ରୋଗ ଯନ୍ତ୍ରଣାଠୁ ବଳିଯାଉଛି ଧାଡ଼ି ଯନ୍ତ୍ରଣା: ଡାକ୍ତରଖାନାରେ ବିକଳ ଚିତ୍ର
ପଦ୍ମପୁର,୧୨ା୯(ପ୍ରଦୀପ୍ତ ଦାଶ):କିଏ କାଖେଇ ଧରିଛି, କିଏ ଆଣ୍ଠେଇ ପଡ଼ିଛି, ଆଉ କିଏ ଯନ୍ତ୍ରଣାରେ ଭୂଇଁରେ ଲୋଟୁଛି। ବୃଦ୍ଧାବୃଦ୍ଧମାନେ ବାଡ଼ି ସାହାଯ୍ୟରେ ଘଣ୍ଟା ଘଣ୍ଟା ଧରି ଡାକ୍ତରଙ୍କୁ ଅପେକ୍ଷା କରୁଛନ୍ତି। ପଦ୍ମପୁର ଉପଖଣ୍ଡ ଡାକ୍ତରଖାନାରେ ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି। ରୋଗୀଙ୍କ ରୋଗ ଯନ୍ତ୍ରଣାଠାରୁ ଡାକ୍ତର ଦେଖାଇବା ପାଇଁ ଲମ୍ବା ଧାଡ଼ିର ଯନ୍ତ୍ରଣା ଅଧିକ ହେଉଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗଙ୍କ ଦ୍ୱିତୀୟ ଘର ବୋଲି କୁହାଯାଉଥିବା ପଦ୍ମପୁରରେ ତାଙ୍କ ନିଜ ବିଭାଗର ଉପଖଣ୍ଡ ଡାକ୍ତରଖାନାର ଏଭଳି ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ସ୍ବାସ୍ଥ୍ୟମନ୍ତ୍ରୀ ପଦ ମିଳିବା ପରେ ଅଞ୍ଚଳର ସ୍ବାସ୍ଥ୍ୟସେବାରେ ବଡ଼ ପରିବର୍ତ୍ତନ ଆସିବ ବୋଲି ଲୋକେ ଆଶା କରିଥିଲେ। ହେଲେ ଡାକ୍ତରଖାନା ପୁଣି ଅତୀତର ଅବ୍ୟବସ୍ଥାକୁ ଫେରିଯାଇଥିବା ଅଭିଯୋଗ ହେଉଛି।
ଡାକ୍ତର, ନର୍ସ ସମେତ ବିଭିନ୍ନ ବିଭାଗରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନ ଥିବାରୁ ରୋଗୀସେବା ପ୍ରଭାବିତ ହେଉଛି। ଦୀର୍ଘଦିନ ଧରି ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ ପାଇଁ ପଦ୍ମପୁର ନାଗରିକ କମିଟି ସମେତ ବିଭିନ୍ନ ସଂଗଠନ ବାରମ୍ବାର ଦାବି କରିଆସୁଥିଲେ ମଧ୍ୟ ଏ ଦିଗରେ ଆଶାନୁରୂପ ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ରହିଛି। ଅନ୍ୟପକ୍ଷରେ ଇନ୍ଡୋରରେ ଶଯ୍ୟା ଅଭାବ ଯୋଗୁ ରୋଗୀମାନେ ତଳେ ଗଡ଼ୁଥିବା ବେଳେ ସମ୍ପର୍କୀୟମାନେ ଡାକ୍ତରଖାନା ବାହାରେ ବସି ରହୁଛନ୍ତି। ପଦ୍ମପୁରକୁ ବାରମ୍ବାର ଗସ୍ତ କରୁଥିବା ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଅଞ୍ଚଳର ଏକ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ରରେ ଯଦି ଏଭଳି ସ୍ଥିତି, ତେବେ ଉପାନ୍ତ ଅଞ୍ଚଳର ସ୍ବାସ୍ଥ୍ୟସେବା କିପରି ଚାଲିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଏଭଳି ସ୍ଥିତିରେ ଶନିବାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ଏବଂ ଦିବସବ୍ୟାପୀ କାର୍ଯ୍ୟକ୍ରମ ରହିଛି। ମନ୍ତ୍ରୀ ଏହି ଅବସରରେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ପରିଦର୍ଶନ କରି ରୋଗୀଙ୍କ ସମସ୍ୟା ଓ ଡାକ୍ତରଖାନାର ଅବ୍ୟବସ୍ଥା ବୁଝିବେ କି ନାହିଁ, ତାହାକୁ ନେଇ ସହରବାସୀଙ୍କ ନଜର ରହିଛି।
ଏ ସମ୍ପର୍କରେ ମତାମତ ପାଇଁ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଆଶୁତୋଷ ହୋତାଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୯୯୮୨୨୬୨ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନାହିଁ।
ଅପରପକ୍ଷେ, ସ୍ବାସ୍ଥ୍ୟ ସମସ୍ୟା ନେଇ ପଦ୍ମପୁରର ବିଭିନ୍ନ ସଙ୍ଗଠନ ଉପଜିଲାପାଳ ହେମସାଗର ଭୋଇଙ୍କୁ ଲିଖିତ ଦାବି ଜଣାଇ ଆମରଣ ଅନଶନ ଚେତାବନୀ ଦେଇଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।