ସ୍କୁଲ ଯାଇ ଘରକୁ ଫେରିନଥିବା ଘଟଣା: ଚେନ୍ନାଇରୁ ଉଦ୍ଧାର ହେଲେ ଦୁଇ ଦଶମ ଶ୍ରେଣୀ ଛାତ୍ର
ନୀଳଗିରି, ୨୪/୧୦ (ପ୍ରଶାନ୍ତ କୁମାର ବିଶ୍ୱାଳ): ସ୍କୁଲ ଯାଇ ଘରକୁ ଫେରି ନ ଥିବା ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଶେଷରେ ଚେନ୍ନାଇରୁ ଠାବ କରିଛନ୍ତି ପରିବାର ଲୋକେ। ଶନିବାର ସକାଳେ ଉଭୟ ଛାତ୍ରଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ପିଲାମାନଙ୍କୁ ଖୋଜି ନିରାଶ ହୋଇପଡ଼ିଥିବା ପରିବାର ଲୋକଙ୍କ ପାଇଁ ଏହା ଆଶ୍ୱସ୍ତି ଆଣିଦେଇଛି।
ସୂଚନା ଅନୁଯାୟୀ, ନୀଳଗିରିସ୍ଥିତ ରତ୍ନାକର ଟାଉନ୍ ହାଇସ୍କୁଲର ଦଶମ ଶ୍ରେଣୀର ଦୁଇ ଛାତ୍ର ଆୟୁଷ କୁମାର ପତି ଓ ଆକାଶ ସିଂ ଗତ ୧୫ ତାରିଖରେ ସ୍କୁଲକୁ ଯାଇଥିଲେ। ଆୟୁଷ ବାଲିଗୋହିରୀ ଗ୍ରାମର ବବିତା ମହାପାତ୍ରଙ୍କ ପୁଅ ହୋଇଥିବା ବେଳେ ଆକାଶ ଖନ୍ତାପଡ଼ା ଥାନା ଅନ୍ତର୍ଗତ ଆମ୍ବଡ଼ିଆ ଗ୍ରାମର ମିନି ସିଂଙ୍କ ପୁଅ।
ସେହିଦିନ ଦିନ ପ୍ରାୟ ସାଢ଼େ ଗୋଟାଏ ସମୟରେ ଉଭୟ ଛାତ୍ର ସ୍କୁଲରେ ନ ଥିବା ଜଣାପଡ଼ିବା ପରେ ସ୍କୁଲ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ସୂଚନା ଦେଇଥିଲେ। ପରେ ଉଭୟ ଛାତ୍ରଙ୍କ ମାଆ ନୀଳଗିରି ଥାନାରେ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ନୀଳଗିରି ପୋଲିସ ୪୭୧/୨୬ ଓ ୪୭୨/୨୬ ନମ୍ବରରେ ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲା।
ଅନ୍ୟପକ୍ଷରେ, ପିଲାମାନଙ୍କୁ ଖୋଜିବା ପାଇଁ ପରିବାର ଲୋକେ ବାଲେଶ୍ୱର, ମୟୂରଭଞ୍ଜ ଓ ଭଦ୍ରକ ସମେତ ବିଭିନ୍ନ ଜିଲାରେ ଶହ ଶହ କିଲୋମିଟର ବୁଲିଥିଲେ। ଦୁଇ ଛାତ୍ରଙ୍କ ଫଟୋ ଧରି ସାଧାରଣ ଲୋକଙ୍କୁ ଦେଖାଇବା ସହ କୌଣସି ସୂଚନା ମିଳିଲେ ଜଣାଇବାକୁ ନିବେଦନ କରୁଥିଲେ।
ଏହି ସମୟରେ ଚେନ୍ନାଇରେ ରହୁଥିବା ଭଦ୍ରକର ଜଣେ ବ୍ୟକ୍ତି ଷ୍ଟେସନରେ ଦୁଇ ଛାତ୍ରଙ୍କୁ ଠାବ କରିଥିଲେ। ପରେ ସେ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦେଇଥିଲେ। ଏହାପରେ ପରିବାର ଲୋକେ ଚେନ୍ନାଇରେ ପହଞ୍ଚି ଦୁଇ ଛାତ୍ରଙ୍କୁ ଉଦ୍ଧାର କରିଥିବା ଜଣାପଡ଼ିଛି।ତେବେ ଦୁଇ ଛାତ୍ର କେଉଁ ପରିସ୍ଥିତିରେ ଚେନ୍ନାଇରେ ପହଞ୍ଚିଥିଲେ ଏବଂ ଘର ଛାଡ଼ିବା ପଛରେ କ’ଣ କାରଣ ରହିଥିଲା, ତାହା ସ୍ପଷ୍ଟ ହୋଇନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।