ହାତରେ ଗୋଟିଏ ଉଇକେଟ୍, ଦରକାର ୮୮ ରନ୍; ତଥାପି ହାର୍ ମାନିଲାନି ପାକିସ୍ତାନ, ‘ଅସମ୍ଭବ’କୁ କଲା ‘ସମ୍ଭବ’
ନୂଆଦିଲ୍ଲୀ, ୨୬।୧୦: ଶାଦାବ ଖାନଙ୍କ ଶତକୀୟ ଇନିଂସ ବଳରେ ଏକାକୀ ପାକିସ୍ତାନକୁ ହାରିବାକୁ ଥିବା ମ୍ୟାଚରେ ଜିତାଇ ଦେଲେ। ସତେ ଯେମିତି ସେ ‘ଅସମ୍ଭବ’କୁ ‘ସମ୍ଭବ’ କରି ଦେଖାଇଲେ। ୨୪୧ ରନର ଲକ୍ଷ୍ୟ ପିଛା କରୁଥିବା ପାକିସ୍ତାନ ୧୫୪ ରନରେ ୯ଟି ଉଇକେଟ୍ ହରାଇ ସାରିଥିଲା। ଏଭଳି ସ୍ଥିତିରେ ଅଷ୍ଟମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶାଦାବ ଚମତ୍କାର ଇନିଂସ ଖେଳି ଦଳକୁ ବିଜୟୀ କରାଇଥିଲେ। ସେ ୯୬ଟି ବଲରେ ୧୩ଟି ଚୌକା ଓ ୫ଟି ଛକା ସହାୟତାରେ ଅପରାଜିତ ୧୧୩ ରନ କରିଥିଲେ। ଏହି ସମୟରେ ୧୧ ନମ୍ବରରେ ବ୍ୟାଟିଂ କରୁଥିବା ହାରିସ ରଉଫ ତାଙ୍କୁ ଭରପୂର ସହଯୋଗ କରିଥିଲେ। ଉଭୟ ଦଶମ ଉଇକେଟ୍ ପାଇଁ ୮୦ଟି ବଲରେ ୮୯ ରନର ଭାଗୀଦାରି କରିଥିଲେ। ଏହା ଦିନିକିଆ କ୍ରିକେଟରେ ସଫଳ ରନ ଚେଜ ସମୟରେ ଦଶମ ଉଇକେଟ୍ ପାଇଁ ସର୍ବବୃହତ୍ ଭାଗୀଦାରି। ଏହା ସହିତ ଏହି ଭାଗୀଦାରି ଇନିଂସରେ ପାକିସ୍ତାନ ପାଇଁ ସବୁଠାରୁ ବଡ଼ ଭାଗୀଦାରି ମଧ୍ୟ ଥିଲା।
ଏହି ଚମତ୍କାର ରବିବାର (୨୫ ଅକ୍ଟୋବର) ଦିନିକିଆ ଟ୍ରାଇ ସିରିଜରେ ଦେଖିବାକୁ ମିଳିଥିଲା। ଅସମ୍ଭବ ମନେ ହେଉଥିବା ରନ ଚେଜରେ ସଫଳ କରି ପାକିସ୍ତାନ ୧ ଉଇକେଟ୍ ବିଜୟ ହାସଲ କରିଥିଲା। ମ୍ୟାଚଟି ଅତ୍ୟନ୍ତ ରୋମାଞ୍ଚକର ଥିଲା। ପ୍ରଥମେ ଇଂଲଣ୍ଡର ନିମ୍ନକ୍ରମ ବ୍ୟାଟର୍ମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ଏହାପରେ ରନ ଚେଜ ସମୟରେ ପାକିସ୍ତାନର ନିମ୍ନକ୍ରମ ବ୍ୟାଟର୍ମାନେ ଅସାଧାରଣ ପ୍ରଦର୍ଶନ କରି ଦଳକୁ ବିଜୟ ଦେଇଥିଲେ।
ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୪୬.୪ ଓଭରରେ ୨୪୧ ରନ କରି ଅଲଆଉଟ ହୋଇଥିଲା। ଦଳ ପାଇଁ ଓପନର୍ ବେନ ଡକେଟ ୧୧୧ଟି ବଲ୍ରୁ ୧୦ଟି ଚୌକା ଓ ୨ଟି ଛକା ସହାୟତାରେ ୧୦୫ ରନର ଶତକୀୟ ଇନିଂସ ଖେଳିଥିଲେ। ପାକିସ୍ତାନ ପକ୍ଷରୁ ଅଧିନାୟକ ଶାହିନ ଆଫ୍ରିଦି ସର୍ବାଧିକ ୪ଟି ଉଇକେଟ୍ ନେଇଥିଲେ।
ରନ ଚେଜରେ ପାକିସ୍ତାନର ଆରମ୍ଭ ଅତ୍ୟନ୍ତ ଖରାପ ଥିଲା। ୧୮ ରନରେ ଦଳର ପ୍ରଥମ ଉଇକେଟ୍ ପଡ଼ିଥିବା ବେଳେ ୨୭ ରନରେ ଦ୍ୱିତୀୟ ଏବଂ ୩୧ ରନରେ ତୃତୀୟ ବ୍ୟାଟର୍ ଆଉଟ ହୋଇଥିଲେ। ଏହାପରେ ନିୟମିତ ବ୍ୟବଧାନରେ ଉଇକେଟ୍ ପଡ଼ି ଚାଲିଥିଲା। ଗୋଟିଏ ସମୟରେ ପାକିସ୍ତାନର ସ୍କୋର ୯ ଉଇକେଟ୍ରେ ୧୫୪ ରନରେ ପହଞ୍ଚିଥିଲା। ଦଳକୁ ଜିତିବା ପାଇଁ ଆହୁରି ୮୮ ରନର ଆବଶ୍ୟକତା ଥିବା ବେଳେ ହାତରେ ମାତ୍ର ଗୋଟିଏ ଉଇକେଟ୍ ବାକି ଥିଲା। ପ୍ରଶଂସକଙ୍କ ବିଜୟ ଆଶା ପ୍ରାୟ ଶେଷ ହୋଇଯାଇଥିଲା। ଏଭଳି ସମୟରେ ଶାଦାବ ଖାନଙ୍କ ସହ ହାରିସ ରଉଫ କ୍ରିଜରେ ଥିଲେ। କିନ୍ତୁ ଶାଦାବ ଅଦ୍ଭୁତ ବ୍ୟାଟିଂ କରି ଦଳକୁ ପରାଜୟ ମୁହଁରୁ ଫେରାଇ ଆଣିବା ସହ ଏକ ସ୍ମରଣୀୟ ବିଜୟ ଭେଟି ଦେଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।