ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

Oct 08, 2026 - 08:52
ମୌଳିକ ସୁବିଧାରୁ ବଞ୍ଚିତ ୯୯ ଛାତ୍ରୀଛାତ୍ର

ବାଲେଶ୍ୱର,୮।୧୦,(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ହରିପୁର ପଞ୍ଚାୟତରେ ୧୯୫୯ ମସିହାରେ କସିମିଳା ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଏଠାରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୬ଟି ଶ୍ରେଣୀ ରହିଛି। ପୂର୍ବରୁ ଏଠାରେ ୧୨୦ରୁ ଊର୍ଦ୍ଧ୍ୱ ପିଲା ପଢ଼ୁଥିବାବେଳେ ବର୍ତ୍ତମାନ ୯୯ ଛାତ୍ରୀଛାତ୍ର ପଢୁଛନ୍ତି। ୬୬ବର୍ଷର ଏହି ପୁରୁଣା ବିଦ୍ୟାଳୟରେ ପଢ଼ୁଥିବା ପିଲାମାନେ ସମ୍ପ୍ରତି ବିଭିନ୍ନ ମୌଳିକ ସୁବିଧା ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏତେସଂଖ୍ୟକ ପିଲାଙ୍କ ପାଇଁ ବିଦ୍ୟାଳୟରେ ଆବଶ୍ୟକ ସୁରକ୍ଷିତ ଶ୍ରେଣୀ କକ୍ଷ ନ ଥିବାବେଳେ ମଧ୍ୟାହ୍ନଭୋଜନ, ପାନୀୟ ଜଳ ଏବଂ ଶୌଚାଳୟ ବ୍ୟବସ୍ଥା ମଧ୍ୟ ଠିକ୍‌ ନାହିଁ। ଏତେ ସଂଖ୍ୟକ ପିଲାଙ୍କ ପାଇଁ ଗୋଟିଏ ମାତ୍ର ଶୌଚାଳୟ ଥିବାରୁ ସେମାନେ ଅଧିକାଂଶ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରି କି ଶୌଚ ପାଇଁ ପିଲାମାନେ ବିଦ୍ୟାଳୟ ବାହାରକୁ ଯାଉଥିବା ଅଭିଯୋଗ ହେଉଛି।
ବିଦ୍ୟାଳୟରେ ୬ଟି ଶ୍ରେଣୀ ପାଇଁ ମାତ୍ର ୩ ଶ୍ରେଣୀଗୃହ ଥିବାବେଳେ ୫ଜଣ ଶିକ୍ଷୟିତ୍ରୀଶିକ୍ଷକ ଅଛନ୍ତି। ତଳ ମହଲାରେ ୨ଟି ଶ୍ରେଣୀଗୃହ ଏବଂ ଗୋଟିଏ ଅଫିସ ରୁମ୍‌ ରହିଛି। ଉପର ମହଲାରେ ନୂଆ ଗୋଟିଏ ଶ୍ରେଣୀଗୃହ ନିର୍ମାଣ ହୋଇଛି। ଗୋଟିଏ ଶ୍ରେଣୀଗୃହରେ ୨ଟି ଶ୍ରେଣୀର ପିଲା ଖୁନ୍ଦାଖୁନ୍ଦି ହୋଇ ବସୁଛନ୍ତି। ବେଞ୍ଚ ଡେସ୍କ ସୁବିଧା ନ ଥିବାରୁ ପିଲାମାନେ ତଳେ ଦରି ପକାଇ ବସି ପାଠ ପଢୁଛନ୍ତି। ବିଦ୍ୟାଳୟର ଛାତ ଫାଟିଯାଇଥିବାରୁ ବର୍ଷା ହେଲେ ପାଣି ଝରୁଛି। ବର୍ଷାଦିନେ ବିଦ୍ୟାଳୟ ବାହ୍ୟ ପରିସର ଏବଂ ପ୍ରବେଶ ଫାଟକ ନିକଟରେ ୨ ଫୁଟ ଉଚ୍ଚର ବର୍ଷା ପାଣି ଜମି ରହୁଛି। ଫଳରେ ପରିବେଶ ଦୂଷିତ ହେବା ସହ ଦୁର୍ଗନ୍ଧ ହେଉଛି। ପ୍ରତିବର୍ଷ ବନ୍ୟା ପାଣି ବିଦ୍ୟାଳୟ ଭିତରେ ପଶୁଛି। ୨ରୁ ୩ଦିନ ଧରି ପାଣି ଜମି ରହୁଥିବାରୁ ବାଧ୍ୟ ହୋଇ ବିଦ୍ୟାଳୟକୁ ଛୁଟି କରି ଦିଆଯାଉଛି। ମଧ୍ୟାହ୍ନଭୋଜନ ଖାଇବା ପାଇଁ ସୁବିଧା ନାହିଁ। ଫଳରେ ପିଲାମାନେ ବାରଣ୍ଡାରେ ବସି ଖାଉଛନ୍ତି।
ଏନେଇ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଡଗର କହିଛନ୍ତି, ବିଦ୍ୟାଳୟରେ ଯେଉଁ ସମସ୍ୟା ଅଛି, ସେସମ୍ପର୍କରେ ଜିଲା ଶିକ୍ଷାଧିକାରୀଙ୍କୁ ଜଣାଇଛୁ ବୋଲି କହିଛନ୍ତି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମୀନାକ୍ଷୀ ମହାପାତ୍ର କହିଛନ୍ତି, ଶ୍ରେଣୀଗୃହ ଅଭାବ ଥିବା ଯୋଗୁ ଗୋଟିଏ ଗୃହରେ ୨ଟି ଶ୍ରେଣୀର ପିଲା ପାଠ ପଢୁଛନ୍ତି। ପ୍ରତିବର୍ଷ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ସଂଖ୍ୟା ଅନୁସାରେ ୩୦ରୁ ୫୦ହଜାର ଟଙ୍କାର କମ୍ପୋଜିଟ ଫଣ୍ଡ ଆସୁଛି। ଗତ ୨ବର୍ଷ ତଳେ ସ୍ଥାନୀୟ ବିଧାୟକଙ୍କ ପାଣ୍ଠିରୁ ୫୦ ହଜାର ଟଙ୍କା ଆସିଥିଲା। ବିଧାୟକଙ୍କ ଅନୁଦାନ ଏବଂ ଅନ୍ୟାନ୍ୟ ସହାୟତା ପାଣ୍ଠିରେ ଛାତ ଉପରେ ୨ଟି ଶ୍ରେଣୀଗୃହ ନିର୍ମାଣ କାମ ଆରମ୍ଭ ହୋଇଛି। ହେଲେ କାମ ଏ ଯାଏ ସମ୍ପୂର୍ଣ୍ଣ ହୋଇନାହିଁ ବୋଲି ମହାପାତ୍ର କହିଛନ୍ତି। ଏନେଇ ଜିଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ କହିଛନ୍ତି, କସିମିଳା ସ୍କୁଲରେ ବନ୍ୟା ପାଣି ପଶିବା ଏବଂ ଶ୍ରେଣୀଗୃହର ଅଭାବ ରହିଛି। ଏହାର ସମାଧାନ ପାଇଁ ଚେଷ୍ଟା କରାଯାଉଛି। ଅପରପକ୍ଷରେ ବିଦ୍ୟାଳୟର ଏଭଳି ଦୁର୍ଦ୍ଦଶାକୁ ନେଇ ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ନୂଆ ଶ୍ରେଣୀଗୃହ ଓ ଶୌଚାଳୟ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ପ୍ରଶାସନ ନିକଟରେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।