ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

Oct 09, 2026 - 22:10
ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ
ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA) ମେଣ୍ଟର ଏମ୍‌ପିମାନେ ସଂସଦ ଭବନର ସେଣ୍ଟ୍ରାଲ ହଲରୁ ବିଜୟ ଚୌକ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଥିଲେ। ଏହାପରେ ବିରୋଧୀ ଦଳଗୁଡ଼ିକର ଏକ ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଏହି ପ୍ରତିନିଧିମଣ୍ଡଳୀ ରାଷ୍ଟ୍ରପତିଙ୍କୁ ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ ଦାବିପତ୍ର ଦେଇଛନ୍ତି।
ରାଷ୍ଟ୍ରପତିଙ୍କୁ ଭେଟିବା ପରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, “ରାଷ୍ଟ୍ରପତିଙ୍କ ସହ ଆମର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ଯେତେବେଳେ ଆମେ ରାଷ୍ଟ୍ରପତିଙ୍କୁ ’ଭୋଟ ଚୋରି’ ବିଷୟରେ ଜଣାଇଲୁ, ସେ ଏହାକୁ ମନା କରି ନ ଥିଲେ। ବରଂ ସେ ଆମକୁ ଏହାର ପ୍ରମାଣ ଉପସ୍ଥାପନ କରିବାକୁ କହିଛନ୍ତି।” ଏହାସହ ସେ ରାଷ୍ଟ୍ରପତିଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
ଅନ୍ୟପଟେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି ଯେ ନିର୍ବାଚନରେ ପୁନର୍ବାର ବାଲଟ ପେପର ବ୍ୟବସ୍ଥା ଲାଗୁ କରିବାକୁ ଦାବି କରାଯାଇଛି ଏବଂ ରାଷ୍ଟ୍ରପତି ମାଗିଥିବା ସମସ୍ତ ପ୍ରମାଣ ଖୁବଶୀଘ୍ର ହସ୍ତାନ୍ତର କରାଯିବ। ତୃଣମୂଳ କଂଗ୍ରେସ ପ୍ରମୁଖ ମମତା ବାନାର୍ଜୀ କହିଛନ୍ତି ଯେ ବିରୋଧୀ ମେଣ୍ଟ ସମ୍ପୂର୍ଣ୍ଣ ଏକଜୁଟ ଏବଂ ଶକ୍ତିଶାଳୀ ଅଛି, ଯିଏ ଦେଶର ୬୦ ପ୍ରତିଶତରୁ ଅଧିକ ଜନସାଧାରଣଙ୍କ ପ୍ରତିନିଧିତ୍ୱ କରୁଛି।
ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀ ଏବଂ ଡି.କେ. ଶିବକୁମାରଙ୍କ ସମେତ ଅନେକ ବିରୋଧୀ ସାଂସଦ ବିଜୟ ଚୌକରେ ଧାରଣାରେ ବସି ମୁଖ୍ୟ ର୍ନିବାଚନ ଆୟୁକ୍ତଙ୍କ ବିରୋଧରେ ନାରାବାଜି କରିଥିଲେ। ଏହାପୂର୍ବରୁ ସମ୍ବିଧାନ ସଦନର କେନ୍ଦ୍ରୀୟ କକ୍ଷରେ ବିରୋଧୀ ନେତାମାନେ ଏକାଠି ହୋଇ ‘ଭୋଟ ଚୋରି’ ବିରୋଧରେ ଆନ୍ଦୋଳନକୁ ଆଗକୁ ନେବା ଏବଂ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଥିଲେ।
ସେଣ୍ଟ୍ରାଲ ହଲରେ ଏମ୍‌ପିମାନଙ୍କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଥିଲେ ଯେ ଦେଶର ନାଗରିକଙ୍କ ଅଧିକାର ରକ୍ଷା କରିବା ଆମ ସମସ୍ତଙ୍କର ଦାୟିତ୍ୱ। ଗୁଜରାଟ, ହରିୟାଣା ଏବଂ ମହାରାଷ୍ଟ୍ର ନିର୍ବାଚନ ଫଳାଫଳକୁ ନେଇ ପ୍ରଶ୍ନ ଉଠାଇବା ସହ ସେ କହିଥିଲେ ଯେ ଏହା କେବଳ ଜ୍ଞାନେଶ କୁମାରଙ୍କ କଥା ନୁହେଁ, ବରଂ ବର୍ତ୍ତମାନ ସରକାରଙ୍କୁ ବରଖାସ୍ତ କରିବାକୁ ପଡ଼ିବ।
ଏହି ବୈଠକରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ, ଏନସିପି ନେତ୍ରୀ ସୁପ୍ରିୟା ସୁଲେ, ସିପିଆଇ(ଏମ୍‌) ନେତା ଏମ୍‌.ଏ. ବେବି, ସିପିଆଇ ନେତା ଡି. ରାଜା, ସମାଜବାଦୀ ପାର୍ଟି ଏମ୍‌ପି ରାଜୀବ ରାୟ, ସ୍ବାଧୀନ ଏମ୍‌ପି କପିଲ ସିବଲଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।