ଶୁଭଲକ୍ଷ୍ମୀଙ୍କ ବହୁମୁଖୀ ପ୍ରତିଭା: ୮ ବର୍ଷ ବୟସରେ ନୃତ୍ୟ-ମଡେଲିଂରେ ସାଉଁଟୁଛନ୍ତି ସଫଳତା
ଅମରପାଲି,୨୯ା୧୦(ପୀତାମ୍ବର ସାହୁ): କଅଁଳ ବୟସରୁ ନୃତ୍ୟ ପ୍ରତି ଆଗ୍ରହ ରଖି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ୮ ବର୍ଷୀୟା ଶୁଭଲକ୍ଷ୍ମୀ ହୋତା। ସମ୍ବଲପୁରର ଏକ ଘରୋଇ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀରେ ପଢୁଥିବା ଶୁଭଲକ୍ଷ୍ମୀ ନୃତ୍ୟ ସହିତ ମଡେଲିଂ, ଚିତ୍ରାଙ୍କନ, ବକ୍ତୃତା, ସଂସ୍କୃତ ଶ୍ଲୋକ ଆବୃତ୍ତି ଓ ରଙ୍ଗୋଲିରେ ମଧ୍ୟ ଦକ୍ଷତା ପ୍ରଦର୍ଶନ କରିଛନ୍ତି।
ଗୁରୁ ଚୁମକି ନାହାକଙ୍କ ନିକଟରୁ ଓଡ଼ିଶୀ, ସମ୍ବଲପୁରୀ ଓ ଲୋକନୃତ୍ୟର ପ୍ରଶିକ୍ଷଣ ନେଉଥିବା ଶୁଭଲକ୍ଷ୍ମୀ ପାଠପଢ଼ା ସାଙ୍ଗକୁ ପ୍ରତିଦିନ ନୃତ୍ୟ ଅଭ୍ୟାସ ଜାରି ରଖିଛନ୍ତି। ବିଭିନ୍ନ ମଞ୍ଚରେ ନୃତ୍ୟ ପରିବେଷଣ ଏବଂ ମଡେଲିଂ ପ୍ରତିଯୋଗିତାରେ ( ଓଡ଼ିଶା ସଂସ୍କୃତି ଭବନ, ରାବଣ ଦରବାର ଓ ଅନ୍ୟାନ୍ୟ ସ୍ଥାନରେ) ସେ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ତାଙ୍କର ଏହି ବହୁମୁଖୀ ପ୍ରତିଭା ପରିବାର ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।
ତାଙ୍କ ମାଆ ନମିତା ଚାନ୍ଦ ଜଣେ ଗୃହିଣୀ ହୋଇଥିବା ବେଳେ ପିତା ବିଭୂତି ଭୂଷଣ ହୋତା ଜଣେ ଆଇନଜୀବୀ। ପିଲାଟି ଦିନରୁ ଝିଅର ନୃତ୍ୟ ପ୍ରତି ଥିବା ଆଗ୍ରହକୁ ଲକ୍ଷ୍ୟ କରି ମାଆବାପା ତାଙ୍କୁ ଉତ୍ସାହିତ କରିବା ସହ ନୃତ୍ୟ ଶିକ୍ଷା ପାଇଁ ଗୁରୁ ଚୁମକି ନାହାକଙ୍କ ନିକଟକୁ ପଠାଇଥିଲେ।
ବର୍ତ୍ତମାନ ଶୁଭଲକ୍ଷ୍ମୀ ସମ୍ବଲପୁରୀ, ଓଡ଼ିଶୀ, ଶାସ୍ତ୍ରୀୟ ଓ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରୁଛନ୍ତି। ବିଶେଷକରି ଓଡ଼ିଶୀ ଓ ଲୋକନୃତ୍ୟ ପ୍ରତି ତାଙ୍କର ଅଧିକ ଆଗ୍ରହ ରହିଛି। ପାଠପଢ଼ା ସହିତ ସେ ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ନୃତ୍ୟ ଅଭ୍ୟାସ କରିବା ସହ ନିୟମିତ ପ୍ରଶିକ୍ଷଣ ନେଉଛନ୍ତି। ପାଠପଢ଼ା ଓ କଳା ସାଧନା ମଧ୍ୟରେ ସମନ୍ବୟ ରଖି ଆଗକୁ ବଢ଼ିବା ତାଙ୍କର ଅନ୍ୟତମ ବିଶେଷତ୍ୱ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।