ସରକାରଙ୍କ ବଡ଼ ନିଷ୍ପତ୍ତି! ବିନା ଅନୁମତିରେ ସ୍କୁଲ୍‌ରେ ପଶିପାରିବେନି ବାହାର ଲୋକ, ଫଟୋ-ଭିଡିଓ କଲେ….

Oct 21, 2026 - 23:17
ସରକାରଙ୍କ ବଡ଼ ନିଷ୍ପତ୍ତି! ବିନା ଅନୁମତିରେ ସ୍କୁଲ୍‌ରେ ପଶିପାରିବେନି ବାହାର ଲୋକ, ଫଟୋ-ଭିଡିଓ କଲେ….

ନୂଆଦିଲ୍ଲୀ,୨୧ା୧୦: ସ୍କୁଲ୍‌ର ସୁରକ୍ଷା ଓ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ଗୁଜରାଟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏଣିକି ବିନା ଅନୁମତିରେ ସ୍କୁଲ୍ ପରିସରରେ କୌଣସି ବାହାର ଲୋକ ପ୍ରବେଶ କରିପାରିବେ ନାହିଁ । ଅଭିଭାବକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତିଙ୍କୁ ସ୍କୁଲ୍‌ର ଆଚାର୍ଯ୍ୟ ବା ପ୍ରଧାନଶିକ୍ଷକଙ୍କ ପୂର୍ବ ଅନୁମତି ବିନା ପ୍ରବେଶ ଅନୁମତି ମିଳିବ ନାହିଁ ।

ସରକାରଙ୍କ ନୂଆ ନିର୍ଦ୍ଦେଶ ଅନୁସାରେ, ସ୍କୁଲ୍ ପରିସରରେ ବିନା ଅନୁମତିରେ ଫଟୋ ଉଠାଇବା ଓ ଭିଡିଓ ରେକର୍ଡିଂ କରିବା ମଧ୍ୟ ନିଷିଦ୍ଧ କରାଯାଇଛି । ନିୟମ ଉଲ୍ଲଂଘନ କରି ସ୍କୁଲ୍‌ରେ ପ୍ରବେଶ କରିବା କିମ୍ବା ବିନା ଅନୁମତିରେ ଫଟୋ ଓ ଭିଡିଓ ଉତ୍ତୋଳନ କଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ।
ଅନ୍ୟପଟେ ଗୁଜରାଟର ସୁରତ ସହରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଥିଲା। ପିଲା ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ସହ ଖେଳ ଖେଳାଯାଉଥିବା ଅଭିଯୋଗରେ ପୋଲିସ ଜଣେ ମେଡିକାଲ୍ ଷ୍ଟୋର୍‌ର ସଞ୍ଚାଳକଙ୍କୁ ଗିରଫ କରିଛି।

ସୁରତ ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (SOG) ଓ ଖାଦ୍ୟ ଏବଂ ଔଷଧ ବିଭାଗର ମିଳିତ ଟିମ୍ ଗୋପୀପୁରାର ମୋମନାୱାଦ ରୋଡ୍‌ରେ ଥିବା ଶାନ୍ତିନାଥ ମେଡିକାଲ୍ ଷ୍ଟୋର୍‌ରେ ଚଢ଼ାଉ କରିଥିଲା। ଏହି ମାମଲାରେ ଦୋକାନର ସଞ୍ଚାଳକ ମହମ୍ମଦ ସାଜିଦ୍ ଇବ୍ରାହିମ୍ ମୁଲ୍ଲାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଘୋଡ଼ା, ଗାଈ, ମଇଁଷି ଓ ବଳଦ ଭଳି ପଶୁଙ୍କ ପାଇଁ ବ୍ୟବହୃତ ‘Liv.52 Protec Liquid Animal Feed Supplement’କୁ ୧ ଲିଟର ଓ ୫ ଲିଟର ପ୍ୟାକ୍‌ରୁ ବାହାର କରି ୬୦ ଏମ୍‌ଏଲ୍‌ ଏବଂ ୧୦୦ ଏମ୍‌ଏଲ୍‌ର ଛୋଟ ବୋତଲରେ ଭରୁଥିଲେ। ପରେ ସେହି ବୋତଲଗୁଡ଼ିକରେ ପିଲାଙ୍କ ପାଇଁ ବ୍ୟବହୃତ ‘Liv.52 Drops’ ଭଳି ଉତ୍ପାଦର ନକଲି ଲେବଲ୍ ଲଗାଇ ବଜାରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ପଶୁଙ୍କ ପାଇଁ ଉଦ୍ଦିଷ୍ଟ ୧ ଲିଟର ପ୍ୟାକ୍‌ର ମୂଲ୍ୟ ପ୍ରାୟ ୩୩୦ ଟଙ୍କା ଥିବାବେଳେ, ମଣିଷଙ୍କ ପାଇଁ ଔଷଧ ଭାବେ ଦର୍ଶାଯାଉଥିବା ୬୦ ଏମ୍‌ଏଲ୍‌ ବୋତଲର ମୂଲ୍ୟ ୧୬୦ ଟଙ୍କା ରଖାଯାଇଥିଲା। ଏହି ଉପାୟରେ ଅଭିଯୁକ୍ତ ବେଆଇନ ଲାଭ କମାଉଥିବା ପୋଲିସ ସନ୍ଦେହ କରୁଛି। ପଚରାଉଚରା ସମୟରେ ପ୍ରାୟ ୧,୦୦୦ ବୋତଲ ବିକ୍ରି ହୋଇଥିବା ନେଇ ସୂଚନା ମିଳିଥିବା ପୋଲିସ କହିଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।