ରାସ୍ତା ପାର ହେଉଥିବା ବେଳେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଧକ୍କା ଦେଲା ଟ୍ରକ, ରାସ୍ତାରେ….
ପାଟଣା,୫ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର ଚିଲିଦାସ୍ଥିତ ଏବିସିଡିଆର ଅଙ୍ଗିକଳା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରବିବାର ରାତିରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା ଘଟିଛି। ଅଜଣା ଟ୍ରକ୍ ଧକ୍କାରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ପରେ ଟ୍ରକ୍ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ସୂଚନା ଅନୁଯାୟୀ, ମହିଳା ଜଣକ ରାସ୍ତା ପାର ହେଉଥିବା ସମୟରେ ଦ୍ରୁତଗତିରେ ଆସୁଥିବା ଟ୍ରକ୍ଟି ତାଙ୍କୁ ଧକ୍କା ଦେଇ ଚଢ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣାରେ ମୃତଦେହ କ୍ଷତବିକ୍ଷତ ହୋଇପଡ଼ିଥିବାରୁ ପୋଲିସ ପକ୍ଷରୁ ତାହାକୁ ପଲିଥିନ୍ରେ ସଂଗ୍ରହ କରି ଉଦ୍ଧାର କରିଥିଲା।
ଖବର ପାଇ ତୁରୁମୁଙ୍ଗା ଥାନା ଏସ୍ଆଇ ସୁରେଶ ସାହୁ ଘଟଣାସ୍ଥଳରେ ପହଞ୍ଚି ଏନ୍ଏଚ୍ ଆଈ ଆମ୍ବୁଲାନ୍ସ ସହାୟତାରେ ମୃତଦେହକୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟର ଶବାଗାରକୁ ପଠାଇଥିଲେ। ମୃତ ମହିଳାଙ୍କ ପରିଚୟ ଏଯାଏ ମିଳିପାରିନାହିଁ। ତେବେ ସେ କିଛିଦିନ ହେବ ଉକ୍ତ ଅଞ୍ଚଳରେ ବୁଲାବୁଲି କରୁଥିବା ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ଜଣାପଡ଼ିଛି। ଏନେଇ ତୁରୁମୁଙ୍ଗା ଥାନାରେ ୨୬୫/୨୫ ନମ୍ବରରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।