୨୦୨୭ ବିଶ୍ୱକପ୍ ଖେଳିବେ ରୋହିତ ଶର୍ମା! ଶୁଭମନ ଗିଲ୍ଙ୍କୁ ନେଇ କଲେ ବଡ଼ ଖୁଲାସା, ଭିଡିଓ ଭାଇରାଲ୍
ନୂଆଦିଲ୍ଲୀ,୨୯ା୧୦: ଭାରତୀୟ କ୍ରିକେଟ୍ର ହିଟ୍ମ୍ୟାନ୍ ରୋହିତ ଶର୍ମାଙ୍କ ୨୦୨୭ ଦିନିକିଆ ବିଶ୍ୱକପ୍କୁ ନେଇ ଦେଇଥିବା ଏକ ମଜାଳିଆ ବୟାନ ଏବେ ଚର୍ଚ୍ଚାରେ ରହିଛି । ଭାରତୀୟ ଦଳର ନୂଆ ଦିନିକିଆ ଅଧିନାୟକ ଶୁଭମନ ଗିଲ୍ଙ୍କୁ ନେଇ ରୋହିତ ଏମିତି କିଛି କହିଛନ୍ତି, ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏହି ଭିଡିଓରେ ରୋହିତ ୨୦୨୭ ବିଶ୍ୱକପ୍ ଖେଳିବା ନେଇ ନିଜ ଇଚ୍ଛାକୁ ମଜାଳିଆ ଢଙ୍ଗରେ ପ୍ରକାଶ କରିଛନ୍ତି।
ରୋହିତ ଶର୍ମା ଏବେ ଭାରତ ପାଇଁ କେବଳ ଦିନିକିଆ ଫର୍ମାଟ୍ରେ ଖେଳୁଛନ୍ତି। ସେ ଟେଷ୍ଟ ଓ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ନେଇସାରିଛନ୍ତି। ତେବେ ୨୦୨୭ ଦିନିକିଆ ବିଶ୍ୱକପ୍ରେ ସେ ଖେଳିବେ କି ନାହିଁ, ତାହାକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଚାଲିଛି।କିଛି ଦିନ ପୂର୍ବରୁ ରୋହିତଙ୍କୁ ଆଗାମୀ ବିଶ୍ୱକପ୍ ଯୋଜନାରେ ସାମିଲ କରାଯିବ କି ନାହିଁ, ତାହାକୁ ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା। ଏପରିକି ସେ ଦିନିକିଆ କ୍ରିକେଟ୍ରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହୋଇଥିଲା। କିନ୍ତୁ ବିସିସିଆଇ ପୂର୍ବରୁ ଏ ସମ୍ପର୍କିତ ଖବରକୁ ଖଣ୍ଡନ କରିଥିବା ଉଲ୍ଲେଖ ରହିଛି।
ରୋହିତଙ୍କ ଭାଇରାଲ୍ ଭିଡିଓଟି ତାଙ୍କ ଶୋ’ ‘Family Full House with Rohit Sharma’ର ବୋଲି କୁହାଯାଉଛି। ଏଥିରେ ତାଙ୍କୁ ପଚରାଯାଇଥିଲା ଯେ କୌଣସି ଜରୁରୀ ପରିସ୍ଥିତିରେ ସେ ଶୁଭମନ ଗିଲ୍ ଓ ଶ୍ରେୟସ ଆୟରଙ୍କ ମଧ୍ୟରୁ କାହାକୁ ଫୋନ୍ କରିବେ? ଏହାର ଉତ୍ତରରେ ରୋହିତ କହିଥିଲେ, “ଦୁହେଁ ଅଧିନାୟକ। ଶୁଭମନ ଗିଲ୍ ଏବେ ମୋର ଅଧିନାୟକ। ୨୦୨୭ ଦିନିକିଆ ବିଶ୍ୱକପ୍ ମୋତେ ଖେଳିବାକୁ ପଡ଼ିବ। ତାଙ୍କୁ ଖୁସି ରଖିବାକୁ ହେବ।” ରୋହିତଙ୍କ ଏହି ମଜାଳିଆ ଉତ୍ତରକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଛି। ଏହି ଶୋ’ରେ ରୋହିତ ଆଉ ଏକ ମଜାଳିଆ କଥା କହିଥିଲେ। ୨୦୨୭ ପରେ ଯଦି ଟି-୨୦କୁ ଫେରିବାକୁ ହୁଏ, ତେବେ ଶ୍ରେୟସ ଆୟରଙ୍କୁ ଖୁସି ରଖିବାକୁ ପଡ଼ିବ ବୋଲି ସେ ଥଟ୍ଟା କରିଥିଲେ।
ସୂଚନାଯୋଗ୍ୟ, ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ୨୦୨୪ ଟି-୨୦ ବିଶ୍ୱକପ୍ ଜିତିଥିଲା। ଏହା ପରେ ସେ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ରୁ ଅବସର ଘୋଷଣା କରିଥିଲେ। ଏବେ ସମସ୍ତଙ୍କ ନଜର ରୋହିତଙ୍କ ଆଗାମୀ ପ୍ରଦର୍ଶନ ଓ ୨୦୨୭ ଦିନିକିଆ ବିଶ୍ୱକପ୍କୁ ନେଇ ତାଙ୍କ ଭବିଷ୍ୟତ ଯୋଜନା ଉପରେ ରହିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।