ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

Sep 09, 2026 - 18:59
ରାସ୍ତାତଳକୁ ଖସିଲା ବସ୍‌, ଯାତ୍ରୀମାନେ ଭୟରେ ଚିତ୍କାର କରିବାରୁ…

ପଟ୍ଟାମୁଣ୍ଡାଇ,୯ା୯(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ-ରାଜନଗର ତଳ ରାସ୍ତା ନିକଟସ୍ଥ ଦୋଶିଆ କେନାଲ ରାସ୍ତାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୪୨ ଜଣ ଯାତ୍ରୀଙ୍କୁ ନେଇ ଦ୍ରୁତଗତିରେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଏହି ଦୁର୍ଘଟଣାରେ ପ୍ରାୟ ୬ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀମାନେ ସାମାନ୍ୟ ଆହତ ହୋଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ଓଡି ୨୯ ଏଫ ୬୯୬୬ ପ୍ରିନ୍ସ ନାମକ ବସ୍‌ଟି ନିଜ ଗନ୍ତବ୍ୟସ୍ଥଳକୁ ରାଜନଗର ରଙ୍ଗେଣୀ ଆଡକୁ ଯାଉଥିବା ସମୟରେ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଠିକିରପୋଲ ନିକଟସ୍ଥ ରାସ୍ତାରେ ନିୟନ୍ତ୍ରଣ ହରାଇ ବସିଥିଲା। ଫଳରେ ବସ୍‌ଟି ରାସ୍ତା ଏକପାଶ୍ୱର୍କୁ ଧସେଇ ପଶି ଓଲଟି ପଡ଼ିଥିଲା। ବସ୍‌ରେ ଥିବା ଯାତ୍ରୀମାନେ ଭୟରେ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ। ଦୁର୍ଘଟଣାଗ୍ରସ୍ତ ବସ୍‌ ଭିତରୁ ଆହତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇ ପଟ୍ଟାମୁଣ୍ଡାଇ ଉପଖଣ୍ଡ ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ସ୍ଥାନୀୟ ପୋଲିସ ଓ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିଥିଲେ। ଗୁରୁତର ୬ ଜଣଙ୍କର ପ୍ରାଥମିକ ଚିକିତ୍ସା ଜାରି ରହିଛି । ଏହି ଦୁର୍ଘଟଣା ଯୋଗୁ କିଛି ସମୟ ପାଇଁ ପ୍ରମୁଖ ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ଗାଡ଼ିର ଯାନ୍ତ୍ରିକ ତ୍ରୁଟି ନା ଚାଳକଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଛି, ସେ ନେଇ ପୋଲିସ ଛାନ୍‌ଭିନ୍‌ ଚଳାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।