ଲଗାଣ ବର୍ଷାରେ କାନ୍ଥ ପଡ଼ି ୩ ବର୍ଷର ଶିଶୁକନ୍ୟା ମୃତ
ପାଟଣା, ୨୫।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ଅନ୍ତର୍ଗତ ସ୍ୱାମ ମୁଣ୍ଡାସାହିରେ ଶୁକ୍ରବାର ଲଗାଣ ବର୍ଷାରେ ଇଟା କାନ୍ଥ ଭୁଶୁଡ଼ି ପଡ଼ି ୩ ବର୍ଷର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଲେ ସ୍ୱାମ ଗ୍ରାମର ବଣ୍ଟି ମୁଣ୍ଡାଙ୍କ ଝିଅ ପ୍ରମିଳା ମୁଣ୍ଡା (୩)।
ସୂଚନା ଅନୁସାରେ, ଶୁକ୍ରବାର ଅପରାହ୍ନରେ ପ୍ରବଳ ବର୍ଷା ହେଉଥିବା ବେଳେ ପ୍ରମିଳାଙ୍କ ମା’ ତାଙ୍କୁ ଏକ ପରିତ୍ୟକ୍ତ ଘର ନିକଟରେ ଛାଡ଼ି ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ହଠାତ୍ ଘରର ଇଟା କାନ୍ଥ ଭୁଶୁଡ଼ି ପଡ଼ିବାରୁ ଶିଶୁଟି ତଳେ ଚାପି ହୋଇଯାଇଥିଲା।
ପରିବାର ସଦସ୍ୟ ଓ ସ୍ଥାନୀୟ ଲୋକେ ତୁରନ୍ତ ଶିଶୁଟିକୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ପାଟଣା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ପ୍ରମିଳାଙ୍କୁ ମୃତ ଘୋଷଣା କରିଥିଲେ। ଶିଶୁକନ୍ୟାଙ୍କ ଅକାଳ ମୃତ୍ୟୁରେ ସ୍ୱାମ ମୁଣ୍ଡାସାହିରେ ଶୋକର ଛାୟା ଖେଳିଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।