ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

Oct 09, 2026 - 13:17
ସପ୍ତାହେ ମଧ୍ୟରେ କୋହଲିଙ୍କ ୫ ରେକର୍ଡକୁ ଧୂଳିସାତ୍‌ କରିଦେଲେ ଏହି ୫ ବ୍ୟାଟର୍‌

ନୂଆଦିଲ୍ଲୀ,୯।୧୦: ବିରାଟ କୋହଲିଙ୍କ ନାଁରେ ଅନେକ କ୍ରିକେଟ ରେକର୍ଡ ରହିଛି। ଏହାକୁ ଭାଙ୍ଗିବା ଯେକୌଣସି ଖେଳାଳିଙ୍କ ପାଇଁ ଏକ ବଡ଼ ସଫଳତା ହେବ। ଗତ ସପ୍ତାହ ମଧ୍ୟରେ ଅନେକ ଭାରତୀୟ କ୍ରିକେଟର ନିଜର ଚମତ୍କାର ପ୍ରଦର୍ଶନ ବଳରେ କୋହଲିଙ୍କ କିଛି ଉଲ୍ଲେଖନୀୟ ରେକର୍ଡକୁ ଅତିକ୍ରମ କରିଛନ୍ତି। ଶ୍ରେୟସ ଆୟରଙ୍କ ବିସ୍ଫୋରକ ଇନିଂସ ହେଉ, ଇଶାନ କିଶନଙ୍କ କ୍ରମାଗତ ରନ ସଂଗ୍ରହ ହେଉ କିମ୍ବା ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମାଙ୍କ ଛକା ମାରିବାର କ୍ଷମତା ଏହି ଖେଳାଳିମାନେ ନିଜ ପ୍ରଦର୍ଶନ ମାଧ୍ୟମରେ ଇତିହାସ ସୃଷ୍ଟି କରିଛନ୍ତି।

ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଶ୍ରେୟସ ଆୟରଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଥିଲା ଦମଦାର ଇନିଂସ। ସେ ୪୩ ବଲ୍‌ରେ ଅପରାଜିତ ୧୦୨ ରନ କରିଥିବାବେଳେ ଭାରତ ୧୭୨ ରନ୍‌ର ବିଜୟ ଲକ୍ଷ୍ୟକୁ ୧୪.୪ ଓଭରରେ ହାସଲ କରିଥିଲା। ଏହି ଇନିଂସ ସହ ସଫଳ ଟି-୨୦ ରନ ଚେଜ୍‌ରେ ଭାରତୀୟ ଅଧିନାୟକଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‌ର ରେକର୍ଡ ଭାଙ୍ଗିଛନ୍ତି।

ପୂର୍ବରୁ ୨୦୧୯ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ବିରାଟ କୋହଲି ଅପରାଜିତ ୯୪ ରନ କରିଥିଲେ।
ଭାରତୀୟ ବ୍ୟାଟର୍‌ ଈଶାନ କିଶନଙ୍କ ନାମରେ ମଧ୍ୟ ଏକ ବଡ଼ ରେକର୍ଡ ଯୋଡ଼ି ହୋଇଥିବା ଦାବି କରାଯାଇଛି। ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୬ରେ ତାଙ୍କ ଟି-୨୦ ରନ ସଂଖ୍ୟା ୧,୬୪୪ରେ ପହଞ୍ଚିଛି। ଏହା ସହ ସେ ୨୦୧୬ରେ ବିରାଟ କୋହଲି କରିଥିବା ୧,୬୧୪ ରନକୁ ଅତିକ୍ରମ କରିଛନ୍ତି। ଏହି ପ୍ରଦର୍ଶନ ଈଶାନଙ୍କୁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-୨୦ ରନ କରିଥିବା ଭାରତୀୟ ବ୍ୟାଟର୍ଙ୍କ ତାଲିକାର ଶୀର୍ଷରେ ପହଞ୍ଚାଇଛି।

ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଶୁବମନ ଗିଲଙ୍କ ବ୍ୟାଟ୍‌ରୁ ମୋଟ ୩୩୪ ରନ ଆସିଥିବା ଉଲ୍ଲେଖ କରାଯାଇଛି। ଏହି ସିରିଜ୍‌ରେ ସେ ଦୁଇଟି ଶତକ ମଧ୍ୟ ହାସଲ କରିଥିଲେ। ଏହି ପ୍ରଦର୍ଶନ ସହ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ୩୦୦ରୁ ଅଧିକ ରନ କରିଥିବା ପ୍ରଥମ ଭାରତୀୟ ଅଧିନାୟକ ହୋଇଛନ୍ତି।

ଏସିଆନ ଗେମ୍ସ ଫାଇନାଲ୍‌ରେ ପାକିସ୍ତାନ ବିପକ୍ଷରେ ଅଭିଷେକ ଶର୍ମା ୨୮ ବଲ୍‌ରେ ୬୧ ରନ୍‌ର ଆକ୍ରମଣାତ୍ମକ ଇନିଂସ ଖେଳିଥିଲେ। ଏହି ଇନିଂସ୍‌ରେ ସେ ୭ଟି ଛକା ମାରିଥିଲେ। ଏହା ସହ ପାକିସ୍ତାନ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍‌ରେ ତାଙ୍କ ମୋଟ ଛକା ସଂଖ୍ୟା ୧୪ରେ ପହଞ୍ଚିଛି। ଏହା ବିରାଟ କୋହଲିଙ୍କ ୧୧ ଛକାର ରେକର୍ଡକୁ ଅତିକ୍ରମ କରିଛି।

ପାକିସ୍ତାନ ବିପକ୍ଷ ଏସିଆନ ଗେମ୍ସ ଫାଇନାଲ୍‌ରେ ତିଳକ ବର୍ମା ୨୨ ବଲ୍‌ରେ ଅପରାଜିତ ୫୧ ରନ କରିଥିଲେ। ଏହି ପ୍ରଦର୍ଶନ ପାକିସ୍ତାନ ବିପକ୍ଷରେ ତାଙ୍କ ବ୍ୟାଟିଂ ରେକର୍ଡର ଆଉ ଏକ ଉଦାହରଣ। ପାକିସ୍ତାନ ବିପକ୍ଷ ପାଞ୍ଚଟି ଟି-୨୦ ଇନିଂସ୍‌ରେ ତିଳକ ୨୦୬ ରନ କରିଛନ୍ତି ଏବଂ ତାଙ୍କ ବ୍ୟାଟିଂ ହାର ୧୦୩ ରହିଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।