ଯାତ୍ରୀଙ୍କୁ ଭଡ଼ା ଓ ଟିକସ ଫେରାଇଥିଲେ ଜିଏସ୍ଟି ଫେରିପାଇବେ ବିମାନ କମ୍ପାନୀ
ନୂଆଦିଲ୍ଲୀ,୨୬ା୧୦: ବାତିଲ ବିମାନ ଟିକେଟକୁ ନେଇ ଜିଏସ୍ଟି ଆପିଲେଟ ଟ୍ରିବ୍ୟୁନାଲ(ଜିଏସ୍ଟିଏଟି) ଏ ରାୟ ଦେଇଛନ୍ତି। ଯଦି ବାତିଲ ହୋଇଥିବା ବିମାନ ଟିକେଟ ପାଇଁ ସମ୍ପୃକ୍ତ ଏୟାରଲାଇନ୍ସ ଯାତ୍ରୀଙ୍କୁ ଭଡ଼ା ଓ ଟିକସ ଉଭୟ ଫେରସ୍ତ କରିଥାନ୍ତି ଏବଂ ଏହାକୁ ଉପଯୁକ୍ତ ଦସ୍ତାବିଜ୍ ସ ପ୍ରମାଣ କରିପାରନ୍ତି ତେବେ ବାତିଲ ଟିକେଟ ବାବଦ ପୈଠ କରିଥିବା ଦ୍ରବ୍ୟ ଓ ସେବା କର(ଜିଏସ୍ଟି) ରିଫଣ୍ଡ ଦାବି କରିପାରିବେ ବୋଲି ଟ୍ରିବ୍ୟୁନାଲ କହିଛନ୍ତି। ସିଙ୍ଗାପୁର ଏୟାରଲାଇନ୍ସ ଏବଂ କୋଚ୍ଚି ସିଜିଏସଟି କମିଶନର ଓ ସିଇଙ୍କ ମଧ୍ୟରେ ଏ ସମ୍ପର୍କିତ ଏକ ମାମଲା ପରିପ୍ରେକ୍ଷୀରେ ଏହି ରାୟ ଆସିଛି। ସିଙ୍ଗାପୁର ଏୟାରଲାଇନ୍ସ କର୍ତ୍ତୃପକ୍ଷ ବାତିଲ ହୋଇଥିବା ଟିକେଟକୁ ନେଇ ସମ୍ପୃକ୍ତ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ରାଶି ଫେରାଇବା ସହିତ ଟିକସ ବୋଝ ଅନ୍ୟ କାହା ଉପରେ ଲଦି ଦେଇ ନଥିଲେ। ଏହି ବିଷୟ ଜାଣିବା ପରେ ଏର୍ଣ୍ଣାକୁଲମ ଜିଏସଟି ଆପିଲେଟ ଟ୍ରିବ୍ୟୁନାଲ (ଜିଏସଟିଏଟି) ରାଜସ୍ବ ବିଭାଗକୁ ନିର୍ଦ୍ଦେଶ ଦେଇ ସିଙ୍ଗାପୁର ଏୟାରଲାଇନ୍ସର ରିଫଣ୍ଡ କ୍ଲେମ ବାବଦରେ ୨ ସପ୍ତାହ ମଧ୍ୟରେ ସୁଧ ସମେତ ପୂରା ରାଶି ପୈଠ କରିବାକୁ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍ କାଳରେ ୨୦୧୯ରୁ ମାର୍ଚ୍ଚ ୨୦୨୧ ମଧ୍ୟରେ କରାଯାଇଥିବା ସିଜିଏସ୍ଟି ରିଫଣ୍ଡର ୮ଟି କ୍ଲେମ ସମ୍ପର୍କିତ ମାମଲାରେ ସିଙ୍ଗାପୁର ଏୟାରଲାଇନ୍ସ ପକ୍ଷରୁ ମୋଟ ୪୫.୯୨ ଲକ୍ଷ ଟଙ୍କାର ରିଫଣ୍ଡ ଦାବି କରାଯାଇଥିଲା। କିନ୍ତୁ ଜିଏସଟି ଯୁଗ୍ମ କମିଶନର ଏହାକୁ ଅଗ୍ରାହ୍ୟ କରିଦେଇଥିଲେ। ଏହାପରେ ଏହାକୁ ଚ୍ୟାଲେଞ୍ଜ କରି ସିଙ୍ଗାପୁର ଏୟାରଲାଇନ୍ସ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।