ସିଜେପି ବିକ୍ଷୋଭକାରୀଙ୍କୁ ନୋଟିସ ପଠାଇବାକୁ କିପରି ସାହସ କଲ
ନୂଆଦିଲ୍ଲୀ,୧୦ା୯: କକ୍ରୋଚ୍ ଜନତା ପାର୍ଟି (ସିଜେପି) ନେତୃତ୍ୱରେ ପରିଚାଳିତ ବିକ୍ଷୋଭରେ ଭାଗ ନେଇଥିବା ଜଣେ ଛାତ୍ରଙ୍କୁ ନୋଟିସ ଜାରି କରିଥିବାରୁ ଗ୍ରେଟର ନଏଡ଼ାର କାର୍ଯ୍ୟନିର୍ୱାହୀ ମାଜିଷ୍ଟ୍ରେଟ୍ଙ୍କୁ ସୁପ୍ରିମକୋର୍ଟ ବୁଧବାର ତୀବ୍ର ଭର୍ତ୍ସନା କରିଛନ୍ତି। ଆନ୍ଦୋଳନକାରୀ ଛାତ୍ରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସର୍ୱୋଚ୍ଚ ନ୍ୟାୟାଳୟ ପୂର୍ୱରୁ ଯେଉଁ ନିର୍ଦ୍ଦେଶ ଦେଇଥିଲେ, ତାହାର ଅବମାନନା କରିଥିବାରୁ ମାଜିଷ୍ଟ୍ରେଟ୍ ସ୍ପଷ୍ଟୀକରଣ ଦେବାକୁ ଅଦାଲତ କହିଛନ୍ତି।
ଛାତ୍ରୀଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନେବାକୁ ପୂର୍ୱରୁ ନିର୍ଦ୍ଦେଶ ଥିବା ସତ୍ତ୍ୱେ ମାଜିଷ୍ଟ୍ରେଟ୍ଙ୍କ ଏଭଳି କାର୍ଯ୍ୟକୁ ନେଇ ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତ ପ୍ରଶ୍ନ ଉଠାଇଛନ୍ତି। ଗୌତମ ବୁଦ୍ଧ ୟୁନିଭର୍ସିଟିର ଜଣେ ଦ୍ୱିତୀୟ ବର୍ଷ ଛାତ୍ରଙ୍କ ନିକଟକୁ ମାଜିଷ୍ଟ୍ରେଟ୍ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍)ର ଧାରା ୧୩୦ ଅନୁଯାୟୀ ନୋଟିସ୍ ପଠାଇଥିଲେ। ଶାନ୍ତି ରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ୫ ଲକ୍ଷ ଟଙ୍କାର ବଣ୍ଡ୍ ଛାତ୍ର ଜଣକ କାହିଁକି ଦାଖଲ କରିବେ ନାହିଁ, ତାହାର ସ୍ପଷ୍ଟୀକରଣ ଦେବାକୁ ନୋଟିସ୍ରେ କୁହାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉକ୍ତ ନୋଟିସକୁ ପରେ ପ୍ରତ୍ୟାହାର କରିନିଆଯାଇଥିଲା ବୋଲି ଆଇନଜୀବୀ ଅଦାଲତଙ୍କୁ ଜଣାଇଥିଲେ।
ସିଜେପି ନେତୃତ୍ୱରେ ବିକ୍ଷୋଭ ବେଳେ ଜୁଲାଇ ୨୦ରୁ ୨୫ ମଧ୍ୟରେ ଛାତ୍ରୀଛାତ୍ରଙ୍କ ବିରୋଧରେ ଦାଏର ସମସ୍ତ ଏତଲାକୁ ସୁପ୍ରିମକୋର୍ଟ ପୂର୍ୱରୁ ଖାରଜ କରିଦେଇଥିଲେ ଓ ସେମାନଙ୍କ ବିରୋଧରେ କୌଣସି ଦଣ୍ଡମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ସତ୍ତ୍ୱେ ଗ୍ରେଟର ନଏଡ଼ା ଏକ୍ଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ ଜଣେ ଛାତ୍ରଙ୍କୁ ନୋଟିସ ପଠାଇବା ଲାଗି ସାହସ କଲେ କିପରି ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ପ୍ରଶ୍ନ ଉଠାଇଛନ୍ତି।
ସୂଚନାଯୋଗ୍ୟ, ଗତ ଜୁଲାଇ ୨୫ରେ ସିଜେପି ଯନ୍ତରମନ୍ତରରେ ଆନ୍ଦୋଳନ ପ୍ରତ୍ୟାହାର କରିବା ବେଳେ ଛାତ୍ରୀଛାତ୍ରଙ୍କ ବିରୋଧରେ ଦାଏର ଏତଲାଗୁଡ଼ିକୁ ପ୍ରତ୍ୟାହାର କରିନେବା ପାଇଁ କରିଥିବା ଦାବିକୁ ସରକାର ଗ୍ରହଣ କରିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।