ମୋଦିଙ୍କ ପରିବାରକୁ ନେଇ ଖାର୍ଗେଙ୍କ ମନ୍ତବ୍ୟରେ ବିବାଦ, କଂଗ୍ରେସକୁ ଘେରିଲେ ମନମୋହନ ସାମଲ
ଭୁବନେଶ୍ୱର,୨୭।୧୦(ସୁନିତ୍ ମିଶ୍ର): ରାଜନୀତିରେ ଆଦର୍ଶ, ବିଚାରଧାରା ଓ ମର୍ଯ୍ୟାଦାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି । ରାଜନୀତି ଆଦର୍ଶବାଦ ତଥା ବିଚାରଧାରା ଉପରେ ପର୍ଯ୍ୟବସିତ। ଗଣତନ୍ତ୍ରରେ ମତଭେଦ ରହିବା ସ୍ବାଭାବିକ, କିନ୍ତୁ ତାକୁ ଆଳକରି ନିଜର ମର୍ଯ୍ୟାଦା ଓ ରାଜନୈତିକ ଆଦର୍ଶକୁ ଉଲ୍ଲଂଘନକରିବା ଉଚିତ ନୁହେଁ। ଅତୀତରେ ଭାଜପା ଦୀର୍ଘବର୍ଷ ଧରି ବିରୋଧୀ ଦଳ ଦାୟିତ୍ୱ କ’ଣ ବୁଝିଛି। ବିରୋଧୀ ଦଳ ଭାବେ କଂଗ୍ରେସ ନିଜର ଦାୟିତ୍ୱ ଓ ଭୂମିକାକୁ ବୁଝିବା ଆବଶ୍ୟକ। ଦୀର୍ଘବର୍ଷ ଧରି ଦେଶରେ ଶାସନ କରିଥିବା କଂଗ୍ରେସ କ୍ଷମତାରେ ନ ଥିବା ଯୋଗୁ ହତାଶ ଓ ନିରାଶ ହୋଇଯାଇଛି। ଏହାର ପ୍ରଭାବ ରାଜନୈତିକ ବୟାନବାଜିରେ ପ୍ରତିଫଳିତ ହେଉଛି ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ମନମୋହନ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭକରି ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ, ଅରୁଣ ଜେଟ୍ଲୀ, ପ୍ରମୋଦ ମହାଜନ ଓ ସୁଷମା ସ୍ବରାଜଙ୍କ ଭଳି ତାଙ୍କ ଦଳର ନେତାମାନେ ରାଜନୈତିକ ଯାତ୍ରା ଜନଜୀବନରେ କାର୍ଯ୍ୟରତ ସମସ୍ତ ନେତୃବୃନ୍ଦଙ୍କ ଲାଗି ଅନୁକରଣୀୟ। ସେମାନେ କେବେହେଲେ ଭାଷା ଏବଂ ମର୍ଯ୍ୟାଦା ବାହାରକୁ ଯାଇ ରାଜନୀତି କରିନାହାନ୍ତି। ରାଜନୀତିରେ ନିଜର ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦା ବାହାରକୁ ଯାଇ ରାଜନୀତି କରିନାହାନ୍ତି। ରାଜନୀତିରେ ନିଜର ମତ ରଖିବା ସମୟରେ ଭାଷା ଓ ମର୍ଯ୍ୟାଦାର ସମୀକ୍ଷା ଭିତରେ ରହିବା ଜରୁରୀ ବୋଲି ମନମୋହନ କହିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସର ଏକ ସଭାରେ ଜଣେ ବ୍ୟକ୍ତିଙ୍କ ମନ୍ତବ୍ୟରେ ବିରକ୍ତ ହୋଇ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ କହିଥିଲେ, ମୋଦିଙ୍କ ବାପାଙ୍କୁ ମଧ୍ୟ ଯିବାକୁ ପଡ଼ିବ ବୋଲି କହିଥିଲେ।
ଅନ୍ୟପଟେ ଏହି ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ଖାର୍ଗେଙ୍କୁ ବିରୋଧକରି ରାଜ୍ୟ ଭାଜପା ପକ୍ଷରୁ ଦଳୀୟ କାର୍ଯ୍ୟାଳୟରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା। ଏହାପରେ ଉଭୟଙ୍କ କୁଶପୁତ୍ତଳିକା ଦାହକରାଯାଇଛି। ଏହି ଅବସରରେ ଭାଜପା ନେତାମାନେ କହିଥିଲେ, ମୋଦିଙ୍କ ବାପାଙ୍କୁ ନେଇ ଅଶାଳୀନ ମନ୍ତବ୍ୟ ଦେଇ ଖାର୍ଗେ ସବୁ ସୀମା ଅତିକ୍ରମ କରିଛନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।