ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’: ଗୋପାଳପୁର ବନ୍ଦର ଓ ଆର୍ଯ୍ୟପଲ୍ଲୀ ଜେଟିରେ ୩୬ ମାଛଧରା ଡଙ୍ଗାକୁ…
ଛତ୍ରପୁର / ଗୋପାଳପୁର,୨୭।୧୦(ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ),୨୭/୧୦: ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ର ସାମ୍ନା କରିବା ପାଇଁ ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ସମୁଦ୍ରରେ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀ ଓ ମାଛଧରା ଡଙ୍ଗାଗୁଡ଼ିକର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।
ଗୋପାଳପୁର ବନ୍ଦର ହାର୍ବର ମଧ୍ୟରେ ଆନ୍ଧ୍ରପ୍ରଦେଶର ୩୦ଟି ଏବଂ ପାରାଦ୍ୱୀପର ୪ଟି ମାଛଧରା ଡଙ୍ଗାକୁ ସୁରକ୍ଷିତ ଭାବେ ଆଶ୍ରୟ ଦିଆଯାଇଛି। ଏଥିସହିତ ବନ୍ଦର ପରିସରରେ ପ୍ରାୟ ୨୫୦ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ରହିଥିବା ନେଇ ଅତିରିକ୍ତ ମତ୍ସ୍ୟ ଅଧିକାରୀ ଦେବୀଦତ୍ତ ମହାନ୍ତି ସୂଚନା ଦେଇଛନ୍ତି।
ସେହିପରି ଆର୍ଯ୍ୟପଲ୍ଲୀ ମତ୍ସ୍ୟଜେଟିରେ ଆନ୍ଧ୍ରପ୍ରଦେଶର ୨ଟି ବଡ଼ ମାଛଧରା ଡଙ୍ଗାକୁ ସୁରକ୍ଷିତ ରଖାଯାଇଛି। ଏହି ଦୁଇଟି ଡଙ୍ଗାରେ ଥିବା ୧୩ ଜଣ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଭାବେ ରଖାଯାଇଛି।
ବାତ୍ୟା ମୁକାବିଲା ପାଇଁ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ଆଗୁଆ ପ୍ରସ୍ତୁତି ଓ ସମୟୋଚିତ ପଦକ୍ଷେପ ଯୋଗୁ ମତ୍ସ୍ୟଜୀବୀଙ୍କ ଜୀବନ ଓ ଜଳଯାନଗୁଡ଼ିକ ସୁରକ୍ଷିତ ରହିପାରିଛି। ଗଞ୍ଜାମ ଜିଲା ପ୍ରଶାସନ ଏବଂ ଅନ୍ୟାନ୍ୟ ସରକାରୀ ସଂସ୍ଥାଗୁଡ଼ିକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବା ପାଇଁ ବନ୍ଦର କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଜଣାପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।