ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

Sep 25, 2026 - 22:32
ସନ୍ଦେହଜନକ କାରକୁ ଗୋଡ଼ାଇ ଧରିଲା ନନ୍ଦିପଦା ପୋଲିସ: ଚାଳକ-ଅନ୍ୟମାନେ ଫେରାର, ତଦନ୍ତ ଜାରି

ହାଟଡିହୀ, ୨୫।୯ (ଶୁଭକାନ୍ତ ନାୟକ): ଭଦ୍ରକ ପାର୍ଶ୍ୱରୁ କେନ୍ଦୁଝର ଜିଲା ଆନନ୍ଦପୁର ଅଭିମୁଖେ ୫୩ ନମ୍ବର ରାଜ୍ୟ ରାଜପଥରେ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଯାଉଥିବା ଏକ ସନ୍ଦେହଜନକ ଦ୍ରୁତଗାମୀ କାରକୁ ନନ୍ଦିପଦା ପୋଲିସ ଗୋଡ଼ାଇ ଧରିଛି। କାରଟିରେ ନିଶାଦ୍ରବ୍ୟ କିମ୍ବା ଅନ୍ୟ କୌଣସି ଚୋରା ଜିନିଷ ଚାଲାଣ ହେଉଥିବା ନେଇ ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ଉକ୍ତ ସନ୍ଦେହଜନକ କାରକୁ ପ୍ରଥମେ ଭଦ୍ରକ ଜିଲା ବନ୍ତ ପୋଲିସ ଅଟକାଇବାକୁ ଉଦ୍ୟମ କରିଥିଲା। ତେବେ କାରଟି ଦ୍ରୁତଗତିରେ ପଳାଇଯିବାରୁ ବନ୍ତ ପୋଲିସ ଏହାକୁ ଧରିପାରି ନଥିଲା। ଏନେଇ ନନ୍ଦିପଦା ପୋଲିସକୁ ସୂଚନା ଦିଆଯାଇଥିଲା।

ପରେ ନନ୍ଦିପଦା ପୋଲିସ କାରଟିକୁ ଅଟକାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ଚାଳକ ଅଟକି ନ ଥିଲା। ଫଳରେ ପୋଲିସ କାରଟିକୁ ପଛରୁ ଗୋଡ଼ାଇଥିଲା। ଶେଷରେ କାରଟି ଛେନାପଦି-ହଦଗଡ଼ ରାସ୍ତାରେ ଦ୍ରୁତଗତିରେ ଯାଇ ଛେନାପଦି ହୁଡ଼ି ନିକଟରେ ପହଞ୍ଚିଥିଲା। ସେଠାରେ କାରଟିକୁ ଛାଡ଼ି ଚାଳକ ଓ ଅନ୍ୟମାନେ ଫେରାର ହୋଇଯାଇଥିଲେ।

ପୋଲିସ କାରଟିକୁ ଜବତ କରିଛି। ଏଥିରେ ପ୍ରକୃତରେ କ’ଣ ରହିଛି ଏବଂ କାରଟି କେଉଁଠାରୁ ଆସିଥିଲା, ସେ ନେଇ ତଦନ୍ତ ଆରମ୍ଭ କରାଯାଇଥିବା ନନ୍ଦିପଦା ଥାନା ଆଇଆଇସି ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି।

ଆନନ୍ଦପୁର ଏସ୍‌ଡିପିଓ କମଳ କୁମାର ପଣ୍ଡା କହିଛନ୍ତି ଯେ, ଗାଡ଼ିରେ ଚୋରା ଜିନିଷ ଆସୁଥିବା ନେଇ ସୂଚନା ପାଇ ବନ୍ତ ପୋଲିସ ଗାଡ଼ିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲା। ତେବେ ଏହାକୁ ଅଟକାଇ ନ ପାରିବାରୁ ପରେ ନନ୍ଦିପଦା ପୋଲିସ ଗାଡ଼ିଟିକୁ ଧରିଥିଲା। ଗାଡ଼ି ଚାଳକ ଏହାକୁ ଲକ୍‌ କରି ଫେରାର ହୋଇଯାଇଛି। ଲକ୍‌ ଖୋଲିବା ପରେ ଗାଡ଼ି ଭିତରେ କ’ଣ ରହିଛି, ତାହା ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।