ସରକାରଙ୍କ କଡ଼ା ନିୟମ, ପ୍ରଦର୍ଶନରେ ସାମିଲ ହେଲେ ମିଳିବନି ସରକାରୀ ଚାକିରି
ଲକ୍ଷ୍ନୌ,୨୯।୧୦: ଉତ୍ତରପ୍ରଦେଶରେ ସରକାରୀ ଚାକିରି ପାଇଁ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚ ନିୟମକୁ ଅଧିକ କଡ଼ାକଡ଼ି କରାଯାଇଛି । ନୂଆ ନିର୍ଦ୍ଦେଶ ଅନୁସାରେ, କେବଳ ରାଜନୈତିକ ବିଚାରଧାରା ଆଧାରରେ କୌଣସି ଆବେଦନକାରୀଙ୍କୁ ଅଯୋଗ୍ୟ ଘୋଷଣା କରାଯିବ ନାହିଁ । କିନ୍ତୁ ହିଂସାତ୍ମକ ଆନ୍ଦୋଳନ କିମ୍ବା କାର୍ଯ୍ୟକଳାପରେ ସାମିଲ ଥିବା ବ୍ୟକ୍ତିଙ୍କୁ ସରକାରୀ ଚାକିରି ମିଳିବାରେ ସମସ୍ୟା ହୋଇପାରେ । ନିଯୁକ୍ତି ବିଭାଗର ପ୍ରମୁଖ ସଚିବ ଏମ୍ ଦେବରାଜଙ୍କ ପକ୍ଷରୁ ଏହି ନିର୍ଦ୍ଦେଶ ଜାରି ହୋଇଥିବା ସୂଚନା ମିଳିଛି । ରାଜ୍ୟର ସରକାରୀ ବିଭାଗ, ନିଗମ, ପରିଷଦ ଓ ସ୍ଥାନୀୟ ସଂସ୍ଥାଗୁଡ଼ିକରେ ସିଧାସଳଖ ନିଯୁକ୍ତି ସମୟରେ ଆବେଦନକାରୀଙ୍କ ଚରିତ୍ର ଯାଞ୍ଚକୁ ଅଧିକ ଗୁରୁତ୍ୱ ଦିଆଯିବ।
ନିର୍ଦ୍ଦେଶରେ ସ୍ପଷ୍ଟ କରାଯାଇଛି ଯେ କୌଣସି ବ୍ୟକ୍ତିଙ୍କ ରାଜନୈତିକ ବିଚାରଧାରାକୁ ଆଧାର କରି ତାଙ୍କୁ ସରକାରୀ ଚାକିରି ପାଇଁ ଅଯୋଗ୍ୟ ବିବେଚନା କରାଯିବ ନାହିଁ । ତେବେ ହିଂସାତ୍ମକ ଉପାୟରେ ବର୍ତ୍ତମାନର ସାମାଜିକ ବ୍ୟବସ୍ଥାକୁ ବଦଳାଇବା ଉଦ୍ଦେଶ୍ୟ ରଖୁଥିବା ସଂଗଠନର ସଦସ୍ୟ ହୋଇଥିବା ବ୍ୟକ୍ତିଙ୍କୁ ସରକାରୀ ନିଯୁକ୍ତି ପାଇଁ ଅଯୋଗ୍ୟ ବିବେଚନା କରାଯାଇପାରେ। ଏହା ସହିତ, ଯାଞ୍ଚ ତାରିଖର ପୂର୍ବବର୍ତ୍ତୀ ତିନି ବର୍ଷ ମଧ୍ୟରେ ଏଭଳି କାର୍ଯ୍ୟକଳାପରେ ଭାଗ ନେଇଥିବାକୁ ସମ୍ପୃକ୍ତ ବ୍ୟକ୍ତି ଏବେ ବି ସେଥିରେ ସକ୍ରିୟ ଥିବାର ପ୍ରମାଣ ଭାବେ ଧରାଯାଇପାରେ। ତେବେ ଏହି ସମୟ ମଧ୍ୟରେ ତାଙ୍କ ଆଚରଣରେ ପରିବର୍ତ୍ତନ ଆସିଥିବାର ଠୋସ୍ ପ୍ରମାଣ ମିଳିଲେ ତାହାକୁ ବିଚାର କରାଯାଇପାରିବ।
ନୂଆ ନିୟମରେ କିଛି ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ ମଧ୍ୟ ରହିଛି । କେବଳ ଏଫ୍ଆଇଆର୍ ରୁଜୁ ହୋଇଥିବା କିମ୍ବା ତଦନ୍ତ ଚାଲିଥିବା କାରଣରୁ କୌଣସି ଆବେଦନକାରୀ ସ୍ୱତଃ ଅଯୋଗ୍ୟ ହେବେ ନାହିଁ । ଚରିତ୍ର ଯାଞ୍ଚ ସମୟରେ ଆବେଦନକାରୀଙ୍କ ପୂର୍ବ ଆଚରଣ ଓ ସମ୍ପୃକ୍ତ ତଥ୍ୟକୁ ବିଚାର କରାଯିବ । ପୋଲିସକୁ ୩୦ ଦିନ ମଧ୍ୟରେ ଚରିତ୍ର ଯାଞ୍ଚ ରିପୋର୍ଟ ଦେବାକୁ ପଡ଼ିବ। ଆବଶ୍ୟକ ପଡ଼ିଲେ ଆବେଦନକାରୀଙ୍କ ପୂର୍ବ କାର୍ଯ୍ୟାଳୟରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଇପାରିବ। ପୂର୍ବରୁ ସରକାରୀ ସେବାରେ କାର୍ଯ୍ୟରତ କର୍ମଚାରୀଙ୍କ କ୍ଷେତ୍ରରେ ଏହି ନୂଆ ଚରିତ୍ର ଯାଞ୍ଚ ପ୍ରକ୍ରିୟା ଲାଗୁ ହେବ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି ।
ଉତ୍ତରପ୍ରଦେଶ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ସରକାରୀ ଚାକିରି ଆଶାୟୀଙ୍କ ଚରିତ୍ର ଯାଞ୍ଚ ପ୍ରକ୍ରିୟା ଅଧିକ ଗୁରୁତ୍ୱ ବହନ କରିବ। ବିଶେଷକରି ହିଂସାତ୍ମକ କାର୍ଯ୍ୟକଳାପରେ ସାମିଲ ଥିବା ଅଭିଯୋଗ କିମ୍ବା ପ୍ରମାଣ ନିଯୁକ୍ତି ପ୍ରକ୍ରିୟାରେ ପ୍ରଭାବ ପକାଇପାରେ। ତେବେ କେବଳ ରାଜନୈତିକ ମତାମତ ରଖିବା କିମ୍ବା ଏଫ୍ଆଇଆର୍ ହେବା ମାତ୍ରକେ ଚାକିରି ପାଇଁ ଅଯୋଗ୍ୟ ହେବାର ନିୟମ ନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।