଭାବେ ଦୂର ଓ ଦୁର୍ଗମ ଅଞ୍ଚଳରେ ପୋଷ୍ଟିଂ ହୋଇଥିବେ ତେବେ ଏଥିଲାଗି ସମ୍ପୃକ୍ତ ଭାରପ୍ରାପ୍ତ ଅଧ୍ୟକ୍ଷଙ୍କୁ ମାସିକ ୧୦ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳିବ। ଏହି ନିଷ୍ପତ୍ତି ଏକ କମିଟି ଦ୍ୱାରା ନିର୍ଦ୍ଧାରଣ କରାଯିବ। ଏହାଦ୍ୱାରା ରାଜ୍ୟ ସରକାର ବର୍ଷକୁ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରିବେ। ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ପରଠାରୁ ଏହା ଲାଗୁ ହେବ ବୋଲି ସୂଚନା ଦିଆଯାଇଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।