ସମିତି ସଭ୍ୟଙ୍କୁ ଗୁଳିମାରି ହତ୍ୟା: ବଢୁଛି ସନ୍ଦେହ, କାର୍ ଭିତରେ ଥିବା ସମୟରେ…
ଡୁଙ୍ଗୁରିପାଲି,୧୧।୯:ସୁବର୍ଣ୍ଣପୁର ଓ ବରଗଡ଼ ଜିଲା ସୀମାବର୍ତ୍ତୀ କେବାଡ଼ ଜିରୋ ଆଡି କେନାଲ ନିକଟରେ ଆଗଲପୁର ପଞ୍ଚାୟତ ସମିତି ସଭ୍ୟ ଅଚ୍ୟୁତାନନ୍ଦ ନାଏକ (୪୦)ଙ୍କୁ ଗୁଳିମାରି ହତ୍ୟା କରାଯାଇଛି। ନିଜ କାର ଭିତରେ ଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କୁ ଗୁଳି କରି ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଅଚ୍ୟୁତାନନ୍ଦଙ୍କ ଘର ବରଗଡ଼ ଜିଲ୍ଲା ବରପାଲି ଥାନା ଅଧୀନ କେବାଡ଼ ଗ୍ରାମରେ। ସେ ଆଗଲପୁର ପଞ୍ଚାୟତର ସମିତି ସଭ୍ୟ ଥିଲେ।
ସୂଚନା ଅନୁଯାୟୀ, ଶୁକ୍ରବାର ରାତି ପ୍ରାୟ ୮ଟା ୩୦ରେ ଅଚ୍ୟୁତାନନ୍ଦଙ୍କ ମୋବାଇଲକୁ କେହି ଫୋନ କରି ଟଙ୍କା ନେଇ ଆସିବାକୁ କହିଥିଲେ। ଏହାପରେ ସେ ନିଜ କାର ଯୋଗେ ଘରୁ ବାହାରି ଚିନାଯୁରୀ ଛକକୁ ଯାଇଥିଲେ। ସେଠାରୁ ଫେରୁଥିବା ସମୟରେ ଜିରୋ ଆଡି କେନାଲ ଛକ ନିକଟରେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଗୁଳି କରିଥିବା ଅଭିଯୋଗ ହୋଇଛି।
ଶନିବାର ସକାଳେ ସ୍ଥାନୀୟ ଲୋକେ ଅଚ୍ୟୁତାନନ୍ଦଙ୍କ ପରିବାରକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ। ପରିବାରଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ କାର ଭିତରେ ମୃତ ଅବସ୍ଥାରେ ଦେଖିଥିଲେ।
ଖବର ପାଇ ବରଗଡ଼ ଏସପି ରବି ଶତପଥୀ, ବରପାଲି ଥାନା ଅଧିକାରୀ ପ୍ରମୋଦ ସାହୁ, ସୁବର୍ଣ୍ଣପୁର ଏସପି ନାରାୟଣ ନାଏକ, ଏସଡିପିଓ କଲ୍ୟାଣୀ ବେହେରା ଏବଂ ଡୁଙ୍ଗୁରିପାଲି ଭାରପ୍ରାପ୍ତ ଥାନା ଅଧିକାରୀ ସତ୍ୟନାରାୟଣ ପଧାନ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ବଲାଙ୍ଗୀରରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଗୁଳିର ଖୋକା ଏବଂ ରକ୍ତ ନମୁନା ସଂଗ୍ରହ କରିଛି।
ତେବେ ହତ୍ୟାକାଣ୍ଡର ପ୍ରକୃତ କାରଣ ଏଯାବତ୍ ସ୍ପଷ୍ଟ ହୋଇନାହିଁ। ଏହା ପଛରେ ରାଜନୈତିକ ଶତ୍ରୁତା ନା ବ୍ୟବସାୟିକ ବିବାଦ ରହିଛି, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ହତ୍ୟାକାଣ୍ଡରେ କେତେ ଜଣ ସାମିଲ ଥିଲେ ଏବଂ ଏହାର ପ୍ରକୃତ କାରଣ କ’ଣ, ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ଏସପି ନାରାୟଣ ନାଏକ କହିଛନ୍ତି। ଖୁବଶୀଘ୍ର ହତ୍ୟାକାରୀଙ୍କୁ ଧରାଯିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ଅନ୍ୟପକ୍ଷରେ, ବିଜେପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟିକା ରିତା ସାହୁ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀଙ୍କୁ ଶୀଘ୍ର ଗିରଫ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସକୁ ଦାବି କରିଛନ୍ତି।
ଏନେଇ ମୃତ ଅଚ୍ୟୁତାନନ୍ଦଙ୍କ ବାପା ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।