ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

Sep 29, 2026 - 08:45
ହୋମଷ୍ଟେ ଆବେଦନକାରୀଙ୍କୁ ଭୁବନେଶ୍ୱର ଡାକରା: ମିଳିଲା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର

ଦାରିଙ୍ଗବାଡ଼ି, ୨୯।୯(ଅରୁଣ ସାହୁ): କନ୍ଧମାଳ ଜିଲାର ଦାରିଙ୍ଗବାଡ଼ିକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନକ୍ଷେତ୍ର ଭାବେ ବିକଶିତ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏହା ଦ୍ୱାରା ଦେଶ ଓ ବିଦେଶରୁ ଅଧିକ ସଂଖ୍ୟକ ପର୍ଯ୍ୟଟକ ଦାରିଙ୍ଗବାଡ଼ି ଆସିବା ସହ ଅତିକମ୍‌ରେ ୨ରୁ ୩ ରାତି ଏଠାରେ ରହିବା ଏବଂ ସ୍ଥାନୀୟ ପାରମ୍ପରିକ ଖାଦ୍ୟ, ନୃତ୍ୟ, ସଙ୍ଗୀତ, ଅଳଙ୍କାର, ପୋଷାକ ଓ ଚଳଣି ସମ୍ପର୍କରେ ଜାଣିବାର ସୁଯୋଗ ପାଇବେ।

ଏହି ଲକ୍ଷ୍ୟରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଓଡ଼ିଶା ହୋମଷ୍ଟେ ଏଷ୍ଟାବ୍ଲିସମେଣ୍ଟ’ ଯୋଜନା ଅଧୀନରେ ସ୍ଥାନୀୟ ଲୋକଙ୍କୁ ହୋମଷ୍ଟେ ନିର୍ମାଣ ପାଇଁ ପ୍ରୋତ୍ସାହନ ଓ ସରକାରୀ ସହାୟତା ପ୍ରଦାନ ବ୍ୟବସ୍ଥା କରାଯାଇଛି। ଏହି ଯୋଜନାରେ ଦାରିଙ୍ଗବାଡ଼ି ଅଞ୍ଚଳରୁ ଆବେଦନ କରି ସରକାରୀ ଗାଇଡଲାଇନ ପୂରଣ କରିଥିବା ୮ ଜଣ ଆବେଦନକାରୀ ତଥା ସାହସିକ ପର୍ଯ୍ୟଟନ ଉଦ୍ୟୋଗୀଙ୍କୁ ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଭୁବନେଶ୍ୱର ଡକାଯାଇଥିଲା।

ଭୁବନେଶ୍ୱରରେ ଆୟୋଜିତ କର୍ମଶାଳାରେ ଯୋଗଦେଇଥିବା ଏହି ୮ ଜଣ ଉଦ୍ୟୋଗୀଙ୍କୁ ହୋମଷ୍ଟେ ନିର୍ମାଣ ପାଇଁ ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏଥିସହ ହୋମଷ୍ଟେ ନିର୍ମାଣର ସୁବିଧା, ଯୋଜନାର ନୀତିନିୟମ ଓ ସରକାରୀ ସହାୟତା ସମ୍ପର୍କରେ ଉଦ୍ୟୋଗୀମାନଙ୍କୁ ତାଲିମ ଦିଆଯାଇଥିଲା।

କର୍ମଶାଳାରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମିଶନ ଶକ୍ତି ଓ ମହିଳା-ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବାଳବନ୍ତ ସିଂହ ଯୋଗଦେଇଥିଲେ। ସ୍ଥାନୀୟ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବା ସହ ରାଜ୍ୟରେ ହୋମଷ୍ଟେ ଓ ସାହସିକ ପର୍ଯ୍ୟଟନକୁ ଆହୁରି ସୁଦୃଢ଼ କରିବା ଏହି ଯୋଜନାର ଲକ୍ଷ୍ୟ ବୋଲି ସେମାନେ କହିଥିଲେ।

ଦାରିଙ୍ଗବାଡ଼ିର ପ୍ରଭାକର ସାହୁ, ହରେନ ସାହୁ, ଅନିଲ ସାହୁ, ସଞ୍ଜୀବ ପ୍ରଧାନ, କରୁଣାକର ପ୍ରଧାନ, ଗୋବର୍ଦ୍ଧନ ପ୍ରଧାନ, ଅମର ସାହୁ ଓ ମନୋଜ ପଣ୍ଡାଙ୍କୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ୮ ଜଣ ଉଦ୍ୟୋଗୀ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ବତନ୍ତ୍ର ଭାବେ ଭେଟି ଦାରିଙ୍ଗବାଡ଼ି ପର୍ଯ୍ୟଟନକ୍ଷେତ୍ରର ବିକାଶ ସମ୍ପର୍କରେ ଆଲୋଚନା କରିଥିବା ପ୍ରଭାକର ସାହୁ, ହରେନ ସାହୁ ପ୍ରମୁଖ କହିଛନ୍ତି।

ସୂଚନାଯୋଗ୍ୟ, ଏହି ଯୋଜନା ସମ୍ପର୍କରେ ପୂର୍ବରୁ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଦାରିଙ୍ଗବାଡ଼ି ବ୍ଲକ ସଭାଗୃହରେ ସ୍ଥାନୀୟ ଲୋକଙ୍କୁ ନେଇ ଦୁଇଥର କର୍ମଶାଳା ଆୟୋଜନ କରିଥିଲେ। ସେଠାରେ ହୋମଷ୍ଟେ ଯୋଜନାର ନୀତି, ସୁବିଧା ଓ ଅନଲାଇନ ଆବେଦନ ପ୍ରକ୍ରିୟା ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଇଥିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।