ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ, ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା

Oct 27, 2026 - 11:31
ସ୍ଥଳଭାଗ ମୁହାଁ ଅତି ଭୀଷଣ ବାତ୍ୟା ଅର୍ଣ୍ଣବ, ଖୋର୍ଦ୍ଧାରେ ସ୍କୁଲ ଛୁଟି ଘୋଷଣା

ଖୋର୍ଦ୍ଧା,୨୭।୧୦ (ପ୍ରଭାତ ପାଣିଗ୍ରାହୀ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଖୋର୍ଦ୍ଧା ଜିଲାର ସମସ୍ତ ବିଦ୍ୟାଳୟକୁ ବନ୍ଦ ଘୋଷଣା କରାଯାଇଛି । ଅକ୍ଟୋବର ୨୭ ତାରିଖ ଅପରାହ୍ନ ୧ଟାରୁ ୨୮ ତାରିଖ ପର୍ଯ୍ୟନ୍ତ ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ, ଓଏଭିଏସ୍‌ ଓ ଘରୋଇ ବିଦ୍ୟାଳୟ ବନ୍ଦ ରହିବ।

ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସମଗ୍ର ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏନେଇ ଆଦେଶ ଜାରି ହୋଇଛି । ୨୭ ତାରିଖ ଦିନ ମଧ୍ୟାହ୍ନ ଭୋଜନ ପ୍ରଦାନ ପରେ ବିଦ୍ୟାଳୟ ବନ୍ଦ କରାଯିବ । ତେବେ ଏହି ସମୟରେ ଶିକ୍ଷକ ଓ କର୍ମଚାରୀମାନେ ବିଦ୍ୟାଳୟରେ ଉପସ୍ଥିତ ରହିବେ। ସେମାନଙ୍କ ଛୁଟିକୁ ବାତିଲ କରାଯାଇଛି। ବାତ୍ୟା ଓ ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ବିଦ୍ୟାଳୟ କୋଠାକୁ ଆଶ୍ରୟସ୍ଥଳ ଭାବେ ବ୍ୟବହାର ଉପଯୋଗୀ କରିବା ସହ ଆବଶ୍ୟକ ସୁବିଧା ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ରହିଛି । ଏଥିସହ ପ୍ରଧାନଶିକ୍ଷକମାନେ ରୋଷ୍ଟର ଡ୍ୟୁଟି ବ୍ୟବସ୍ଥା କରି ବିଦ୍ୟାଳୟକୁ ୨୪ ଘଣ୍ଟା ଖୋଲା ରଖିବେ। ଆବଶ୍ୟକ ସମୟରେ ଜିଲା ପ୍ରଶାସନକୁ ସହଯୋଗ କରିବାକୁ ମଧ୍ୟ ଆଦେଶରେ କୁହାଯାଇଛି।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।