ଯାତ୍ରୀଙ୍କ ପାଇଁ ରେଳବାଇର କଡ଼ା ନିୟମ, ଟ୍ରେନ୍ରେ ଗୀତ ବଜାଇଲେ ଗଣିବେ….
ନୂଆଦିଲ୍ଲୀ,୧୯ା୧୦: ଟ୍ରେନ୍ରେ ଯାତ୍ରା କରିବା ସମୟରେ ମୋବାଇଲ୍ ସ୍ପିକରରେ ଜୋର୍ରେ ଗୀତ ବଜାଇଲେ ଏଣିକି ଗଣିବାକୁ ପଡ଼ିପାରେ ଜରିମାନା । ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଇବା ମହଙ୍ଗା ପଡ଼ିପାରେ ଟ୍ରେନ୍ରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ପାଇଁ ଦକ୍ଷିଣ ରେଳବାଇ (Southern Railway) ନିଜର ସମସ୍ତ ଡିଭିଜନ୍କୁ କଡ଼ା ନିର୍ଦ୍ଦେଶ ଦେଇଛି। ମୋବାଇଲ୍ରେ ଉଚ୍ଚ ସ୍ୱରରେ ଗୀତ ବଜାଇବା କିମ୍ବା ଅନ୍ୟ ଯାତ୍ରୀଙ୍କୁ ହଇରାଣ କରିବା ଭଳି ଘଟଣାରେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ।
ରିପୋର୍ଟ ଅନୁସାରେ, ଟ୍ରେନ୍ ଭିତରେ ମୋବାଇଲ୍ ସ୍ପିକରରେ ଜୋର୍ରେ ଗୀତ, ରିଲ୍ସ କିମ୍ବା ଭିଡିଓ ଚଲାଇ ଅନ୍ୟ ଯାତ୍ରୀଙ୍କୁ ଅସୁବିଧାରେ ପକାଇଲେ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇପାରେ। ଏଥିସହ ଫୋନ୍ରେ ଅତ୍ୟଧିକ ଉଚ୍ଚ ସ୍ୱରରେ କଥା ହେବା ନେଇ ମଧ୍ୟ ଅଭିଯୋଗ ହେଲେ ପଦକ୍ଷେପ ନିଆଯାଇପାରେ।ଏଭଳି ଘଟଣାରେ ରେଳ ଆଇନର ଧାରା ୧୪୫(୨) ଅନୁଯାୟୀ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ ବୋଲି ରିପୋର୍ଟରେ ଦାବି କରାଯାଇଛି।
ରିପୋର୍ଟରେ ଅନୁଯାୟୀ, ଜନ ବିଶ୍ୱାସ ଆଇନ ଅଧୀନରେ ସଂଶୋଧିତ ନିୟମ ଜୁନ୍ ୧୯ରୁ ଲାଗୁ ହୋଇଛି । ଟ୍ରେନ୍ କିମ୍ବା ରେଳ ଷ୍ଟେଶନ୍ ପରିସରରେ ବିଶୃଙ୍ଖଳା ସୃଷ୍ଟି କରିବା କିମ୍ବା ଶାନ୍ତି ଭଙ୍ଗ କରିବା ଭଳି ଘଟଣାରେ ୧,୦୦୦ ଟଙ୍କା ଜରିମାନା ହୋଇପାରେ। ନିୟମ ଉଲ୍ଲଂଘନ କରୁଥିବା ଯାତ୍ରୀଙ୍କୁ ଟ୍ରେନ୍ କିମ୍ବା ଷ୍ଟେଶନ୍ ପରିସରରୁ ବାହାର କରାଯାଇପାରେ । ଏପରିକି ସମ୍ପୃକ୍ତ ଯାତ୍ରୀଙ୍କ ଟ୍ରେନ୍ ଟିକେଟ୍ କିମ୍ବା ରେଳବାଇ ପାସ୍ ଜବତ କରାଯିବାର ମଧ୍ୟ ବ୍ୟବସ୍ଥା ଥିବା ରିପୋର୍ଟରେ କୁହାଯାଇଛି।
ବୟସ୍କ ବ୍ୟକ୍ତି, ଛୋଟ ପିଲା, ରୋଗୀ ଏବଂ ଅନ୍ୟ ସହଯାତ୍ରୀଙ୍କ ଯାତ୍ରାକୁ ଆରାମଦାୟକ କରିବା ହେଉଛି ଏହି ପଦକ୍ଷେପର ଉଦ୍ଦେଶ୍ୟ। ତେଣୁ ଟ୍ରେନ୍ରେ ଗୀତ ଶୁଣିବା କିମ୍ବା ଭିଡିଓ ଦେଖିବା ସମୟରେ ଇୟରଫୋନ୍ କିମ୍ବା ହେଡ୍ଫୋନ୍ ବ୍ୟବହାର କରନ୍ତୁ। ଫୋନ୍ରେ କଥା ହେବା ବେଳେ ମଧ୍ୟ ସ୍ୱର ଧୀର ରଖନ୍ତୁ, ଯାହାଦ୍ୱାରା ଅନ୍ୟ ଯାତ୍ରୀଙ୍କୁ ଅସୁବିଧା ନହୁଏ ବୋଲି କୁହାଯାଇଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।