ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

Oct 10, 2026 - 16:58
ସାଢ଼େ ୯ ବର୍ଷ ପରେ ଶତକ ହାସଲ କରି ଇତିହାସ ରଚିଲେ ଏହି କ୍ରିକେଟର

ନୂଆଦିଲ୍ଲୀ,୧୦।୧୦: ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଡର୍ବାନର କିଙ୍ଗସମିଡ ଷ୍ଟାଡିୟମରେ ଚାଲିଛି। ଅଷ୍ଟ୍ରେଲିଆର ମଧ୍ୟ-କ୍ରମ ବ୍ୟାଟର ମ୍ୟାଟ ରେନଶ’ ଏହି ମ୍ୟାଚରେ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ମଧ୍ୟାହ୍ନ ଭୋଜନ ବିରତି ସୁଦ୍ଧା, ରେନଶ’ ୨୧୮ଟି ବଲ ଖେଳି ୧୦ଟି ଚୌକା ସହାୟତାରେ ୧୦୨ ରନ କରି ଅପରାଜିତ ରହିଛନ୍ତି। ଅଷ୍ଟ୍ରେଲିଆର ସ୍କୋର ବର୍ତ୍ତମାନ ୮ ୱିକେଟ ବିନିମୟରେ ୨୭୭ ରନ ରହିଛି।
ରେନଶ’ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ଏକ ସମୟରେ ଅଷ୍ଟ୍ରେଲିଆ ୧୨୪ ରନରେ ୬ଟି ୱିକେଟ ହରାଇ ସଙ୍କଟଜନକ ସ୍ଥିତିରେ ଥିଲା; ସେହି ସ୍ଥିତିରୁ ଶତକ ହାସଲ କରିବା ଏବଂ ଦଳକୁ ୩୦୦ ରନର ନିକଟବର୍ତ୍ତୀ କରାଇବା ଦକ୍ଷିଣ ଆଫ୍ରିକୀୟ ବୋଲରଙ୍କ ବିପକ୍ଷରେ ଆଦୌ ସହଜ କାର୍ଯ୍ୟ ନଥିଲା। ତଥାପି, ରେନଶ’ ଦୃଢ଼ତାର ସହ ଖେଳି ଅଧିନାୟକ ପ୍ୟାଟ କମିନ୍ସଙ୍କ ସହ ସପ୍ତମ ୱିକେଟ ପାଇଁ ୮୪ ରନର ଭାଗୀଦାରୀ ସ୍ଥାପନ କରିଥିଲେ। କମିନ୍ସ ୯୮ଟି ବଲ ଖେଳି ୬ଟି ଚୌକା ସହାୟତାରେ ୪୩ ରନ କରି ଆଉଟ ହୋଇଥିଲେ।
ଦକ୍ଷିଣ ଆଫ୍ରିକା ବିପକ୍ଷରେ ମ୍ୟାଟ ରେନଶ’ (Matt Renshaw) ଙ୍କ ଏହି ଶତକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତଥା ଐତିହାସିକ ଅଟେ। ସାଢ଼େ ନଅ ବର୍ଷ ମଧ୍ୟରେ ଏହା ତାଙ୍କର ପ୍ରଥମ ଟେଷ୍ଟ ଶତକ। ଉଲ୍ଲେଖନୀୟ ଯେ, ସେ ଦୀର୍ଘ ସମୟ ଧରି ଟେଷ୍ଟ ଦଳର ଅଂଶ ନଥିଲେ; ପ୍ରାୟ ନଅ ବର୍ଷ ପରେ ସେ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।
ରେନସ’ଙ୍କ ଏହି ଶତକ ବିଭିନ୍ନ କାରଣରୁ ବିଶେଷ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି, ୧୨ ବର୍ଷ ମଧ୍ୟରେ ଏହା ପ୍ରଥମ ଘଟଣା ଯେତେବେଳେ ଜଣେ ଅଷ୍ଟ୍ରେଲୀୟ ବ୍ୟାଟର ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ଶତକ ହାସଲ କରିଛନ୍ତି। ଏହା ପୂର୍ବରୁ ୨୦୧୪ ମସିହାରେ କିଙ୍ଗସମିଡ (Kingsmead) ଠାରେ ଜଣେ ଅଷ୍ଟ୍ରେଲୀୟ ଖେଳାଳି ଏହି ସଫଳତା ହାସଲ କରିଥିଲେ।

Dharitri – Odisha’s No.1, Most Trusted Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।