ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…
ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନାର ଶିକାର ହୋଇ ଗର୍ଭବତୀ ସ୍ତ୍ରୀ ବାପ ଘରକୁ ପଳାଇ ଆସିଥିବା ବେଳେ, ସ୍ୱାମୀ ଅନ୍ୟ ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିବା ନେଇ ଦିଗପହଣ୍ଡି ଥାନାରେ ଏତଲା ଦିଆଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ୨୦୨୨ ମସିହାରେ ଡେଙ୍ଗାଓସ୍ତା ଗ୍ରାମର ରାଜେନ୍ଦ୍ର ପ୍ରଧାନଙ୍କ ଝିଅ ଚାନ୍ଦିନୀ, ପାଟପୁର ଥାନା ପଦ୍ମପୁର ଗ୍ରାମର ପୁରୁଷୋତ୍ତମ ଜାନିଙ୍କ ପୁଅ ଜିତେନ୍ଦ୍ର ଜାନିଙ୍କୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ପ୍ରାୟ ₹୧ ଲକ୍ଷ ଟଙ୍କାର ଯୌତୁକ ସାମଗ୍ରୀ, ଦେଢ଼ ଭରି ସୁନା ଅଳଙ୍କାର ଏବଂ ନଗଦ ₹୫୫,୦୦୦ ଦିଆଯାଇଥିଲା। ତେବେ ବିବାହର କିଛି ଦିନ ପରେ ସ୍ୱାମୀ, ଶାଶୁ ଓ ଶ୍ୱଶୁର ଅଧିକ ସୁନା, ଆସବାବପତ୍ର ଏବଂ ନଗଦ ଟଙ୍କା ପାଇଁ ଚାନ୍ଦିନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ।
ଏପରିକି ଚାନ୍ଦିନୀ ଗର୍ଭବତୀ ଥିବା ସମୟରେ ତାଙ୍କୁ ଖାଇବାକୁ ନଦେଇ ମାଡ଼ ମରାଯାଉଥିଲା ଏବଂ ଚିକିତ୍ସା ପାଇଁ ଡାକ୍ତରଖାନା ମଧ୍ୟ ନିଆଯାଇ ନ ଥିଲା। ସମାଧାନର କୌଣସି ବାଟ ନ ପାଇ ଚାନ୍ଦିନୀ ବାପ ଘରକୁ ଚାଲି ଆସିଥିଲେ ଏବଂ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ।
ତେବେ ଗତ ୪ ତାରିଖରେ ସ୍ୱାମୀ ଜିତେନ୍ଦ୍ର, ଜକମେରି ପଲ୍ଲୀ ଗ୍ରାମର ମିନି ବେହେରା ନାମ୍ନୀ ଜଣେ ଯୁବତୀଙ୍କୁ ନେଇ ଫେରାର ହୋଇଯାଇଥିବା ଚାନ୍ଦିନୀ ଦିଗପହଣ୍ଡି ଥାନାରେ ଦାଖଲ କରିଥିବା ଏତଲାରେ ଅଭିଯୋଗ କରିଛନ୍ତି। ଏତଲାକୁ ଭିତ୍ତି କରି ଆଇଆଇସି କିଶୋର କୁମାର ସାମଲ ବିଏନଏସ (BNS) ର ବିଭିନ୍ନ ଦଫା ଏବଂ ଯୌତୁକ ନିରୋଧ ଆଇନର ଧାରା-୪ ଅନୁଯାୟୀ ମାମଲା ନଂ. ୩୮୭/୨୬ ରୁଜୁ କରି ତଦନ୍ତ ଚଳାଇଛନ୍ତି। ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ସୂଚନା ଦେଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।